ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍ଏୱାଇ)-ସହରାଞ୍ଚଳ ଓ ପିଏମ୍ଏୱାଇ-ସହରାଞ୍ଚଳ ୨.୦ରେ ଓଡ଼ିଶା ପାଇଁ ୨.୨ ଲକ୍ଷ ଘର ମଞ୍ଜୁର କରାଯାଇଥିଲା। ସେଥିରୁ ୧.୭ ଲକ୍ଷ ଘରର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ଅର୍ଥାତ ମଞ୍ଜୁର ହୋଇଥିବା ଘରର ୭୪ ପ୍ରତିଶତ ନିର୍ମାଣ ହୋଇସାରିଛି। ଏହି କ୍ଷେତ୍ରରେ ରାଜ୍ୟର ସଫଳତା ହାର ଜାତୀୟ ହାର ୭୫ ପ୍ରତିଶତଠାରୁ ସାମାନ୍ୟ କମ୍ ରହିଛି ବୋଲି ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଏକ ରିପୋର୍ଟରୁ ଜଣାପଡ଼ିଛି।
ରିପୋର୍ଟ ଅନୁଯାୟୀ, ସର୍ବଭାରତୀୟ ସ୍ତରରେ ପିଏମ୍ଏୱାଇ ଯୋଜନାରେ ୧.୨ କୋଟି ଘର ମଞ୍ଜୁର କରାଯାଇଥିଲା। ସେଥିରୁ ୯୦ ଲକ୍ଷରୁ ଅଧିକ ଘରର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଗୁଜରାଟରେ ଘର ନିର୍ମାଣ ସମ୍ପୂର୍ଣ୍ଣ ହାର ୯୪ ପ୍ରତିଶତ, ତାମିଲନାଡ଼ୁରେ ୯୦ ପ୍ରତିଶତ, ଉତ୍ତରପ୍ରଦେଶରେ ୮୪ ପ୍ରତିଶତ ଓ କେରଳରେ ୮୩ ପ୍ରତିଶତ ରହିଛି। ଆନ୍ଧ୍ରପ୍ରଦେଶ (୫୬%), ବିହାର (୪୩%) ଓ ହରିୟାଣା (୫୪)ରେ ଏହି ଯୋଜନାର ସଫଳତା ହାର ଯଥେଷ୍ଟ କମ୍ ରହିଛି। ଏହି ତିନି ରାଜ୍ୟକୁ ବାଦ ଦେଲେ ଅନ୍ୟ ସବୁ ରାଜ୍ୟରେ ନିର୍ମାଣ ସଫଳତା ହାର ୭୦ ପ୍ରତିଶତରୁ ଅଧିକ ରହିଛି।
ଷ୍ଟେଟ୍ ବ୍ୟାଙ୍କ ରିପୋର୍ଟରୁ ଜଣାପଡ଼ିଛି ଯେ ପିଏମ୍ଏୱାଇରେ ଘର ପାଇଥିବା ପରିବାରଗୁଡ଼ିକର ମାସିକ ଖର୍ଚ୍ଚ ପରବର୍ତ୍ତୀ ସମୟରେ ବୃଦ୍ଧି ପାଇଛି। ସେମାନଙ୍କ ଡେବିଟ୍ କାର୍ଡ ଓ ୟୁପିଆଇ କାରବାରକୁ ବିଚାରକୁ ନେଇ ଏହି ନିର୍ଯ୍ୟାସ ବାହାର କରାଯାଇଛି। ଘର ପାଇବା ପୂର୍ବରୁ ପରିବାରଗୁଡ଼ିକର ହାରାହାରି ମାସିକ ୟୁପିଆଇ କାରବାର ୪୦,୦୩୨ ଟଙ୍କା ଥିଲା। ଘର ପାଇବା ପରେ ତାହା ୪୫,୦୮୧ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ଡେବିଟ୍ କାର୍ଡରେ ମାସିକ ହାରାହାରି ଖର୍ଚ୍ଚ ୫୦୯୯ ଟଙ୍କା ରହୁଥିଲା ଯାହା ଘର ପାଇବା ପରେ ୫୨୮୫ ଟଙ୍କାକୁ ବଢ଼ିଛି। ହିସାବରୁ ଜଣାପଡ଼ିଛି ଯେ ୧-୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ପରିବାରଗୁଡ଼ିକର ମାସିକ ୟୁପିଆଇ ଖର୍ଚ୍ଚ ୩୨୯୮ ଟଙ୍କା ବଢ଼ିଛି। ସେହିପରି ୩-୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ପରିବାରର ୟୁପିଆଇ ଖର୍ଚ୍ଚରେ ୯୧୬୩ ଟଙ୍କାର ବୃଦ୍ଧି ଘଟିଛି।
ପୁରୁଷ ଓ ମହିଳାଙ୍କ ବ୍ୟୟ କ୍ଷମତାକୁ ଅନୁଶୀଳନ ପରେ ଜଣାପଡ଼ିଛି ଯେ ପିଏମ୍ଏୱାଇରେ ଘର ପାଇବା ପରେ ମହିଳାମାନଙ୍କ ଦ୍ବାରା କରାଯାଉଥିବା ବ୍ୟୟ ବି ବଢ଼ିଛି। ମହିଳାଙ୍କ କ୍ଷେତ୍ରରେ ୟୁପିଆଇ କାରବାରରେ ୭୫୨୨ ଟଙ୍କା ବୃଦ୍ଧି ହୋଇଥିବା ବେଳେ ପୁରୁଷଙ୍କ ବ୍ୟୟରେ ୩୯୭୦ ଟଙ୍କାର ବୃଦ୍ଧି ହୋଇଛି। ସେହିପରି ମହିଳାଙ୍କ ଡେବିଟ୍ କାର୍ଡ ଖର୍ଚ୍ଚ ୮୧୫ ଟଙ୍କା ବଢ଼ି ୪୯୪୯ ଟଙ୍କା ହୋଇଥିବା ବେଳେ ପୁରୁଷଙ୍କ ଡେବିଟ୍ କାର୍ଡ ଖର୍ଚ୍ଚ ୮୯ ଟଙ୍କା ହ୍ରାସ ପାଇ ୫୪୩୨ ଟଙ୍କା ହୋଇଛି।