ଆର୍‌ଆଇଡିଏଫ୍‌ ପାଣ୍ଠି ବିନିଯୋଗରେ ଓଡ଼ିଶା ଅଗ୍ରଣୀ: ରାଜ୍ୟରେ ଦାରିଦ୍ର୍ୟ ୨୪% କମିଛି

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନାବାର୍ଡ ଅଧ୍ୟକ୍ଷ

ଭୁବନେଶ୍ବର: ରାଜ୍ୟରେ ଗତ ଦଶନ୍ଧି ମଧ୍ୟରେ ଦାରିଦ୍ର୍ୟ ହାର ୨୪% କମିଛି, ଯାହାକି ସମଗ୍ର ଦେଶରେ ସର୍ବାଧିକ। ଏହା ଫଳରେ ପ୍ରାୟ ୮ ନିୟୁତରୁ ଅଧିକ ଲୋକଙ୍କୁ ଦାରିଦ୍ର୍ୟ-ଶୃଙ୍ଖଳରୁ ମୁକ୍ତ କରାଯାଇ ପାରିଛି। ଆସୋଚାମ୍ ରିପୋର୍ଟ ୨୦୧୭ ଅନୁସାରେ ପୁଞ୍ଜିନିବେଶ ପ୍ରକଳ୍ପ କାର୍ଯ୍ୟାନ୍ବୟନ ହାରରେ ରାଜ୍ୟ ପ୍ରଥମ ସ୍ଥାନ ପାଇଛି । ବର୍ତ୍ତମାନ ଦେଶର ସର୍ବଶ୍ରେଷ୍ଠ ତିନି ପୁଞ୍ଜିନିବେଶ ରାଜ୍ୟ ମଧ୍ୟରୁ ଓଡ଼ିଶା ଗୋଟିଏ। ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆଜି ରାଜ୍ୟ ସରକାର ଓ ନାବାର୍ଡର ମିଳିତ ବୈଠକରେ ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ଶ୍ରୀ ମହାପାତ୍ର କହିଥିଲେ ଯେ ଇତି ମଧ୍ୟରେ ରାଜ୍ୟର ଶତ ପ୍ରତିଶତ ଗ୍ରାମକୁ ବିଦ୍ୟୁତ ସଂଯୋଗକରାଯାଇଛି।

ଗ୍ରାମୀଣ ରାସ୍ତା, ଆବାସ, କୃଷକ ସଶକ୍ତୀକରଣ, ମହିଳା ସଶକ୍ତୀକରଣ ଏବଂ କୌଶଳ ବିକାଶ ଆଦି କ୍ଷେତ୍ରରେ ଓଡ଼ିଶା ବର୍ତ୍ତମାନ ଏକ ଆଗୁଆ ରାଜ୍ୟ। କୋଭିଡ୍ ପରବର୍ତ୍ତୀ ସ୍ଥିତିରେ ଗ୍ରାମାଞ୍ଚଳରେ ନୂତନ ରୋଜଗାର ସୁବିଧା ସୃଷ୍ଟି, ବ୍ୟବସାୟ ଭିତ୍ତିକ କୃଷି, ସାମାଜିକ ଭିତ୍ତିଭୂମି, କୃଷି-ବ୍ୟବସାୟ, ଜଳ ସେଚନ, ଖାଦ୍ୟ ପ୍ରକ୍ରିୟାକରଣ, ଗମନାଗମନ ବିକାଶ ଆଦି କ୍ଷେତ୍ରରେ ଅଧିକ ପୁଞ୍ଜି ନିବେଶର ଆବଶ୍ୟକତା ରହିଛି । ଏଥିପାଇଁ ନାବାର୍ଡ ସହାୟତା ଓ ଋଣ ବଢ଼ାଇବା ଉପରେ ଶ୍ରୀ ମହାପାତ୍ର ଗୁରୁତ୍ୱ ଆରୋପ କରିଥିଲେ। ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି ଅନ୍ତର୍ଗତ ପ୍ରକଳ୍ପ ଗୁଡ଼ିକର ଶତ ପ୍ରତିଶତ କାର୍ଯ୍ୟକାରିତାରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ବୋଲି ନାବାର୍ଡର ଅଧ୍ୟକ୍ଷ ଡଃ ଜି. ଆର୍‌. ଚିନ୍ତଲା କହିଛନ୍ତି । ରାଜ୍ୟ ସରକାରଙ୍କ ସଂସ୍କାରବାଦୀ ଓ ଦୂରଦର୍ଶୀ ଟିମ୍ କାର୍ଯ୍ୟଧାରା ଯୋଗୁ ଓଡ଼ିଶା ବିଗତ ଦଶନ୍ଧି ମଧ୍ୟରେ ଏକ ବଡ ଶିଳ୍ପ ଓ ବ୍ୟବସାୟ ଭିତ୍ତିରେ ରାଜ୍ୟରେ ପରିଣତ ହୋଇଛି ବୋଲି ସେ କହିଛନ୍ତି। ବୈଠକରେ ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା ଯୋଗଦେଇ ରାଜ୍ୟରେ ବିପର୍ଯ୍ୟୟ ନିରୋଧୀ ଭିତ୍ତିଭୂମି ସ୍ଥାପନ ପାଇଁ ନାବାର୍ଡ ଅଧିକ ସହାୟତା ଦେବା ଉପରେ ଗୁରୁତ୍ବ ଦେଇଥିଲେ।

ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବବିଶାଳ କୁମାର ଦେବ ରାଜ୍ୟର ସମସ୍ତ ଗ୍ରାମ ପଂଚାୟତରେ ବ୍ୟାଙ୍କ ଶାଖା ବା ବ୍ୟାଙ୍କ୍‌ ପ୍ରତିନିଧି ନିୟୋଜନ ଆଦି ଉପରେ ଗୁରୁତ୍ୱରୋପ କରି ନାବାର୍ଡ ଆର୍ଥିକ-ସଂପୃକ୍ତୀକରଣ ପାଣ୍ଠି ବିନିଯୋଗ ବଢାଇବା ପାଇଁ କହିଥିଲେ। ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ ନାବାର୍ଡର ଗ୍ରାମୀଣ ଭିତ୍ତିଭୂମି ପାଣ୍ଠି, ଦୀର୍ଘ ମିଆଦୀ ଜଳସେଚନ ପାଣ୍ଠି, ଗ୍ରାମାଞ୍ଚଳ ଭିତ୍ତିଭୂମି ନିମନ୍ତେ ରାଜ୍ୟକୁ ସହଯୋଗ ଆଦି ପାଣ୍ଠିରେ ପ୍ରାୟ ୧୦,୦୦୦ କୋଟି ଟଙ୍କାର ପ୍ରକଳ୍ପ ତ୍ୱରିତ ଗତିରେ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ପୂର୍ଣ୍ଣ ପ୍ରସ୍ତୁତ ଅଛି । ନାବାର୍ଡ ଋଣ ସହାୟତା ୧୦ ହଜାର କୋଟିକୁ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ନାବାର୍ଡ ଅଧ୍ୟକ୍ଷଙ୍କୁ ଅନୁରୋଧ କରାଯାଇଥିଲା। ଉତ୍ତରରେ ଡଃ ଚିନ୍ତଲା କହିଥିଲେ ଯେ ରାଜ୍ୟରେ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ନାବାର୍ଡ ନିଜ ତରଫରୁ ସମସ୍ତ ପ୍ରକାର ସହଯୋଗ କରିବ ।

ଭୁବନେଶ୍ବର: ନାବାର୍ଡ ଅଧ୍ୟକ୍ଷ ଡ ଜି ଆର୍‌ ଚିନ୍ତଲା ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହିତ ସେ ରାଜ୍ୟରେ ଗ୍ରାମୀଣ ଭିତ୍ତିଭୂମିକୁ ସୁଦୃଢ଼ କରିବା ଉପରେ ଆଲୋଚନା କରିଛନ୍ତି। ଆରଆଇଡିଏଫ ଏବଂ ଏଲଟିଆଇଏଫ ଜରିଆରେ ନାବାର୍ଡ ରାଜ୍ୟକୁ କମ୍ ସୁଧ ହାରରେ ପାଣ୍ଠି ଯୋଗାଇ ଦେବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ। ନୂଆକରି ଆରମ୍ଭ ହୋଇଥିବା ରାଜ୍ୟଗୁଡ଼ିକୁ ଗ୍ରାମୀଣ ଭିତ୍ତିଭୂମି ସହାୟତା (ଆରଆଇଏଏସ) ଯୋଜନାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ। ଏହାଦ୍ବାରା ରାଜ୍ୟର ଅନେକ ‌ସଡ଼କ ଏବଂ ପୋଲ ପ୍ରକଳ୍ପକୁ ପାଣ୍ଠି ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ। ସେହିଭଳି ଆରଆଇଡିଏଫ ପାଣ୍ଠି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ। ଆଲୋଚନା ସମୟରେ ୫-ଟି ସଚିବ ଭି କେ ପାଣ୍ଡିଆନ୍ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର