ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୬ ନଭେମ୍ବର ୮ରେ ଘୋଷଣା କରିଥିବା କଠୋର ବିମୁଦ୍ରୀକରଣ ପଦକ୍ଷେପକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଥିବା‌ ବେଳେ ଦୀର୍ଘ ଦିନ ପରେ କେହି ଜଣେ ତାହାକୁ ପ୍ରଶଂସା କରିଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି କମିଟି ସଦସ୍ୟା ଅସିମା ଗୋୟଲ ବିମୁଦ୍ରୀକରଣର କ’ଣ ଲାଭ ମିଳିଛି ତାହା ଜଣାଇଛନ୍ତି। ସେ କହିଛନ୍ତି ଯେ ଏହି ପଦକ୍ଷେପ ଯୋଗୁଁ ଅଳ୍ପ ସମୟ ପାଇଁ କଠିନ ପରିସ୍ଥିତି ସୃଷ୍ଟି ହୋଇଥିଲା, କିନ୍ତୁ ତାହାର ଦୀର୍ଘସ୍ଥାୟୀ ଲାଭ ରହିଛି। ବିମୁଦ୍ରୀକରଣ ପାଇଁ ଦେଶରେ ଟିକସ ସଂଗ୍ରହ ବୃଦ୍ଧି ପାଇଛି। ଏଥି ସହିତ ଅର୍ଥନୀତି ଡିଜିଟାଲ୍ ହୋଇପାରିଛି ଏବଂ ଟିକସ ଠକେଇ ମାମଲା ମଧ୍ୟ ହ୍ରାସ ପାଇଛି। ଆଗାମୀ ଦିନରେ ଏହି ଲାଭ ଆହୁରି ତ୍ବରାନ୍ବିତ ହେବ। ଟିକସ ସଂଗ୍ରହ ବଢ଼ିଲେ ଟିକସ ହାରକୁ ହ୍ରାସ କରିବାରେ ତାହା ସହାୟକ ହେବ ବୋଲି ସେ କହିଛନ୍ତି।

Advertisment

ଦେଶରେ ଏବେ ମାସକୁ ୧ ଲକ୍ଷ ୪୦ ହଜାର କୋଟି ଟଙ୍କାରୁ ଅଧିକ ଜିଏସ୍‌ଟି ସଂଗ୍ରହ ହେଉଛି। ଚଳିତ ଆର୍ଥିକ ବର୍ଷ (୨୦୨୨-୨୩)ରେ କଂପାନି ଓ ଆୟକର ସଂଗ୍ରହ ୨୪% ବୃଦ୍ଧି ପାଇ ୮.୯୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ପ୍ରଧାନମନ୍ତ୍ରୀ ୨୦୧୬ରେ ବିମୁଦ୍ରୀକରଣ ଘୋଷଣା କରି ପୁରୁଣା ୫୦୦ ଏବଂ ହଜାର ଟଙ୍କିଆ ନୋଟ୍‌କୁ ଅଚଳ କରିଦେଇଥିଲେ। ଏହା ପରେ ଲୋକମାନଙ୍କୁ ଅଚଳ ନୋଟ୍‌ ବଦଳାଇବାକୁ କୁହାଯାଇଥିଲା। ମାସ ମାସ ଧରି ଲୋକମାନେ ଏଟିଏମ୍ ଏବଂ ବ୍ୟାଙ୍କ ସାମ୍ନାରେ ଲମ୍ବା ଧାଡ଼ି ଲଗାଇଥିଲେ। ‌ସା‌ଧାରଣ ଲୋକଙ୍କୁ ବହୁ ସମସ୍ୟା ଭୋଗିବାକୁ ପଡ଼ିଥିଲା ବୋଲି ବିରୋଧୀ ଦଳ ବାରମ୍ବାର ଅଭିଯୋଗ କରୁଛନ୍ତି। ଏଟିଏମ୍‌ରେ ଧାଡ଼ିରେ ଠିଆ ହୋଇ କିଛି ଲୋକ ପ୍ରାଣ ହରାଇଥିବା ମଧ୍ୟ ଅଭିଯୋଗ ରହିଛି। କିଛି ବର୍ଷ ପରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଏକ ରିପୋର୍ଟରୁ ଜଣାପଡ଼ିଥିଲା ଯେ ବିମୁଦ୍ରୀକରଣ ଯୋଗୁଁ ଯେତିକି ଟଙ୍କା ଅଚଳ ହୋଇଥିଲା ତାହା ପ୍ରାୟ ବ୍ୟାଙ୍କକୁ ଫେରିଆସିଛି। ତେଣୁ କଳାଧନ ଓ ଟିକସ ଠକେଇର ମୁକାବିଲା ଲାଗି ଯେଉଁ ଦାବି କରାଯାଉଥିଲା ତାହା ହାସଲ କରିବାରେ ସରକାର ବିଫଳ ହୋଇଛନ୍ତି ବୋଲି ଦାବି କରାଯାଉଛି। ଚଳିତ ମାସରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଅଭିଯୋଗ କରିଥିଲେ ଯେ ବିଜେପି ସରକାରଙ୍କ ବିମୁଦ୍ରୀକରଣ, ଜିଏସ୍‌ଟି ଏବଂ କୃଷି ଆଇନ ହେଉଛି ଗରିବ ଓ କ୍ଷୁଦ୍ର ବ୍ୟବସା‌ୟୀ ବିରୋଧୀ।