ଚଳିତ ବର୍ଷ ଦେଶରେ ପ୍ରଚୁର ଆଳୁ ଉତ୍ପାଦନ, ଗତ ବର୍ଷ ତୁଳନାରେ ଦର ୫୦% କମିଲା

ଖାଉଟି ଖୁସ, ଚିନ୍ତାରେ ଚାଷୀ

ନୂଆଦିଲ୍ଲୀ : ଦେଶରେ ଚଳିତ ବର୍ଷ ଆଳୁ ଫସଲ ଭଲ ହୋଇଛି । ଦେଶରେ ପ୍ରଚୁର ଆଳୁ ଉତ୍ପାଦନ ଫଳରେ ଆଳୁ ମୂଲ୍ୟ ଗତବର୍ଷ ତୁଳନାରେ ପ୍ରାୟ ଅଧା କମିଯାଇଛି । ଦର କମିବା ଯୋଗୁଁ ସାଧାରଣ ଖାଉଟି ଶସ୍ତା ଦରରେ ଆଳୁ ପାଉଥିଲେ ମଧ୍ୟ ଚାଷୀ ବିପୁଳ ପରିମାଣରେ କ୍ଷତି ସହୁଛି ।

ସରକାରୀ ତଥ୍ୟରୁ ଜଣାପଡ଼ିଛି ଯେ ମାର୍ଚ୍ଚ ୨୦ରେ ଦେଶର ପ୍ରମୁଖ ଆଳି ଉତ୍ପାଦନକାରୀ ରାଜ୍ୟଗୁଡ଼ିକରେ ଆଳୁଦର ଗତ ବର୍ଷ ତୁଳନାରେ ୫୦ ପ୍ରତିଶତ ହ୍ରାସ ପାଇଛି । ଏପରିକି ଉତ୍ତରପ୍ରଦେଶର ସମ୍ଭଲରେ ହୋଲସେଲ ବଜାରରେ ଆଳୁଦର ଗତ ୩ ବର୍ଷର ହାରାହାରି ଦର କିଲୋଗ୍ରାମ ପିଛା ୬ ଟଙ୍କା ତଳକୁ ଖସିଯାଇଛି । ଗତ ବର୍ଷ ଏହି ସମୟରେ ଆଳୁର ହୋଲସେଲ ମୂଲ୍ୟ ୧୦ ଟଙ୍କା ଉପରେ ଥିଲା ଓ ହୋଲସେଲ ମଣ୍ଡିରେ ତାହା କିଲୋ ପିଛା ୨୩ ଟଙ୍କା ଥିଲା ।

ସେହିପରି ଖୁଚୁରା ବଜାରରେ ମଧ୍ୟ ଆଳୁ ଦର ହ୍ରାସ ପାଇଛି । ମାର୍ଚ୍ଚ ୨୦ରେ ଆଳୁର ହାରାହାରି ଖୁଚୁରା ମୂଲ୍ୟ କିଲୋଗ୍ରାମ ପିଛା ୧୦ ଟଙ୍କାକୁ ଖସିଆସିଛି, ଯାହାକି ବର୍ଷକ ପୂର୍ବେ କିଲୋଗ୍ରାମ ପିଛା ୨୦ ଟଙ୍କା ଉପରେ ଥିଲା । ଦିଲ୍ଲୀରେ ମାର୍ଚ୍ଚ ୨୦ରେ ଆଳୁ କିଲୋଗ୍ରାମ ପିଛା ୧୫ ଟଙ୍କା ଥିବାବେଳେ ଗତ ବର୍ଷ ଏହି ସମୟରେ ତାହା କିଲୋଗ୍ରାମ ପିଛା ୩୦ ଟଙ୍କା ଥିଲା ।

ସମ୍ବନ୍ଧିତ ଖବର