ଭୁବନେଶ୍ବର: ରାଜ୍ୟରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ପଞ୍ଜୀକୃତ ହୋଇଥିବା ଚାଷୀଙ୍କ ସଂଖ୍ୟା ବଢ଼ିଛି। କିନ୍ତୁ ଚାଷୀମାନେ ବୀମା ରାଶି ପାଇବା ପାଇଁ ଉପସ୍ଥାପନ କରୁଥିବା ଦାବି ପରିମାଣ କମ୍ ହୋଇଛି। ସାଂସଦ ପ୍ରଦୀପ ‌ପୁରୋହିତଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ରାମନାଥ ଠାକୁର ଦେଇଥିବା ତଥ୍ୟ ଅନୁଯାୟୀ ୨୦୨୨-୨୩ରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପଞ୍ଜୀକୃତ ହୋଇଥିବା ଚାଷୀଙ୍କ ସଂଖ୍ୟା ୮୦ ଲକ୍ଷ ୨୦ ହଜାର ୭୬୩ ଥିଲା। ୨୦୨୩-୨୪ରେ ତାହା ୧ କୋଟି ୪୧ ଲକ୍ଷ ୩୫ ହଜାର ୫୧୬କୁ ବୃଦ୍ଧି ପାଇଛି। 

Advertisment

ଦାବି ସମ୍ପର୍କରେ ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ୨୦୨୨-୨୩ରେ ରାଜ୍ୟର ଚାଷୀମାନଙ୍କୁ ଏହି ଯୋଜନା ଅଧୀନରେ ୫୬୮.୯୫ କୋଟି ଟଙ୍କାର ବୀମା ରାଶି ପ୍ରଦାନ କରାଯାଇଥିଲା। ସେଥିରୁ ୧୧୦.୮୮ କୋଟି ଟଙ୍କା ବଲାଙ୍ଗୀର, ୧୧୫.୪୭ କୋଟି ଟଙ୍କା ସୁନ୍ଦରଗଡ଼, ୮୮.୭୭ କୋଟି ଟଙ୍କା ପୁରୀ, ୮୮.୩୭ କୋଟି ଟଙ୍କା ଝାରସୁଗୁଡ଼ା, ୪୫.୪୧ କୋଟି ଟଙ୍କା କଳାହାଣ୍ଡି ଓ ୨୨.୮୧ କୋଟି ଟଙ୍କା ଯାଜପୁର ଜିଲ୍ଲାର ଚାଷୀମାନଙ୍କୁ ପ୍ରଦାନ କରାଯାଇଛି।

୨୦୨୩-୨୪ରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ଓଡ଼ିଶାର ଚାଷୀମାନଙ୍କୁ ଦିଆଯାଇଥିବା ବୀମା ରାଶି ପରିମାଣ ଅଧାରୁ ଅଧିକ ହ୍ରାସ ପାଇ ୨୧୭.୧୮ କୋଟି ଟଙ୍କା ହୋଇଛି। ସେଥିରୁ ୩୯.୦୯ କୋଟି ଟଙ୍କା କଳାହାଣ୍ଡି, ୩୬.୭୮ କୋଟି ଟଙ୍କା ପୁରୀ, ୨୬.୮୫ କୋଟି ଟଙ୍କା ବରଗଡ଼, ୨୫.୦୪ କୋଟି ଟଙ୍କା ବଲାଙ୍ଗୀର ଓ ୨୦.୧୯ କୋଟି ଟଙ୍କା ଗଞ୍ଜାମର ଚାଷୀମାନଙ୍କୁ ପ୍ରଦାନ କରାଯାଇଛି। ଯାଜପୁରର ଚାଷୀମାନଙ୍କୁ ଏହି ବର୍ଷ ୧୭.୪୮ କୋଟି ଟଙ୍କାର ବୀମା ରାଶି ପ୍ରଦାନ କରାଯାଇଥିବା ବେଳେ ଖୋର୍ଦ୍ଧାର ଚାଷୀଙ୍କୁ ୧୩.୧୯ କୋଟି ଟଙ୍କା ଦିଆଯାଇଛି। 

କେନ୍ଦ୍ରମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ୨୦୨୩-୨୪ ସୁଦ୍ଧା ଫସଲ ବୀମା ଯୋଜନାରେ ବରଗଡ଼ର ୧୬ ଲକ୍ଷ ୭୧ ହଜାର ୯୦୬ ଚାଷୀ ପଞ୍ଜୀକୃତ ହୋଇଥିବା ବଲାଙ୍ଗୀରର ୧୪ ଲକ୍ଷ ୩୪ ହଜାର ୩୭୭, ସମ୍ବଲପୁରର ୭,୩୭,୬୯୦, ସୁନ୍ଦରଗଡ଼ର ୭,୧୯,୬୯୪, ଯାଜପୁରର ୭,୨୩,୨୦୦, କଳାହାଣ୍ଡିର ୭,୦୬,୬୬୫, ବାଲେଶ୍ବରର ୭,୦୬,୯୯୨ ଏବଂ କେନ୍ଦ୍ରାପଡ଼ାର ୬,୮୯,୨୦୫ ଚାଷୀ ପଞ୍ଜୀକୃତ ହୋଇଛନ୍ତି।