୭୫ ଟଙ୍କିଆ ମୁଦ୍ରା ଜାରି ହେବା ପୂର୍ବରୁ ଲୋକପ୍ରିୟତାରେ ଅଛି ଏହି ୨ ଅଯୁଗ୍ମ ସଂଖ୍ୟାର କଏନ୍‌

ଭୁବନେଶ୍ବର (ମହେନ୍ଦ୍ର ସାହୁ): ଦେଶ ବର୍ତ୍ତମାନ ଅମୃତ ମହୋତ୍ସବ (ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି) ପାଳନ କରୁଥିବା ଅବସରରେ ନୂତନ ସଂସଦ ଭବନ ଆଜି ଉଦ୍‌ଘାଟିତ ହୋଇଛି। ନୂତନ ସଂସଦ ଭବନ ଉଦ୍‌ଘାଟନକୁ ସ୍ମରଣୀୟ କରିବା ଲକ୍ଷ୍ୟ ନେଇ ଏକ ୭୫ ଟଙ୍କିଆ କଏନ୍‌ର ପ୍ରଚଳନ ଆରମ୍ଭ କରିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ, ଯାହାକୁ କି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଛନ୍ତି। ନୂତନ ଭାବେ ଜାରି ହୋଇଥିବା ଏହି ୭୫ ଟଙ୍କିଆ କଏନ୍‌ ଆକର୍ଷଣୀୟ ଦେଖାଯାଉଛି। ବଜାରରେ ଉପଲବ୍ଧ ହୋଇ ନଥିଲେ ବି ଏହି ଟଙ୍କାକୁ ପାଖରେ ରଖିବା ପାଇଁ ଲୋକଙ୍କ ମନରେ ଉତ୍ସାହ ମଧ୍ୟ ଦେଖାଯାଇଛି।

୭୫ ଟଙ୍କିଆ କଏନ୍‌ ସ୍ମାରକୀ ମୁଦ୍ରା ହୋଇଥିବାରୁ ଏହି କଏନ୍‌କୁ ପାଖରେ ରଖିବାକୁ ସମସ୍ତେ ଆଗ୍ରହୀ ‌ହେବେ। ତେବେ ଏହି କଏନ୍‌ ସମସ୍ତଙ୍କୁ ମିଳିପାରିବ କି ନାହିଁ ତାହା ପରବର୍ତ୍ତୀ ସମୟରେ ଜଣାପଡ଼ିବ। କାରଣ ସ୍ମାରକୀ କଏନ ଲୋକଙ୍କ ଚାହିଦାକୁ ଦେଖି ପ୍ରସ୍ତୁତ ହୁଏ ନାହିଁ। ଏହା କେବଳ ସ୍ମାରକୀ ଭାବେ ସ୍ପଳ୍ପ ସଂସ୍କରଣରେ ପ୍ରସ୍ତୁତ ହୋଇଥାଏ। କିନ୍ତୁ ୭୫ ଟଙ୍କିଆ ମୁଦ୍ରା ଦେଶରେ ବର୍ତ୍ତମାନ ଅଡ୍‌ ନମ୍ବରରେ ପ୍ରଚଳିତ ହେଉଥିବା ଏହା ହେଉଛି ତୃତୀୟ କଏନ୍‌। ୭୫ ଟଙ୍କିଆ କଏନ୍‌ ପୂର୍ବରୁ ଦେଶରେ ଅଡ୍‌ ନମ୍ବର ସମ୍ବଳିତ ୧ ଟଙ୍କିଆ ଓ ୫ଟଙ୍କିଆ କଏନ୍‌ ପ୍ରଚଳିତ ହେଉଛି। ଉଭୟ ୧ ଓ ୫ ଟଙ୍କିଆ କଏନ୍ ଲୋକପ୍ରିୟତା ହାସଲ କରିଛି। ବିଶେଷ ଭା‌ବରେ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ପାଇଁ ଏହି ୧ ଓ ୫ଟଙ୍କିଆ କଏନ୍‌ ଅତ୍ୟାବଶ୍ୟକ ହୋଇପାରିଛି। ସେହିପରି ଚା’ ଦୋକାନ, ପାନ ଦୋକାନ ଓ ଜଳଖିଆ ଦୋକାନରେ ମଧ୍ୟ ଏହି ୨ ପ୍ରକାରର କଏନ୍‌ର ଚାହିଦା ରହିଛି।

କେବଳ ସେତିକି ନୁହେଁ। ଛୋଟ ପିଲାମାନେ ବଡ଼ ନୋଟ୍‌ର ମୂଲ୍ୟ ଜାଣି ନଥିବାରୁ ସେମାନଙ୍କୁ କଏନ୍‌ଟିଏ ଦେଲେ ବହୁତ ଖୁସି ହୋଇଥାନ୍ତି, ଯେଉଁ କଏନ୍‌ ସମୂହରେ ସାମିଲ ରହିଛି ୧ ଓ ୫ ଟଙ୍କିଆ। ପିଲାମାନେ ୧ ଟଙ୍କିଆ କଏନ୍‌ ଗୋଟିଏ ପାଇଗଲେ ଖୁସିରେ ‌ଡିଆଁ ମାରନ୍ତି। ପାଖ ଦୋକାନକୁ ଯାଇ ଚକଲେଟ୍‌ କିଣି ଖାଇଥାନ୍ତି। ୫ଟଙ୍କିଆ କଏନ୍‌ରେ ବିସ୍କୁଟ୍‌, ମିକ୍ଚର ଆଦି ସାମଗ୍ରୀ ମିଳି ଯାଉଛି। ସେହିପରି ଏହି କଏନ୍‌ ମାଧ୍ୟମରେ ପାନ ମସଲା, ଦିଆସିଲି ଭଳି ଛୋଟ ଜିନିଷ କିଣାଯାଇପାରୁଛି। ଲୋକେ ମନ୍ଦିରର ଦାନ ବାକ୍ସ ହେଉ କି ମନ୍ଦିର ବାହାରେ ବସିଥିବା ଭିକାରୀମାନଙ୍କୁ ମଧ୍ୟ ଏହି କଏନ୍‌ ଦେଇଥାନ୍ତି।

ରବିବାର ଜାରି ହୋଇଥିବା ୭୫ ଟଙ୍କିଆ ମୁଦ୍ରାର ଓଜନ ୩୪.୬୫ରୁ ୩୫.୩୫ ଗ୍ରାମ୍‌। ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତିକୁ ମନେ ରଖିବା ପାଇଁ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସ୍ୱତନ୍ତ୍ର ଭାବେ ୭୫ ଟଙ୍କିଆ କଏନ ଜାରି କରାଯାଇଛି। ଏହି କଏନରେ ସଂସଦର ନୂଆ କୋଠାର ଛବି ରହିଛି। ଦେବନାଗରୀ ଲିପିରେ କଏନର ଉପର ପାର୍ଶ୍ୱରେ ସଂସଦ ସଙ୍କୁଳ ଓ ନିମ୍ନ ପାର୍ଶ୍ୱରେ ଇଂରାଜୀରେ ସଂସଦ କମ୍ପ୍ଲେକ୍ସ ଉଲ୍ଲେଖ ହୋଇଛି।  ସେହିଭଳି ଅଶୋକ ସ୍ତମ୍ଭ ତଳେ ଟଙ୍କାର ଚିହ୍ନ ଓ ଇଂରାଜୀରେ ୭୫ ଲେଖା ହୋଇଛି। ଏହି କଏନରେ ୫୦% ରୂପା, ୪୦% ତମ୍ବା, ୫% ନିକେଲ ଓ ୫% ଜିଙ୍କ ରହିଛି।

ଭାରତରେ ଏପର୍ଯ୍ୟନ୍ତ, ୧, ୨, ୫, ୧୦, ୨୦, ୨୫ ଓ ୫୦ ପଇସା କଏନ ପ୍ରଚଳିତ ହୋଇସାରିଛି। ଏଗୁଡ଼ିକ ଏବେ ଆଉ ପ୍ରଚଳିତ ହୋଇ ରହିନାହିଁ। ୭୫ ଟଙ୍କିଆ କଏନ୍‌ ବ୍ୟତୀତ ୧, ୨, ୫, ୧୦ ଓ ୨୦ ଟଙ୍କିଆ କଏନ୍‌ ପ୍ରଚଳିତ ଅଛି।

ସଂକ୍ଷେପରେ ୧ ଟଙ୍କିଆ କଏନ୍‌

ଅର୍ଥ ମନ୍ତ୍ରାଳୟ ଦ୍ବାରା ୧୯୫୦ ମସିହାରୁ ପ୍ରଚଳିତ ହୋଇ ଆସୁଥିବା ୧ ଟଙ୍କିଆ ନୋଟ୍‌ ଗୋଲାକାର। ଏହାର ଓଜନ ୩.୭୬ ଗ୍ରାମ। ଏହାର ବ୍ୟାସ ୨୧.୯୩। ୧୯୯୨ ମସିହା ଠାରୁ ୧ ଟଙ୍କିଆ ନୋଟ ଷ୍ଟେନଲେସ ଷ୍ଟିଲରୁ ପ୍ରସ୍ତୁତି ହେଉଛି।

୫ଟଙ୍କିଆ କଏନ୍‌ ବାବଦରେ କିଛି ଜାଣନ୍ତୁ

ଗୋଲାକାର ୫ଟଙ୍କିଆ କଏନ୍‌ ପ୍ରସ୍ତୁତି ପାଇଁ କପ୍ରୋ-ନିକେଲ ବ୍ୟବହାର ହୋଇଥାଏ। ୧୯୪୯ ମସିହାରୁ ପ୍ରଚଳିତ ଏହି କଏନ୍‌ର ହାରାହାରୀ ବ୍ୟାସ ୨୩ ମିଟର ଏବଂ ଓଜନ ୫.୩ ଗ୍ରାମ। ୨୦୦୫ ମସିହାରେ ୧୦ ଟଙ୍କିଆ କଏନ୍‌ ଜାରି ହେବା ପୂର୍ବରୁ ୫ ଟଙ୍କିଆ କଏନ୍‌ ସବୁଠାରୁ ବଡ଼ କଏନ୍‌ ଭାବେ ଜଣାଶୁଣା ଥିଲା। ବିଭିନ୍ନ ସମୟରେ ଏହି କଏନ୍‌ର ଡିଜାଇନ୍‌ ସ୍ବତନ୍ତ୍ର ରହିଆସିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହରୁ ଓ ଇନ୍ଦିରା ଗାନ୍ଧିଙ୍କ ଶତଜନ୍ମବାର୍ଷିକୀ ଅବସରରେ ୫ ଟଙ୍କିଆ କଏନ୍‌ର ସ୍ବତନ୍ତ୍ର ଡିଜାଇନ ପ୍ରସ୍ତୁତି ହୋଇଥିଲା। ତଥ୍ୟ ଅନୁସାରେ ଏପର୍ଯ୍ୟନ୍ତ ୫୮ ପ୍ରକାରର ୫ଟଙ୍କିଆ କଏନ୍‌ ପ୍ରଚଳିତ ହୋଇସାରିଛି। ମାତ୍ର ବାଂଲାଦେଶୀମାନଙ୍କ ଦ୍ବାରା ବେଆଇନ ଚାଲାଣ କାରଣରୁ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏଥିରୁ କିଛି କଏନ୍‌କୁ ବନ୍ଦ କରିଦେଇଛି।

ସମ୍ବନ୍ଧିତ ଖବର