ଭୁବନେଶ୍ବର/ଛେଣ୍ଡିପଦା: ଅନୁଗୁଳଜିଲ୍ଲା ଛେଣ୍ଡିପଦା ବ୍ଲକ୍‌ରେ ଥିବା ନୟନୀ କୋଇଲା ଖଣି କାର୍ଯ୍ୟକ୍ଷମ ହୋଇଛି। ତେଲେଙ୍ଗାନା ଉପମୁଖ୍ୟମନ୍ତ୍ରୀ ଭଟ୍ଟି ବିକ୍ରମାର୍କା ମାଲୁ ଆଭାସୀ ମାଧ୍ୟମରେ ଏହାକୁ ଉଦ୍‌ଘାଟନ କରିଛନ୍ତି। ଖଣି ନିକଟରେ ଏକ ୧୬୦୦ ମେଗାୱାଟ୍‌ ପାୱାର ପ୍ଲାଣ୍ଟ ସ୍ଥାପନ କରାଯିବ ବୋଲି ଶ୍ରୀ ମାଲୁ ଘୋଷଣା କରିଛନ୍ତି। ସେଥିପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ନିମନ୍ତେ ସେ ଓଡ଼ିଶା ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି। 

Advertisment

ତେଲେଙ୍ଗାନାର କମ୍ପାନି ସିଙ୍ଗାରେନି କୋଲିୟରିଜ୍ କମ୍ପାନି ଲିମିଟେଡ୍‌କୁ ଏହି ଖଣି ଆବଣ୍ଟନ କରାଯାଇଥିଲା। ଖଣି ପାଇଁ ୨୨୨୫ ଏକର ଜମି ଆବଶ୍ୟକ ଥିବା ବେଳେ ସେଥିରୁ ୧୯୩୫ ଏକର ହେଉଛି ଜଙ୍ଗଲ ଜମି ଏବଂ ୩୨୦ ଏକର ଘରୋଇ ଜମି। ନୟନୀ ଖଣିରେ ୩୪୦.୭୮ ନିୟୁତ ଟନ୍ କୋଇଲା ଗଚ୍ଛିତ ରହିଛି। ୩୮ ବର୍ଷ ପର୍ଯ୍ୟନ୍ତ ଖଣିରୁ ଖନନ ହୋଇପାରିବ। ୨୦୧୬ ମେ’ରେ କମ୍ପାନିକୁ ନୟନୀ କୋଇଲା ଖଣି ଆବଣ୍ଟନ କରାଯାଇଥିଲା। ଦୀର୍ଘ ୯ ବର୍ଷ ପରେ ସେଥିରୁ ଉତ୍ପାଦନ ଆରମ୍ଭ ହୋଇଛି। ଖଣିରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ସ୍ଥାନୀୟ ବିଧାୟକ ଅଗସ୍ତି ବେହେରା ମୁଖ୍ୟ ଅତିଥି ଭାବେ ‌ଯୋଗ ଦେଇ ଖଣିରେ ସ୍ଥାନୀୟ ଯୁବକଯୁବତୀଙ୍କୁ ନିଯୁକ୍ତି ଓ ଏହି ଅଞ୍ଚଳର ପାରିପାର୍ଶ୍ବିକ ବିକାଶ ଉପରେ ଆଲୋକପାତ କରିଥିଲେ। 

ଖଣିକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ଲାଗି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ ରେବନ୍ତ ରେଡ୍ଡି ଓ ଉପମୁଖ୍ୟମନ୍ତ୍ରୀ ବିକ୍ରମାର୍କା ବିଭିନ୍ନ ପ୍ରକାର ମଞ୍ଜୁରି ପାଇଁ କୋଇଲା ମନ୍ତ୍ରଣାଳୟକୁ ଅନୁ‌ରୋଧ କରିଥିଲେ। ଓଡ଼ିଶା ସରକାରଙ୍କ ସହ ନିୟମିତ ଯୋଗାଯୋଗରେ ରହିଛି। ଏହି ମାମଲାକୁ ତେଲେଙ୍ଗାନା ପ୍ରତିନିଧିମାନେ ପୂର୍ବତନ କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଓ ବର୍ତ୍ତମାନର କୋଇଲା ମନ୍ତ୍ରୀ ଜି କିଷନ ରେଡ୍ଡିଙ୍କ ସାମ୍ନାରେ ଉପସ୍ଥାପନ କରିଥିଲେ। ତେଲେଙ୍ଗାନା ଉପମୁଖ୍ୟମନ୍ତ୍ରୀ ବିକ୍ରମାର୍କା ଦୁଇ ଦୁଇ ଥର ଓଡ଼ିଶା ଗସ୍ତ କରିବା ସହ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଅନ୍ୟ ସରକାରୀ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହାପରେ ଖଣିରୁ କୋଇଲା ‌ଉତ୍ତୋଳନ ବାଟ ଫିଟିଥିଲା।