ଭୁବନେଶ୍ବର: ରାଜ୍ୟର ବଜେଟ୍ ଆକାର ପ୍ରତିବର୍ଷ ବଢ଼ୁଛି। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସରକାର ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ୍ ଗତମାସରେ ଉପସ୍ଥାପନ କରିଛନ୍ତି। କିନ୍ତୁ ଆର୍ଥିକବର୍ଷ ଶେଷବେଳକୁ ଏହି ଅର୍ଥ ଖର୍ଚ୍ଚ ହେବ କି ନାହିଁ ସେ ନେଇ ସନ୍ଦେହ ରହିଛି। କାରଣ ଗତ କିଛିବର୍ଷର ବଜେଟ୍ରେ ହୋଇଥିବା ବ୍ୟୟବରାଦ ଏବଂ ବାସ୍ତବ ଖର୍ଚ୍ଚ ଉପରେ ନଜର ପକାଇଲେ ଏଭଳି ପ୍ରଶ୍ନ ମନରେ ଉଙ୍କି ମାରିବା ସ୍ବାଭାବିକ। ୨୦୨୦-୨୧ରେ ରାଜ୍ୟ ସରକାର ଦେଢ଼ ଲକ୍ଷ କୋଟି ଟଙ୍କାର ବଜେଟ୍ ଆଗତ କରିଥିଲେ। କିନ୍ତୁ ବାସ୍ତବ ଖର୍ଚ୍ଚ ହୋଇଥିଲା ୧ ଲକ୍ଷ ୨୪ ହଜାର ୧୦୯ କୋଟି। ୨୦୨୧-୨୨ରେ ବଜେଟ୍ର ଆକାର ୧ ଲକ୍ଷ ୭୦ ହଜାର କୋଟି ଥିବାବେଳେ ଖର୍ଚ୍ଚ ହୋଇଥିଲା ୧ ଲକ୍ଷ ୫୩ ହଜାର ୭୯୭ କୋଟି। ୨୦୨୨-୨୩ରେ ବଜେଟ୍ ଆକାର ୨ ଲକ୍ଷ କୋଟି ରହିଥିଲେ ମଧ୍ୟ ବାସ୍ତବ ଖର୍ଚ୍ଚ ୧ ଲକ୍ଷ ୮୦ ହଜାର ୪୪୦ କୋଟି ରହିଥିଲା। ୨୦୨୦-୨୧ରେ ମୋଟ ବଜେଟ୍ର ୧୭.୨୬ ପ୍ରତିଶତ ଖର୍ଚ୍ଚ ହୋଇ ପାରି ନଥିବାବେଳେ ୨୦୨୧-୨୨ରେ ୯.୫୩ ପ୍ରତିଶତ ଏବଂ ୨୦୨୨-୨୩ରେ ୯.୮ ପ୍ରତିଶତ ଖର୍ଚ୍ଚ ହୋଇ ପାରି ନଥିଲା। ସିୱାଇଏସ୍ଡି ପକ୍ଷରୁ ଆଜି ଆୟୋଜିତ ୨୦୨୪-୨୫ ବଜେଟ୍ ପରବର୍ତ୍ତୀ ଆଲୋଚନାରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ବଜେଟ୍ରେ ହେଉଥିବା ବ୍ୟୟବରାଦକୁ କିଭଳି ଅଧିକରୁ ଅଧିକ ମାତ୍ରାରେ ଖର୍ଚ୍ଚ କରାଯାଇପାରିବ ଏବଂ ସେହି ଖର୍ଚ୍ଚର ଗୁଣବତ୍ତା ଠିକ୍ ରହିବ ତାହା ଉପରେ ବିଶେଷଜ୍ଞମାନେ ଗୁରୁତ୍ବାରୋପ କରିଛନ୍ତି।
ଏଥିସହିତ ୨୦୨୪-୨୫ ବଜେଟ୍ ଆକଳନରେ ରାଜ୍ୟର ନିଜସ୍ବ ଆୟ (ଉଭୟ ଟିକସ ଓ ଅଣଟିକସ) ୧ ଲକ୍ଷ ୧୮ ହଜାର କୋଟି ଟଙ୍କା ରହିବା ନେଇ ଦର୍ଶାଯାଇଛି। ଏଥିରୁ ଟିକସ ରାଜସ୍ବ ୬୦ ହଜାର କୋଟି ଓ ଅଣଟିକସ ରାଜସ୍ବ ୫୮ ହଜାର କୋଟି ଟଙ୍କା ରହିଛି। ନିଜସ୍ବ ଟିକସ କ୍ଷେତ୍ରରେ ଚିନ୍ତାର ବିଷୟ ହେଲା ଗାଡ଼ି ସଂଖ୍ୟା ଛତୁ ଫୁଟିବା ଭଳି ବଢ଼ୁଥିଲେ ମଧ୍ୟ ମୋଟର ଯାନ ଟିକସ ରାଜ୍ୟର ନିଜସ୍ବ ରାଜସ୍ବର ୨.୩ ପ୍ରତିଶତରେ ରହିଛି। ସରକାର ବିଭିନ୍ନ ଯୋଜନାର ବ୍ୟୟବରାଦ ବୃଦ୍ଧି କରିବା ସହିତ କେତେକ ନୂଆ ଯୋଜନା ଘୋଷଣା କରିଥିଲେ ମଧ୍ୟ ଅନେକ ଗୁରୁତ୍ବପୂର୍ଣ୍ଣ ଯୋଜନାର ବ୍ୟୟବରାଦ ହ୍ରାସ କରିଛନ୍ତି। ସେଗୁଡ଼ିକ ମଧ୍ୟରେ ରହିଛି ପିଏମ୍ ପୋଷଣ, ପୋଷଣ ୨.୦, ପିଡିଏସ୍, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା (ଆର୍କେଭିୱାଇ), ଅମଳ ପରବର୍ତ୍ତୀ ପରିଚାଳନା ଓ ବିପଣନ, ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନା (ପିଏମ୍କେଏସ୍ୱାଇ) ଓ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା। ସେହିଭଳି ପାରମ୍ପରିକ କୃଷି ବିକାଶ ଯୋଜନା ପାଇଁ ମଧ୍ୟ ପର୍ଯ୍ୟାପ୍ତ ଅର୍ଥ ଦିଆଯାଇନାହିଁ। ଏଥିସହିତ ସରକାର ପୁଞ୍ଜିବ୍ୟୟ ବଢ଼ାଉଥିବା ବିଷୟ କହୁଥିଲେ ମଧ୍ୟ ତାହାକୁ କିଭଳି ଖର୍ଚ୍ଚ କରାଯାଉଛି ତାହା ମଧ୍ୟ ଗୁରୁତ୍ବପୂର୍ଣ୍ଣ ବୋଲି ମତପ୍ରକାଶ ପାଇଛି। ସରକାର ମାଳମାଳ ଯୋଜନା କରିଛନ୍ତି। ଏସବୁ ଯୋଜନାରେ ହେଉଥିବା ଖର୍ଚ୍ଚର ମାନ କ’ଣ ରହୁଛି ତାହା ଜାଣିବା କଷ୍ଟସାଧ୍ୟ ହେଉଛି। ଯୋଜନାଗୁଡ଼ିକୁ ମିଶାଇ ଏହାର ସଂଖ୍ୟାକୁ ସୀମିତ ରଖିଲେ ସେଗୁଡ଼ିକୁ କାର୍ଯ୍ୟକାରୀ କରିବା ସହଜ ହେବ। ଖର୍ଚ୍ଚର ମାନ ମଧ୍ୟ ଭଲ ରହିବ ଏବଂ ଫଳାଫଳ ଭଲ ମିଳିବ ବୋଲି କୁହାଯାଇଥିଲା।
ଏଥିସହିତ ଓଡ଼ିଶା ଏକ କୃଷିଭିତ୍ତିକ ରାଜ୍ୟ। ତେଣୁ ଗ୍ରାମାଞ୍ଚଳରେ ଯୁବକମାନଙ୍କ ଦକ୍ଷତା ବିକାଶ କୃଷିକୁ କେନ୍ଦ୍ରକରି କରାଯାଇ ପାରିଲେ ସେମାନେ ନିଯୁକ୍ତି ପାଇବା ସହିତ ରାଜ୍ୟ ବାହାରକୁ କାମଧନ୍ଦା ଅନ୍ବେଷଣରେ ଯିବା ବନ୍ଦ ହୋଇପାରନ୍ତା। ଏଥିସହିତ କେବଳ ଖାଦ୍ୟ ସୁରକ୍ଷା ନୁହେଁ, ପୋଷଣ ସୁରକ୍ଷାକୁ ସରକାର ଗୁରୁତ୍ବ ଦେବା ଉଚିତ। ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ପଦବିଗୁଡ଼ିକୁ ପୂରଣ ନେଇ ନିୟମିତ ସମୀକ୍ଷା ହେବା ଉଚିତ। ଶିକ୍ଷା କ୍ଷେତ୍ରରେ ନିଯୁକ୍ତି ବଢ଼ାଇବା ସହିତ ଛାତ୍ରଛାତ୍ରୀଙ୍କ ସଂଖ୍ୟାକୁ ଦେଖି ଶିକ୍ଷକ ନିଯୁକ୍ତି କରିବାକୁ କୁହାଯାଇଛି। ସେହିଭଳି ରାଜ୍ୟରେ ଲୋକମାନଙ୍କର ଆୟୁ ବଢ଼ୁଥିବାରୁ ବୟସ୍କ ଲୋକଙ୍କ ସଂଖ୍ୟା ବଢ଼ୁଛି। ତେଣୁ ବାର୍ଦ୍ଧକ୍ୟବସ୍ଥାରେ ଲୋକଙ୍କ ପାଇଁ ଆବଶ୍ୟକ ହେଉଥିବା ଚିକିତ୍ସା ସେବାକୁ କିଭଳି ବ୍ୟାପକ କରାଯାଇ ପାରିବ ତାହା ଉପରେ ବଜେଟ୍ରେ ସରକାର ଧ୍ୟାନ ଦେଇଥିଲେ ଅନେକ ବୟସ୍କ ଲୋକ ଉପକୃତ ହୋଇଥାନ୍ତେ। ଏହି ଆଲୋଚନାଚକ୍ରରେ ସିୱାଇଏସ୍ଡିର ସହ ପ୍ରତିଷ୍ଠାତା ପ୍ରଫୁଲ୍ଲ କୁମାର ସାହୁ, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଅର୍ଥନୀତି ବିଭାଗର ପ୍ରଫେସର ଅପରାଜିତା ବିଶ୍ବାଳ, ପିଏଚ୍ଏଫଆଇ, ଭୁବନେଶ୍ବରର ପ୍ରଫେସର ସରିତ କୁମାର ରାଉତଙ୍କ ସମେତ ବିଭିନ୍ନ କ୍ଷେତ୍ରର ବ୍ୟକ୍ତିବିଶେଷ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ନାଇଜର ଅର୍ଥନୀତି ବିଭାଗର ପ୍ରଫେସର ଡ. ଅମରେନ୍ଦ୍ର ଦାସ ସଂଚାଳନା କରିଥିବାବେଳେ ସିୱାଇଏସ୍ଡିର ପ୍ରୋଗ୍ରାମ୍ ଡାଇରେକ୍ଟର ବସନ୍ତ କୁମାର ନାୟକ ଧନ୍ୟବାଦ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/budget-203254.jpg)