ଆର୍‌ଆର୍‌ପିଆର୍‌ ନିର୍ଦ୍ଦେଶକ ପଦବିରୁ ପ୍ରଣୟ ରାୟ, ରାଧିକା ରାୟଙ୍କ ଇସ୍ତଫା

ନୂଆଦିଲ୍ଲୀ: ଏନଡିଟିଭିର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ପ୍ରଣୟ ରାୟ ଏବଂ ରାଧିକା ରାୟ ଆରଆରପିଆର (ରାଧିକା ରାୟ ପ୍ରଣୟ ରାୟ) ହୋଲଡିଂ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ପଦବିରୁ ଗତକାଲି ଇସ୍ତଫା ଦେଇଛନ୍ତି। ଏନଡିଟିଭିରେ ଏହି କମ୍ପାନିର ୨୯.୧୮ ପ୍ରତିଶତ ଅଂଶଧନ ରହିଥିଲା। ତେବେ ଉକ୍ତ କମ୍ପାନିକୁ ଆଦାନି ଗ୍ରୁପ୍ କିଣିନେବା ପରେ ରାୟ ଦମ୍ପତ୍ତି ଏହାର ନିର୍ଦ୍ଦେଶକ ପଦରୁ ଓହରି ଯାଇଛନ୍ତି। ତେବେ ପ୍ରତିଷ୍ଠାତା ଭାବେ ଏବେ ବି ରାୟ ଦମ୍ପତ୍ତିଙ୍କ ନିକଟରେ ଏନଡିଟିଭିର ୩୨.୨୬ ପ୍ରତିଶତ ଅଂଶଧନ ରହିଛି।

ପ୍ରଣୟ ରାୟ ଏନଡିଟିଭିର ଅଧ୍ୟକ୍ଷ ଥିବାବେଳେ ରାଧିକା ରାୟ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରହିଛନ୍ତି। ତେବେ ଆରଆରପିଆର ହୋଲଡିଂରେ ସୁଦୀପ୍ତା ଭଟ୍ଟାଚାର୍ଯ୍ୟ, ସଞ୍ଜୟ ପୁଗାଲିଆ ଏବଂ ସେନ୍ଥିଲ ସିନିଆ ଚେଙ୍ଗଲବରୟାନଙ୍କୁ ନିର୍ଦ୍ଦେଶକଭାବେ ନିଯୁକ୍ତି ମିଳିଛି। ଏମାନେ ଆଦାନି ଗ୍ରୁପର ନୋମିନି ଭାବେ ନିଯୁକ୍ତି ପାଇଛନ୍ତି। ଆରଆରପିଆର ହୋଲଡିଂ କମ୍ପାନିର ବୋର୍ଡରୁ ଇସ୍ତଫା ଦେଇଥିଲେ ମଧ୍ୟ ରାୟ ଦମ୍ପତ୍ତିଙ୍କର ଏନଡିଟିଭିରେ ପ୍ରତ୍ୟକ୍ଷ ଅଂଶଧନ ଥିବାରୁ ସେମାନେ ଏବେ ବୋର୍ଡରେ ରହିବେ। ଏନଡିଟିଭିରେ ସେମାନଙ୍କର ପୃଥକଭାବେ ୩୨.୨୬ ପ୍ରତିଶତ ଅଂଶଧନ ରହିଛି। ତେବେ ଆଦାନି ଗ୍ରୁପ ଆରମ୍ଭ କରିଥିବା ଓପନ ଅଫର ପରେ ପରିସ୍ଥିତି କି ରୂପ ନେବ ତାହା ଆଗାମୀ ଦିନରେ ଜଣାପଡ଼ିବ।

ସମ୍ବନ୍ଧିତ ଖବର