ଲକ୍‌ଡାଉନ୍ କ୍ଷତ ଶୁଖିବାକୁ ବର୍ଷ ବର୍ଷ ଲାଗିବ, ଅପହଞ୍ଚ ଅଞ୍ଚଳରେ ପହଞ୍ଚିବ ପିଓଏସ୍‌ ମେସିନ୍

୫୦୦ କୋଟିର ପାଣ୍ଠି ଗଠନ

ନୂଆଦିଲ୍ଲୀ: କରୋନା ସଙ୍କଟ ମୁକାବିଲା ଲାଗି ଘୋଷଣା କରାଯାଇଥିବା ଲକ୍‌ଡାଉନ୍ ପ୍ରଭାବରେ ଅର୍ଥନୀତିକୁ ଯେଉଁ କ୍ଷତି ପହଞ୍ଚିଛି ତାହା ଭରଣା ହେବା ଲାଗି ବର୍ଷ ବର୍ଷ ସମୟ ଲାଗିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଭାବୁଛି। କିଛି ଦିନ ତଳେ ଅନୁଷ୍ଠିତ ହୋଇଥିବା ମୁଦ୍ରାନୀତି ବୈଠକରେ ଲକ୍‌ଡାଉନ୍‌କୁ ନେଇ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଗଭୀର ଚିନ୍ତା ପ୍ରକଟ କରିଥିଲେ। ଆରମ୍ଭରୁ ଯେଭଳି ଆକଳନ କରାଯାଉଥିଲା ଲକ୍‌ଡାଉନ୍‌ର ପ୍ରଭାବ ତା’ଠାରୁ ଯଥେଷ୍ଟ ଅଧିକ ହୋଇଥିବା ସେ କହିଥିଲେ। ଅର୍ଥନୀତିରେ କେବଳ କୃଷି ହିଁ ଏକମାତ୍ର ଆଶ୍ବସ୍ତିର କ୍ଷେତ୍ର ବୋଲି ସେ ବୈଠକରେ କହିଥିଲେ। ଚଳିତ ଆର୍ଥିକ ବର୍ଷରେ (୨୦୨୦-୨୧) ଅଭିବୃଦ୍ଧି ଋଣାତ୍ମକ ହେବ ବୋଲି ରିଜର୍ଭ ବ୍ୟାଙ୍କ ଆକଳନ କରିଛି। ଯେତେ‌ ଶୀଘ୍ର ଲକ୍‌ଡାଉନ୍ କଟକଣା ପ୍ରତ୍ୟାହାର ହେବ ଅର୍ଥନୀତିରେ ସେତେ ଶୀଘ୍ର ସୁଧାର ହେବ ବୋଲି ଶକ୍ତିକାନ୍ତ କହିଛନ୍ତି। ଅର୍ଥନୀତିକୁ ଆବଶ୍ୟକ ସହାୟତା‌ ଦେବା ଲାଗି ଏମ୍‌ପିସିର ସଂଖ୍ୟା ଗରିଷ୍ଠ ସଦସ୍ୟ ରେପୋ ହାରରେ ୦.୪୦ ପ୍ରତିଶତ ହ୍ରାସ କରିବା ସପକ୍ଷରେ ଭୋଟ୍ ଦେଇଥିଲେ। କିନ୍ତୁ ଚେତନ ଘଟେ ଚାହୁଥିଲେ ରେପୋ ହାରରେ ୦.୨୫ ପ୍ରତିଶତ ହ୍ରାସ ହେଉ। ଏମ୍‌ପିସିର ସଦସ୍ୟ ପମି ଦୁଆ, ରବିନ୍ଦ୍ର ଢୋଲକିଆ, ଜନକ ରାଜ ଓ ମାଇକେଲ୍ ଦେବବ୍ରତ ପାତ୍ର କରୋନା ସଙ୍କଟର ପ୍ରଭାବକୁ ନେଇ ଚିନ୍ତା ପ୍ରକଟ କରିଥିଲେ।

ଅପହଞ୍ଚ ଅଞ୍ଚଳରେ ପହଞ୍ଚିବ ପିଓଏସ୍‌ ମେସିନ୍
ମୁମ୍ବାଇ: ଦେଶର ଛୋଟ ସହର ଓ ନଗର ସମେତ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଡିଜିଟାଲ୍‌ ପେମେଣ୍ଟ୍‌ ଭିତ୍ତିଭୂମିରେ ଉନ୍ନତି ଆଣିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ଫଣ୍ଡ୍‌ ସ୍ଥାପନ କରିଛନ୍ତି। ତାହାର ନାମ ହେଉଛି ‌‘ପେମେଣ୍ଟ୍‌ ଇନଫ୍ରାଷ୍ଟ୍ରକ୍‌ଚର୍‌ ଡେଭେଲପ୍‌ମେଣ୍ଟ୍‌ ଫଣ୍ଡ୍‌ (ପିଆଇଡିଏଫ୍)। ଦେଶର ଯେଉଁ ସବୁ ସ୍ଥାନରେ ଡିଜିଟାଲ୍‌ ପେମେଣ୍ଟ୍‌ ଗ୍ରହଣ କରିବାର ଭିତ୍ତିଭୂମି ନାହିଁ ସେହି ସବୁ ସ୍ଥାନରେ ପିଓଏସ୍‌ ମେସିନ୍‌ ଓ ଡିଜିଟାଲ୍‌ ବ୍ୟବସ୍ଥା ମୂତୟନ କରାଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ଫଣ୍ଡ୍‌ରେ ୫୦୦ କୋଟି ଟଙ୍କା ରହିବ। ରିଜର୍ଭ ବ୍ୟାଙ୍କ ୨୫୦ କୋଟି ଟଙ୍କା ଦେବ ଏବଂ ବଳକା ଅର୍ଥରାଶି କାର୍ଡ ଜାରି କରୁଥିବା ବ୍ୟାଙ୍କ ଓ କାର୍ଡ ନେଟ୍‌ୱର୍କ ସହ ଜଡ଼ିତ ଥିବା କଂପାନିଗୁଡ଼ିକ ଦେବେ। ପରିଚାଳନା ଖର୍ଚ୍ଚ ମଧ୍ୟ କାର୍ଡ ଜାରି କରୁଥିବା ବ୍ୟାଙ୍କ ଓ ସେହି ନେଟ୍‌ୱର୍କ ସହିତ ଜଡ଼ିତ ଥିବା ସଂସ୍ଥା ବହନ କରିବେ। ଯଦି ଦରକାର ପଡ଼ିବ ତେବେ ରିଜର୍ଭ ବ୍ୟାଙ୍କ ମଧ୍ୟ ବାର୍ଷିକ ଭିତ୍ତିରେ କିଛି କିଛି ପାଣ୍ଠି ଦେବ। ଏହି ପାଣ୍ଠି ଏକ ପରାମର୍ଶଦାତା ପରିଷଦ ଦ୍ବାରା ରିଜର୍ଭ ବ୍ୟାଙ୍କ ଅଧୀନରେ ପରିଚାଳିତ ହେବ।

ସମ୍ବନ୍ଧିତ ଖବର