ସରକାରୀ ବ୍ୟାଙ୍କ ସ୍ଥିତି ସୁଧାରିଲେ
ସରକାରୀ ବ୍ୟାଙ୍କଗୁଡ଼ିକ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ। ଏନ୍ପିଏ ସମସ୍ୟା ଜଟିଳ ରୂପ ଧାରଣ କରିଥିଲା। ସେହି ବ୍ୟାଙ୍କଗୁଡ଼ିକର ସ୍ଥିତି ସୁଧାରିବା ଲାଗି ଶକ୍ତିକାନ୍ତ ପ୍ରଥମେ ସେମାନଙ୍କୁ ୩ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପାଣ୍ଠି ଦେଇଥିଲେ। ଅତି ଦୁର୍ବଳ ହୋଇପଡ଼ିଥିବା ୬ଟି ବ୍ୟାଙ୍କକୁ କଠୋର ପ୍ରମ୍ପ୍ଟ କରେକ୍ଟିଭ୍ ଆକ୍ସନ୍ (ପିସିଏ) ଅଧୀନକୁ ଆଣିଥିଲେ। ସେମାନଙ୍କୁ ସ୍ପଷ୍ଟ ଭାବେ କହିଥିଲେ ଯେ ନିଜ ହିସାବ ଖାତାକୁ ନସଜାଡ଼ିବା ଓ ନିର୍ଦିଷ୍ଟ କେତେକ ମାନଦଣ୍ଡରେ ସୁଧାର ନଆଣିବା ପର୍ଯ୍ୟନ୍ତ ଏହି କଟକଣା ପ୍ରତ୍ୟାହାର କରାଯିବ ନାହିଁ।
ସେଲିବ୍ରିଟି ସିଇଓ ପଦ ହରାଇଲେ
ଶକ୍ତିକାନ୍ତ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ହେବାରୁ ଦେଶରେ କେତେ ଜଣ ବ୍ୟାଙ୍କ ସିଇଓ ଥିଲେ ଯେଉଁମାନଙ୍କୁ ସେଲିବ୍ରିଟି ଭାବେ ଗଣାଯାଉଥିଲେ, ତାଙ୍କୁ ପଦ ହରାଇବାକୁ ପଡ଼ିଥିଲା। କିଛି ହାତଗଣତି ନିର୍ଦିଷ୍ଟ ଲୋକଙ୍କ ପାଖରେ ବ୍ୟାଙ୍କ ଶିଳ୍ପର ପରିଚାଳନା ଦାୟିତ୍ବ ରହୁ ବୋଲି ସେ ଚାହୁନଥିଲେ। ତେଣୁ ସେମାନଙ୍କ କାର୍ଯ୍ୟଶୈଳୀକୁ ସେ ପରଖିଥିଲେ। ଏହି ସିଇଓମାନେ ଚଲାଉଥିବା ବ୍ୟାଙ୍କରେ ପ୍ରଶାସନିକ ବ୍ୟବସ୍ଥା ବେଶ ଢିଲା ଥିବା ଜାଣିବା ପରେ ଶକ୍ତିକାନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଥିଲେ। ଘରୋଇ ବ୍ୟାଙ୍କର ଏମ୍ଡି ଓ ସିଇଓମାନଙ୍କ ସର୍ବୋଚ୍ଚ ବୟସ ସୀମା ଧାର୍ଯ୍ୟ କରିଥିଲେ। ଏହା ଦ୍ବାରା କୌଣସି ନିର୍ଦିଷ୍ଟ ବ୍ୟକ୍ତି ନିଜ ଇଚ୍ଛା ଅନୁସାରେ ଯେତେଦିନ ପର୍ଯ୍ୟନ୍ତ ଚାହିବେ ବ୍ୟାଙ୍କର ସିଇଓ ହୋଇରହିପାରିବେ ନାହିଁ। ୟେସ୍ ବ୍ୟାଙ୍କ ଘୋର ସଙ୍କଟରେ ପଡ଼ିଥିବା ବେଳେ ତାହାର ବୋର୍ଡକୁ ନିଜ ଅକ୍ତିଆରକୁ ଆଣିଥିଲା ରିଜର୍ଭ ବ୍ୟାଙ୍କ। ସରକାରୀ ଓ ଘରୋଇ କ୍ଷେତ୍ରର କିଛି ବ୍ୟାଙ୍କର ମିଳିତ ଉଦ୍ୟମରେ ୟେସ୍ ବ୍ୟାଙ୍କକୁ ସଙ୍କଟରୁ ଉଦ୍ଧାର କରାଯାଇଥିଲା। ଏଥିପାଇଁ ଦାୟୀ ଥିବା ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁର ଓ ଅନ୍ୟମାନଙ୍କୁ ସେ ଜେଲ୍ ପଠାଇଥିଲେ। ନିକଟରେ ତାଙ୍କ ନେତୃତ୍ବରେ କୋଲକାତାର ଅଣ ବ୍ୟାଙ୍କିଙ୍ଗ୍ ଆର୍ଥିକ ସଂସ୍ଥା (ଏନ୍ବିଏଫ୍ସି) ଶ୍ରେୟୀ ଗ୍ରୁପ୍ର ବୋର୍ଡକୁ ରିଜର୍ଭ ବ୍ୟାଙ୍କ ନିଜ ଅକ୍ତିଆରକୁ ଆଣିଛି। କର୍ପୋରେଟ୍ ପ୍ରଶାସନରେ ରହୁଥିବା ଢିଲା ପଣକୁ ସହ୍ୟ କରାଯିବ ନାହିଁ ବୋଲି ସେ ନିଜର କଠୋର ପଦକ୍ଷେପଗୁଡ଼ିକ ଜରିଆରେ ସ୍ପଷ୍ଟ କରିଛନ୍ତି।
କମ୍ ସୁଧରେ ମିଳିଲା ପାଣ୍ଠି
ଯେତେବେଳେ ଦେଶର ଅର୍ଥନୀତି ଆଗକୁ ବଢ଼ିବା ଲାଗି ସଂଘର୍ଷ କରୁଥିଲା ସେହି ସମୟରେ ସେ ସୁଧ ହାର କମ୍ କରିବା ଆରମ୍ଭ କରିଥିଲେ। ଅର୍ଥନୀତିଜ୍ଞମାନେ ଭାବୁଥିଲେ ଏହା ସାମୟିକ ପଦକ୍ଷେପ। କିନ୍ତୁ ଶକ୍ତିକାନ୍ତ ଦୀର୍ଘ ଦିନ ପର୍ଯ୍ୟନ୍ତ ସୁଧକୁ କମ୍ ରଖିଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ରେପୋ ହାର ୨.୫% ହ୍ରାସ ପାଇଛି। ଦେଶରେ ମହାମାରୀ ବ୍ୟାପିବା ପରେ ଅର୍ଥନୀତିକୁ ବଳ ପ୍ରଦାନ କରିବା ଲାଗି ସେ ସୁଧ ହାରରେ ୧.୩୫% ହ୍ରାସ କରିଥିଲେ।
ବଢ଼ିଲା ବିଦେଶୀ ମୁଦ୍ରା ଭଣ୍ଡାର
ଶକ୍ତିକାନ୍ତଙ୍କ ଅମଳରେ ରିଜର୍ଭ ବ୍ୟାଙ୍କର ବୈଦେଶିକ ମୁଦ୍ରା ଭଣ୍ଡାରରେ ବଡ଼ ଧରଣର ବୃଦ୍ଧି ହୋଇଛି। ସେ ଗଭର୍ଣ୍ଣର ଦାୟି୍ତ୍ବ ଗ୍ରହଣ କରିବା ବେଳେ ଭଣ୍ଡାରରେ ୪୫,୫୦୦ କୋଟି ଡଲାର ମୂଲ୍ୟର ବିଦେଶୀ ମୁଦ୍ରା ଥିଲା। ଏବେ ସେଥିରେ ୬୪,୧୦୦ କୋଟି ଡଲାର ବିଦେଶୀ ମୁଦ୍ରା ରହିଛି। ହଠାତ୍ ଭଣ୍ଡାରରେ ଥିବା ବିଦେଶୀ ମୁଦ୍ରା ବଢ଼ିବାରୁ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଭାରତ ଉପରେ ସନ୍ଦେହ ପ୍ରକଟ କରିଥିଲା। ମୁଦ୍ରା ମୂଲ୍ୟରେ ଗଡ଼ବଡ଼ ଆଣିବା ଲାଗି ଭାରତ ଏଭଳି କରୁଥିବା ଆମେରିକା ଅଭିଯୋଗ କରିଥିଲା ଓ ଦେଶ ଉପରେ ତୀକ୍ଷ୍ଣ ନଜର ରଖିଥିଲା। କିନ୍ତୁ ଶକ୍ତିକାନ୍ତ ସେହି ଚାପ ଆଗରେ ମୁଣ୍ଡ ନୁଆଁଇ ନଥିଲେ।
ଏନ୍ବିଏଫ୍ସି ସଙ୍କଟର ସମାଧାନ
୨୦୧୮ ଅଗଷ୍ଟରେ ଆଇଏଲ୍ ଆଣ୍ଡ୍ ଏଫ୍ଏସ୍ ନିଜର ବିଭିନ୍ନ ଦେୟ ଦେବାରେ ଅକ୍ଷମତା ପ୍ରକାଶ କରିଥିଲା। ଆମେରିକାର ଲେହ୍ମ୍ୟାନ୍ ବ୍ରଦର୍ସ ସଙ୍କଟ ଭଳି ସ୍ଥିତି ଦେଶରେ ସୃଷ୍ଟି ହୋଇଥିଲା। ଏଭଳି ସଙ୍କଟ ସମୟରେ ଶକ୍ତିକାନ୍ତ ଚୁପ୍ ହୋଇ ବସିନଥିଲେ। ଆରମ୍ଭରୁ ସେ ଏହାର ମୁକାବିଲା କରିବା ଲାଗି ପଦକ୍ଷେପ ଗ୍ରହଣ କରିବାରୁ ଦେଶ ଏକ ବଡ଼ ଧରଣର ସଙ୍କଟରୁ ଉଦ୍ଧାର ପାଇଥିଲା।