ଭୁବନେଶ୍ୱର: ବୟସ ମାତ୍ର ୨୫ ବର୍ଷ। ନିଜକୁ ଜଣେ ସଫଳ ଉଦ୍ୟୋଗୀ ଭାବେ ପ୍ରତିଷ୍ଠିତ କରିପାରିଛନ୍ତି ସୁଶାନ୍ତ ପଟ୍ଟନାୟକ। ତାଙ୍କ ଘର ଆଚାର୍ଯ୍ୟ ବିହାରରେ। ‘ଆଇ ଥିଙ୍କ୍’ ନାମକ ସଂସ୍ଥାର ସେ ହେଉଛନ୍ତି ସହ ପ୍ରତିଷ୍ଠାତା। ଏହି ସଂସ୍ଥା ଅଧୀନରେ ଥିବା ଇନ୍ ଥିଙ୍କ୍ ଗ୍ୟାଡ୍ଜେଟ୍ ପ୍ରାଇଭେଟ୍ ଲିମିଟେଡ୍ ଖୁବ୍ଶୀଘ୍ର ଓଡ଼ିଶା ବଜାରରେ ଏହାର ଦୁଇଟି ଅଭିନବ ଉତ୍ପାଦ ପାଓ୍ଵାର ବ୍ୟାଙ୍କ ଓ ଇନଭର୍ଟର ବଲ୍ବ ବିକ୍ରି କରିବାକୁ ପ୍ରସ୍ତୁତ ହେଉଛି। ଉତ୍ତର ପୂର୍ବାଞ୍ଚଳରେ ଥିବା ସାତଟି ରାଜ୍ୟରେ ପାଓ୍ଵାର ବ୍ୟାଙ୍କ ବିକ୍ରି ହେଉଛି। ଶୋଲ୍-କା ନାମକ ଏହି ପାଓ୍ଵାର ବ୍ୟାଙ୍କର ବିଶେଷତ୍ୱ ହେଉଛି ଏହାକୁ ଚାର୍ଜ କରିବାକୁ ପଡ଼ିବନି। ଯେ କୌଣସି ପ୍ରକାର ଆଲୋକରେ ଏହା ଚାର୍ଜ ହୋଇଯିବ।
ଏଥିରେ ଏକ ଅତ୍ୟାଧୁନିକ ସୋଲାର୍ ପ୍ୟାନେଲ୍ ରହିଛି ଯାହା ଯେକୌଣସି ପ୍ରକାର ଆଲୋକ ଦ୍ୱାରା ଚାର୍ଜ ହୋଇପାରିବ। କଂପାନି ୨୦୦୦ ଏମ୍ଏଏଚ୍ର ପାଓ୍ଵାର ବ୍ୟାଙ୍କ ଉତ୍ପାଦନ କରୁଛି। ଇନଫୋସିଟିଠାରେ ଥିବା ୟୁନିଟ୍ରେ ସେଗୁଡ଼ିକୁ ଉତ୍ପାଦନ କରାଯାଉଛି। ପାଓ୍ଵାର ବ୍ୟାଙ୍କର ଦୁଇଟି ମଡେଲ୍ ରହିଛି। ଗୋଟିଏର ମୂଲ୍ୟ ୩୫୦୦ ଟଙ୍କା ଓ ଅନ୍ୟଟିର ଦର ୭୦୦୦ ଟଙ୍କା ରହିଛି। ସାତ ହଜାର ଟଙ୍କିଆ ପାଓ୍ଵାର ବ୍ୟାଙ୍କରେ ମୋବାଇଇ୍ ସିମ୍ ଓ ଏସ୍ଡି କାର୍ଡ ବ୍ୟବହାର କରାଯାଇପାରିବ। ସେହିପରି କଂପାନିର ଅନ୍ୟ ଏକ ଅଭିନବ ଉତ୍ପାଦ ହେଉଛି ଇନଭର୍ଟର ବଲ୍ବ। ଜେନ୍-ଏକ୍ସ ନାମକ ଏହି ବଲ୍ବରେ ମାଇକ୍ରୋ ଇନଭର୍ଟର ବ୍ୟବହାର କରାଯାଇଛି। ସାଧାରଣ ଏଲ୍ଇଡି ବଲ୍ବ ଭଳି ଦେଖାଯାଉଥିବା ଏହି ବଲ୍ବଟି ବିଦ୍ୟୁତ କାଟ ସମୟରେ ୪ ଘଣ୍ଟା ପର୍ଯ୍ୟନ୍ତ ଘରକୁ ଆଲୋକିତ କରିପାରିବ। ଏହା ଭିତରେ ଥିବା ବ୍ୟାଟେରି ଅଧ ଘଣ୍ଟାରେ ଚାର୍ଜ ହୋଇଯିବ। ଏହି ବଲ୍ବକୁ ଲୋକମାନେ ଟର୍ଚ ଭାବେ ମଧ୍ୟ ବ୍ୟବହାର କରିପାରିବେ ବୋଲି ସୁଶାନ୍ତ କହିଛନ୍ତି। ଏହି ବଲ୍ବର ମୂଲ୍ୟ ୨୦୦-୩୦୦ ଟଙ୍କା ଭିତରେ ରହିଛି।
ଆଗାମୀ ଦିନରେ ସୁଶାନ୍ତ ସ୍ମାର୍ଟ ଓ୍ଵାଚ୍ ଆଣିବାକୁ ଯୋଜନା ରଖିଛନ୍ତି। ଏହା ହେଲ୍ଥ ବ୍ୟାଣ୍ଡ୍ ଭଳି କାମ କରିବ। ଏହା ମହିଳାମାନଙ୍କୁ ମଧ୍ୟ ସୁରକ୍ଷା ପ୍ରଦାନ କରିବ। ସେଭଳି ବ୍ୟବସ୍ଥା ଏହି ସ୍ମାର୍ଟ ଓ୍ଵାଚ୍ରେ ରହିବ। ଏହାର ନାମ ସି-ଓ୍ଵାଚ୍ ରଖାଯାଇଛି। ବର୍ତ୍ତମାନ ଏହାର ପରୀକ୍ଷା ନିରୀକ୍ଷା ଚାଲିଛି। ୟୁନିଟ୍-୮ ଡିଏଭି ସ୍କୁଲ୍ରୁ ପାଠ ପଢ଼ିଥିବା ସୁଶାନ୍ତ ଆଇସର୍ ଭୋପାଳରେ ବିଏସ୍ସି ଓ ଓରିଏଣ୍ଟାଲ୍ ବିଶ୍ୱବିଦ୍ୟାଳୟରେ ବି ଟେକ୍ ପାଠ ପଢ଼ିଛନ୍ତି।