ଭୁବନେଶ୍ବର : ରାଜ୍ୟର ଜଳାଶୟଗୁଡ଼ିକରୁ ୫୦୦୦ ମେଗାୱାଟ୍ ସୌର ଶକ୍ତି ଉତ୍ପାଦନ ହୋଇପାରିବ ବୋଲି ସବୁଜ ଶକ୍ତି ବିକାଶ ନିଗମ କଂପାନି ଲିମିଟେଡ୍‌ (ଜିଇଡିସିଓଏଲ୍‌)ର ଅଧ୍ୟକ୍ଷ ବିଷ୍ଣୁପଦ ସେଠୀ କହିଛନ୍ତି। ଅଟଳ ଇନକୁବେସନ ସେଣ୍ଟର୍‌ ଓ ନାଳନ୍ଦା ଇନଷ୍ଟିଚ୍ୟୁଟ୍‌ ଅଫ୍ ଟେକ୍ନୋଲୋଜି ଫାଉଣ୍ଡେସନର ମିଳିତ ସହଯୋଗରେ ଆୟୋଜିତ ଜାତୀୟ ସୌର ଶକ୍ତି କନ୍‌କ୍ଲେଭ୍-୨୦୨୦ର ଉଦଯାପନି ଉତ୍ସବ‌ରେ ଅତିଥି ଭାବେ ଯୋଗ ଦେଇ ସେ ଏହା କହିଛନ୍ତି।

Advertisment

ଶ୍ରୀ ସେଠୀ କହିଛନ୍ତି ଯେ ଷ୍ଟାର୍ଟଅପ୍ ଓ ଉଦ୍ୟୋଗୀମାନଙ୍କ ପାଇଁ ୭ ପ୍ରକାର ସୁପାରିସ କରାଯାଇଛି। ସେମାନେ କମ୍ପାକ୍ଟ ଫଟୋଭୋଲଟାଇଜ୍ ପ୍ୟାନେଲ୍ ବିକଶିତ କରିବା, ଦୃଢ଼ ତଥା ସୁଲଭ ବ୍ୟାଟେରି ପାଇଁ ଷ୍ଟୋରେଜ୍ ଜ୍ଞାନକୌଶଳ ବିକଶିତ କରିବା, ଉଚ୍ଚ ମାନର ସୌର ଉପକରଣ, ସୌର ପ୍ୟାନେଲ୍‌ଗୁଡ଼ିକ ଅଭିନବ ଢଙ୍ଗରେ ନିୟୋଜିତ କରିବା, ସୌର ପ୍ୟାନେଲ୍ ଓ ଉପକରଣଗୁଡ଼ିକର ରକ୍ଷଣାବେକ୍ଷଣ, ସୁଲଭ ମୂଲ୍ୟର ରୁଫ୍ ଟପ୍ ସୋଲାର ସିଷ୍ଟମ୍, ଜଳସେଚନ ପାଇଁ ମାଇକ୍ରୋ ଓ ମିନି ପମ୍ପସେଟ୍ ତିଆରି କରିବା, ୱାଟର ପ୍ୟୁରିଫାୟାର, ୱାଟର ହିଟର, ସୋଲାର କୁକର, ସୋଲାର ହୋମ୍ ଲାଇଟିଂ, ମାଇକ୍ରୋ ସୋଲାର ଗ୍ରିଡ୍‌ ଏବଂ ସୌର ଶକ୍ତି ଦ୍ବାରା ପରିଚାଳିତ ଖେଳନା ଆଦି ବିକଣିତ କରିପାରିବେ। ଏହି ଅବସରରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାର ଯୁଗ୍ମ ସଚିବ ଅଜୟ ନାୟକ ଉନକୁବେସନ କେନ୍ଦ୍ରଗୁଡ଼ିକର ପ୍ରୋତ୍ସାହନ ପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକ ବିଷୟରେ ଆଲୋଚନା କରିଛନ୍ତି। ନାଲ୍‌କୋର ପୂର୍ବତନ ସିଏମ୍‌ଡି ତଥା ଏଆଇସି-ଏନ୍‌ଆଇଟିଏଫ୍‌ର ଡିଜି ଡକ୍ଟର ତପନ କୁମାର ଚାନ୍ଦ କହିଛନ୍ତି ଯେ ସୌର ଉପକରଣ ଓ ଯନ୍ତ୍ରପାତି ଏବଂ ଲିଥିୟମ ଆୟନ ବ୍ୟାଟେରି ତିଆରି କରିବା ଲାଗି ଉଦ୍ୟୋଗୀମାନଙ୍କ ନିମନ୍ତେ ଓଡ଼ିଶା ପସନ୍ଦର ସ୍ଥାନ ହୋଇପାରେ ବୋଲି ସେ କହିଛନ୍ତି।