ସୁନ୍ଦରଗଡ଼ରେ ପାଓ୍ଵାର ପ୍ଲାଣ୍ଟ୍‌ କରିବ ଏମ୍‌ସିଏଲ୍‌

• ଏନ୍‌ଟିପିସି ସହ ମିଶି ସ୍ଥାପନ କରିବ
• ବସୁନ୍ଧରା-ଗର୍ଜନ୍‌ବାହାଲ୍‌ରେ ହେବ
• ୧୬୦୦ ମେଗାଓ୍ଵାଟ୍‌ର ପ୍ଲାଣ୍ଟ୍‌
କୋଲକାତା/ଭୁବନେଶ୍ୱର, ୨୯/୫(ଇମିସ): ସୁନ୍ଦରଗଡ଼ ଜିଲ୍ଲାରେ ମହାନଦୀ କୋଲଫିଲ୍‌ଡ ଲିମିଟେଡ୍‌ (ଏମ୍‌ସିଏଲ୍‌) ପକ୍ଷରୁ ୧୬୦୦ ମେଗାଓ୍ଵାଟ୍‌ର ସୁପର୍‌ କ୍ରିଟିକାଲ୍‌ ଥର୍ମାଲ୍‌ ପାଓ୍ଵାର ପ୍ଲାଣ୍ଟ୍‌ ସ୍ଥାପନ କରାଯିବ। ଏହି ପ୍ରକଳ୍ପ ପାଇଁ ଜମି ମିଳିସାରିଛି। ଜଳ, ପରିବେଶ ଓ ଜଙ୍ଗଲ ମଞ୍ଜୁରି ମଧ୍ୟ ମିଳିଛି। ନିକଟରେ ଏହି ପ୍ରକଳ୍ପ ପାଇଁ କୋଇଲା ଲିଙ୍କେଜ୍‌ ପ୍ରଦାନ କରାଯାଇଛି ବୋଲି କୋଲ୍‌ ଇଣ୍ଡିଆର ନବନିଯୁକ୍ତ ମୁଖ୍ୟ ଏ କେ ଝା କହିଛନ୍ତି।
କୋଲ ଇଣ୍ଡିଆର କୋଲକାତା ମୁଖ୍ୟ କାର୍ଯ୍ୟାଳୟରେ ସେ ଆଜି ନିଜର ନୂଆ ପଦଭାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ଏମ୍‌ସିଏଲ୍‌ର ସିଏମ୍‌ଡି ଭାବେ କାମ କରୁଥିଲେ।
ଶ୍ରୀ ଝା କହିଛନ୍ତି ଯେ ସୁନ୍ଦରଗଡ଼ ପାଓ୍ଵାର ପ୍ଲାଣ୍ଟ୍‌ ପାଇଁ ଏନ୍‌ଟିପିସି ସହିତ ଯୌଥ ଉଦ୍ୟୋଗ (ଜେଭି) ସ୍ଥାପନ କରାଯିବ। ଏଥିପାଇଁ ଏନ୍‌ଟିପିସି ସହିତ ପ୍ରାଥମିକ ଆଲୋଚନା ଆରମ୍ଭ ହୋଇଯାଇଛି। ପ୍ରସ୍ତାବିତ ପାଓ୍ଵାର ପ୍ଲାଣ୍ଟ୍‌ରେ ଏମ୍‌ସିଏଲ୍‌ର ୫୧% ଓ ଏନ୍‌ଟିପିସିର ୪୯% ଅଂଶଧନ ରହିବ। ଏହି ପ୍ରକଳ୍ପରେ ୮୦୦ ମେଗାଓ୍ଵାଟ୍‌ର ଦୁଇଟି ୟୁନିଟ୍‌ ରହିବ। ଏହା ହେବ ଏମ୍‌ସିଏଲ୍‌ର ପ୍ରଥମ ପାଓ୍ଵାର ପ୍ଲାଣ୍ଟ୍‌। ବସୁନ୍ଧରା-ଗର୍ଜନବାହାଲ୍‌ରେ ଏହି ପ୍ଲାଣ୍ଟ୍‌ ସ୍ଥାପନ କରାଯିବ। ଏହି ପାଓ୍ଵାର ପ୍ଲାଣ୍ଟ୍‌ ସ୍ଥାପନ କରିବାକୁ ୨୦୦୯ରେ ଏମ୍‌ସିଏଲ୍‌ ପରିକଳ୍ପନା ପ୍ରସ୍ତୁତ କରିଥିଲା। ମାତ୍ର କୋଇଲା ଲିଙ୍କେଜ୍‌ ମିଳିବାରେ ବିଳମ୍ବ ହେବା ଯୋଗୁଁ କାମ ଆଗକୁ ବଢ଼ିପାରିନଥିଲା। ଏହି ପ୍ରକଳ୍ପରେ ୧୩ ହଜାର କୋଟି ଟଙ୍କା ବିନିଯୋଗ ହେବ।
ସୁନ୍ଦରଗଡ଼ ପ୍ରକଳ୍ପକୁ ମହାନଦୀ ବେସିନ୍‌ ପାଓ୍ଵାର ଲିମିଟେଡ୍‌ ନାମକ ସଂସ୍ଥା ଜରିଆରେ ସ୍ଥାପନ କରାଯିବ। ଏହା ହେଉଛି ଏମ୍‌ସିଏଲ୍‌ର ଏକ ସମ୍ପୂର୍ଣ୍ଣ ସହଯୋଗୀ ସଂସ୍ଥା। ଏହି ପ୍ରକଳ୍ପ ପାଇଁ କଂପାନି ଓଡ଼ିଶାରେ ଉଚ୍ଚ ସ୍ତରୀୟ ମଞ୍ଜୁରି କର୍ତୃପକ୍ଷ (ଏଚ୍‌ଏଲ୍‌ସିଏ) ଅନୁମୋଦନ ହାସଲ କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲାର ବସୁନ୍ଧରା ଅଞ୍ଚଳରୁ ଏହି ପ୍ରକଳ୍ପ ପାଇଁ କୋଇଲା ଅଣାଯିବ। ସେଠାରେ ୬୮୦ କୋଟି ଟନ୍‌ କୋଇଲା ଗଚ୍ଛିତ ରହିଛି। ଏହି ଖଣିରୁ ବାର୍ଷିକ ୪୦ ନିୟୁତ ଟନ୍‌ କୋଇଲା ଉତ୍ତୋଳନ କରିବାକୁ ଲକ୍ଷ୍ୟ ରଖାଯାଇଛି। କୋଇଲା ପରିବହନ ପାଇଁ ରେଳବାଇ ପକ୍ଷରୁ ସେଠାରେ ୫୩ କିଲୋମିଟରର ରେଳ ଲାଇନ୍‌ ବିଛାଯାଇଛି। ୨୦୦୬ ମସିହାରେ ପ୍ରାରମ୍ଭିକ ପର୍ଯ୍ୟାୟରେ ରେଳବାଇକୁ ୪୯୯ କୋଟି ଟଙ୍କା ଦେଇ ଏହି ରେଳ ଲାଇନ୍‌ ବିଛାଇବା କାମ ଆରମ୍ଭ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ସେଥିରେ ୧୬୦୦ କୋଟି ଟଙ୍କା ଖର୍ଚ ହୋଇସାରିଲାଣି। ଏହି ରେଳ ଲାଇନ୍‌ ଜରିଆରେ ଏମ୍‌ସିଏଲ୍‌ ବର୍ଷକୁ ୧୬ ନିୟୁତ ଟନ୍‌ କୋଇଲା ପରିବହନ କରିପାରିବ।
ଝାଡ଼ଖଣ୍ଡର ବୋକାରୋ ଜିଲ୍ଲାରେ ମଧ୍ୟ ସେଣ୍ଟ୍ରାଲ୍‌ କୋଲ୍‌ଫିଲ୍ଡ ଜରିଆରେ କୋଲ୍‌ ଇଣ୍ଡିଆ ଆଉ ଏକ ପାଓ୍ଵାର ପ୍ଲାଣ୍ଟ୍‌ ସ୍ଥାପନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ପ୍ରକଳ୍ପ ଏବେ କନ୍‌ସଲ୍‌ଟାନ୍ସି ସ୍ତରରେ ରହିଛି।

ସମ୍ବନ୍ଧିତ ଖବର