ଭାରତର ବିଦ୍ୟୁତ କୂଟନୀତି : ପଡ଼ୋଶୀ ଦେଶକୁ ବିକିବ ବିଜୁଳି, ଚୀନ୍‌ର ପତିଆରା ହ୍ରାସ ପାଇବ

ନୂଆଦିଲ୍ଲୀ : ବିଦ୍ୟୁତ କିଣାବିକାକୁ ନେଇ ଦେଶରେ ଆଜି ଏକ ବୈପ୍ଳବିକ ବ୍ୟବସ୍ଥା ଆରମ୍ଭ ହୋଇଛି। ତାହା ହେଉଛି ‘ରିଅଲ୍‌ ଟାଇମ୍ ମାର୍କେଟ୍‌’ ବ୍ୟବସ୍ଥା। ସେୟାର ଓ ବିଭିନ୍ନ ପ୍ରକାର ସାମଗ୍ରୀ ଭଳି ଏକ୍ସଚେଞ୍ଜ୍‌ରେ ବିଦ୍ୟୁତ କାରବାର ହେବ। କଂପାନିଗୁଡ଼ିକ ଏକ୍ସଚେଞ୍ଜ୍‌ର ନିଲାମ ପ୍ରକ୍ରିୟାରେ ଭାଗ ନେଇ ବିଦ୍ୟୁତ କିଣିପାରିବେ। କିଣିବାର ଘଣ୍ଟାକ ଭିତରେ ସେମାନଙ୍କୁ ବିଦ୍ୟୁତ ମିଳିଯିବ। ଏହା ଦ୍ବାରା ଡିସ୍‌କମ୍‌ ସଂସ୍ଥା ଓ ନିଜସ୍ବ ବ୍ୟବହାର ଲାଗି ବିଦ୍ୟୁତ କିଣୁଥିବା ସଂସ୍ଥାଗୁଡ଼ିକ ଲାଭବାନ ହେବେ। ପୂର୍ବରୁ ଡିସ୍‌କମ୍‌ଗୁଡ଼ିକୁ ଦୀର୍ଘମିଆଦୀ ଚୁକ୍ତି ଆଧାରରେ ନିର୍ଦିଷ୍ଟ କିଛି ସଂସ୍ଥା ଠାରୁ ବିଦ୍ୟୁତ କିଣିବାକୁ ପଡ଼ୁଥିଲା। ବଜାରରେ ସୁଲଭ ମୂଲ୍ୟର ବିଦ୍ୟୁତ ଉପଲବ୍ଧ ଥିଲେ ମଧ୍ୟ ସେମାନେ ତାହା କିଣିପାରୁନଥିଲେ। ତେଣୁ ସେହି ବ୍ୟବସ୍ଥାକୁ ନେଇ ଡିସ୍‌କମ୍‌ଗୁଡ଼ିକ ଅସନ୍ତୁଷ୍ଟ ଥିଲେ। ଏବେ ଆରମ୍ଭ କରାଯାଇଥିବା ନୂତନ ବ୍ୟବସ୍ଥାରେ ବିଦ୍ୟୁତ କିଣାବିକା ପ୍ରକ୍ରିୟାରେ ପାରଦର୍ଶିତା ଆସିବ। ଏହି ବ୍ୟବସ୍ଥାରେ ବଳକା ବିଦ୍ୟୁତର ସଠିକ୍ ଉପଯୋଗ ହୋଇପାରିବ ବୋଲି ଆଶା କରାଯାଉଛି। ଭାରତୀୟ ଶକ୍ତି ଏକ୍ସଚେଞ୍ଜ୍‌ ଓ ପାୱାର ଏକ୍ସଚେଞ୍ଜ୍‌ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ରେ ବିଦ୍ୟୁତ କାରବାର ହେବ। ପ୍ରତିଦିନ ୪୮ଟି ନିଲାମ ଅଧିବେଶନ ଆୟୋଜନ କରାଯିବ। ପ୍ରତି ୧୫ ମିନିଟ୍‌ରେ ଗୋଟିଏ ଲେଖାଏଁ ଅଧିବେଶନ ଆୟୋଜିତ ହେବ। ଆଜି କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀ ଆର୍‌ କେ ସିଂହ ଏହି ବ୍ୟବସ୍ଥାର ଉଦ୍‌ଘାଟନ କରିଛନ୍ତି।

ରିଅଲ ଟାଇମ୍ ମାର୍କେଟ୍‌ ବ୍ୟବସ୍ଥା ହେଉଛି ଭାରତ ସରକାରଙ୍କ ବୃହତ ଶକ୍ତି କୂଟନୈତିକ ପଦକ୍ଷେପର ଏକ ଅଂଶ। ପଡ଼ୋଶୀ ଦେଶ ଯଥା ମିଆଁମାର, ଶ୍ରୀଲଙ୍କା, ନେପାଳ, ଭୁଟାନ ଓ ବାଲାଂଦେଶକୁ ସରକାର ବିଜୁଳି ବିକିବାକୁ ଚାହୁଛନ୍ତି। ସେଥିପାଇଁ ଏକ ‘ଆଞ୍ଚଳିକ ପାୱାର ଗ୍ରିଡ୍‌’ ସ୍ଥାପନ କରିବାର ଯୋଜନା ରହିଛି। ସେହି ଗ୍ରିଡ୍‌ରେ ପଡ଼ୋଶୀ ଦେଶଗୁଡ଼ିକୁ ଯୋଡ଼ାଯିବ। ଏଥିପାଇଁ ବିଡ୍ ଆହ୍ବାନ କରାଯାଇଛି। କେବଳ ପଡ଼ୋଶୀ ଦେଶ ନୁହେଁ ସାରା ବିଶ୍ବ ସହିତ ବିଦ୍ୟୁତ କାରବାର କରିବାକୁ ସରକାର ଯୋଜନା ରଖିଛନ୍ତି। ସେଥିପାଇଁ ବିଶ୍ବ ସ୍ତରୀୟ ଗ୍ରିଡ୍‌ ସ୍ଥାପନ କରାଯିବ। ତିନିଟି ପର୍ଯ୍ୟାୟରେ ଏହି ଯୋଜନା କାର୍ଯ୍ୟକାରୀ ହେବ। ପ୍ରଥମ ପର୍ଯ୍ୟାୟରେ ମଧ୍ୟ ପ୍ରାଚ୍ୟ-ଦକ୍ଷିଣ ଏସିଆ-ଦକ୍ଷିଣ-ପୂର୍ବ ଏସିଆକୁ ସବୁଜ ଶକ୍ତି ଯୋଗାଇ ଦିଆଯିବ। ଦ୍ବିତୀୟ ପର୍ଯ୍ୟାୟରେ ଏହି ଗ୍ରିଡ୍‌କୁ ଆଫ୍ରିକା ସହିତ ଯୋଡ଼ାଯିବ। ଶେଷ ପର୍ଯ୍ୟାୟରେ ବିଶ୍ବ ସ୍ତରରେ ସଂଯୋଗ ପ୍ରଦାନ କରିବାକୁ ଉଦ୍ୟମ କରାଯିବ। ବିଦ୍ୟୁତ କାରବାର ଜରିଆରେ ପଡ଼ୋଶୀ ଦେଶଗୁଡ଼ିକ ସହିତ ସମ୍ପର୍କ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକ୍ଷ୍ୟ ରଖିଛନ୍ତି। ଏହି ଅଞ୍ଚଳରେ ଚୀନ୍‌ର ପତିଆରା ହ୍ରାସ କରିବାରେ ବିଦ୍ୟୁତ କାରବାର ବିଶେଷ ସହାୟକ ହେବ। ଏବେ ଭୁଟାନ ଠାରୁ ଭାରତ ଜଳ ବିଦ୍ୟୁତ ଖରିଦ କରୁଥିବା ବେଳେ ନେପାଳ ଓ ବାଲାଂଦେଶକୁ ବିଦ୍ୟୁତ ବିକ୍ରି କରୁଛି। ଶ୍ରୀଲଙ୍କାକୁ ଏବେ ସେଥିରେ ଯୋଡ଼ିବାକୁ ଉଦ୍ୟମ ହେଉଛି। ଶକ୍ତିକୁ ନେଇ ଭାରତ ଯେଉଁ କୂଟନୈତିକ ଯୋଜନା ପ୍ରସ୍ତୁତ କରିଛି ସେଥିରେ ପଡ଼ୋଶୀ ଦେଶଗୁଡ଼ିକୁ ବିଦ୍ୟୁତ ଶକ୍ତିଠାରୁ ଆରମ୍ଭ କରି ପେଟ୍ରୋଲିୟମ୍ ଉତ୍ପାଦ ପର୍ଯ୍ୟନ୍ତ ବହୁତ କିଛି ଯୋଗାଇବାକୁ ପ୍ରୟାସ କରାଯାଉଛି। ଅନ୍ୟ ଦେଶରେ ଭାରତ ଏଲ୍‌ଏନ୍‌ଜି ଟର୍ମିନାଲ୍ ମଧ୍ୟ ସ୍ଥାପନ କରୁଛି।

ସମ୍ବନ୍ଧିତ ଖବର