ପ୍ରଦୂଷଣ ହ୍ରାସ ଉଦ୍ୟମ:ଶିଳ୍ପସଂସ୍ଥାଙ୍କୁ ମିଳିବ ଷ୍ଟାର ରେଟିଂ

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନୂଆ କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର: ଶିଳ୍ପ ପ୍ରଦୂଷଣକୁ କମ୍‌ କରିବା ଲକ୍ଷ୍ୟ ନେଇ ଓଡ଼ିଶା ସରକାର ନୂତନ ଭାବେ ଷ୍ଟାର୍‌ ରେଟିଂ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।
ସେ କହିଲେ, ଏହି ରେଟିଂ ଜରିଆରେ ଜନ ସାଧାରଣ ଜାଣିପାରିବେ ତାଙ୍କ ଅଞ୍ଚଳରେ ଥିବା କଳ କାରଖାନା ପରିବେଶ ନିୟମକୁ କିଭଳି ଭାବେ ପାଳନ କରୁଛନ୍ତି। ଭଲ ରେଟିଂ ପାଇବା ପାଇଁ କଂପାନିଗୁଡ଼ିକ ମଧ୍ୟ ଉଦ୍ୟମ କରିବେ ଓ ପରିବେଶକୁ ସ୍ୱଚ୍ଛ ରଖିବାକୁ ପ୍ରୟାସ କରିବେ। ଏହି କାର୍ଯ୍ୟକ୍ରମ ଦ୍ୱାରା ରାଜ୍ୟରେ ଶିଳ୍ପ ପ୍ରଦୂଷଣରେ ଉଲ୍ଲେଖନୀୟ ଭାବେ ହ୍ରାସ ହେବ ବୋଲି ସେ ଆଶା ପ୍ରକଟ କରିଛନ୍ତି।
ପ୍ରଦୂଷଣ ନିୟମ ପାଳନ ଅନୁଯାୟୀ ଶିଳ୍ପସଂସ୍ଥାଗୁଡ଼ିକୁ ୧ରୁ ୫ ଷ୍ଟାର୍‌ ପର୍ଯ୍ୟନ୍ତ ରେଟିଂ ପ୍ରଦାନ କରାଯିବ। ଯେଉଁ ସଂସ୍ଥା କଡ଼ାକଡ଼ି ଭାବେ ପ୍ରଦୂଷଣ ନିୟମ ପାଳନ କରିଥିବ ତାହାକୁ ୫ ଷ୍ଟାର୍‌ ରେଟିଂ ପ୍ରଦାନ କରାଯିବ। ସବୁଠୁ ଖରାପ ପ୍ରଦର୍ଶନ କରୁଥିବା ଶିଳ୍ପ ସଂସ୍ଥାକୁ ୧ ଷ୍ଟାର୍‌ ରେଟିଂ ପ୍ରଦାନ କରାଯିବ। ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟମନ୍ତ୍ରଣ ବୋର୍ଡ (ଓଏସ୍‌ପିସିବି) ଓ ଚିକାଗୋ ବିଶ୍ୱବିଦ୍ୟାଳୟର ଏନର୍ଜି ପଲିସି ଇନଷ୍ଟିଚ୍ୟୁଟ୍‌ର ମିଳିତ ଉଦ୍ୟମରେ ଷ୍ଟାର୍‌ ରେଟିଂ ଅଭିଯାନ ଆରମ୍ଭ କରାଯାଇଛି।
ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି କାର୍ଯ୍ୟକ୍ରମକୁ ୨୦ଟି ଶିଳ୍ପ ସଂସ୍ଥା ପାଇଁ ଲାଗୁ କରାଯିବ। ପର୍ଯ୍ୟାୟକ୍ରମେ ରାଜ୍ୟରେ ଥିବା ସମସ୍ତ ୧୩୬ଟି କାରଖାନାକୁ ଏହି କାର୍ଯ୍ୟକ୍ରମ ସମ୍ପ୍ରସାରିତ କରାଯିବ। ଚିକାଗୋ ବିଶ୍ୱବିଦ୍ୟାଳୟର ଏନର୍ଜି ପଲିସି ଇନଷ୍ଟିଚ୍ୟୁଟ୍‌ ଓ ଟାଟା ସେଣ୍ଟର୍‌ ଫର୍‌ ଡେଭେଲପ୍‌ମେଣ୍ଟ୍‌ର ବିଶେଷଜ୍ଞଙ୍କ ସହାୟତାରେ ଏହି କାର୍ଯ୍ୟକ୍ରମ ଲାଗୁ କରାଯିବ। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଯାଞ୍ଚ କରି ତଥ୍ୟ ସଂଗ୍ରହ କରିବ ଓ ସେହି ତଥ୍ୟର ଗୁଣାତ୍ମକ ମାନ ଅନୁଧ୍ୟାନ କରିବ ଓ ଏଥି ସହିତ ପ୍ରତି ମାସରେ ରେଟିଂ ଅପ୍‌ଡେଟ୍‌ କରିବ। ଏଥିପାଇଁ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମୁଖ୍ୟ ପରିବେଶ ଇଞ୍ଜିନିୟର ଡକ୍ଟର ଏ କେ ସ୍ୱରଙ୍କୁ ନୋଡାଲ୍‌ ଅଫିସର ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି।
ଏ ସମ୍ପର୍କରେ ଅଧିକ ସୂଚନା ଦେଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷ ଆର୍‌ ବାଲକ୍ରିଷ୍ଣନ କହିଛନ୍ତି ଯେ, ଓଏସ୍‌ପିସିବି ସିଇଏମ୍‌ଏସ୍‌ (କଣ୍ଟିନିଅସ୍‌ ଏମିସନ୍‌ ମନିଟରିଂ ସିଷ୍ଟମ୍‌) ଜରିଆରେ ଶିଳ୍ପ ବାୟୁ ପ୍ରଦୂଷଣର ତଥ୍ୟ ସଂଗ୍ରହ କରୁଛି। ଏନର୍ଜି ପଲିସି ଇନଷ୍ଟିଚ୍ୟୁଟ୍‌ର ବିଶେଷଜ୍ଞମାନେ ସେହି ତଥ୍ୟର ଅନୁଧ୍ୟାନ କରି ରେଟିଂ ପ୍ରଦାନ କରିବେ। ଚିକାଗୋ ବିଶ୍ୱବିଦ୍ୟାଳୟର ନିର୍ଦେଶକ ତଥା ଅର୍ଥନୀତି ପ୍ରଫେସର ମାଇକେଲ୍‌ ଗ୍ରିନ୍‌ଷ୍ଟୋନ୍‌ କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶା ନାଗରିକମାନେ ସେମାନଙ୍କ ଅଞ୍ଚଳରେ ହେଉଥିବା ପ୍ରଦୂଷଣର ଉତ୍ସ କ’ଣ ତାହା ଜାଣିପାରିବେ। ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରଦୂଷଣ ନିୟନ୍ତ୍ରଣ କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ସ୍ଥାନ ହାସଲ କରିଛି ବୋଲି ସେ କହିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ www.ospcb.info ନାମକ ନୂତନ େଓ୍ଵବସାଇଟ୍‌କୁ ଉନ୍ମୋଚନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ବିଭିନ୍ନ ବିଭାଗର ସଚିବ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ଓ ବରିଷ୍ଠ ଅଧିକାରୀ ଏବଂ ୨୦ଟି ଶିଳ୍ପ ସଂସ୍ଥାର ପ୍ରତିନିଧି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର