ପ୍ରାକ୍‌ ବଜେଟ୍‌ ଆଲୋଚନା:୫୦୦ ଟଙ୍କାର ଭତ୍ତା ଦିଅ

ନୂଆଦିଲ୍ଲୀ: ସାମାଜିକ ନିରାପତ୍ତା ବାବଦରେ ପ୍ରଦାନ କରାଯାଉଥିବା ଭତ୍ତା ପରିମାଣ ବଢ଼ାଇବା ପାଇଁ ବଜେଟ୍‌୍‌ରେ ବ୍ୟବସ୍ଥାକୁ କରିବାକୁ ଅର୍ଥନୀତିଜ୍ଞମାନେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲିଙ୍କୁ ଅନୁରୋଧ କରିଛନ୍ତି। ଆଜି ଅର୍ଥନୀତିଜ୍ଞମାନଙ୍କ ସହିତ ଜେଟ୍‌ଲି ପ୍ରାକ୍‌ ବଜେଟ୍‌ ଆଲୋଚନା କରିଛନ୍ତି। ବୈଠକରେ ବିଶିଷ୍ଟ ଅର୍ଥନୀତିଜ୍ଞ ଜିନ୍‌ ଡ୍ରେଜେ କହିଛନ୍ତି ଯେ ମାସିକ ଭତ୍ତା ପରିମାଣ ଏବେ ୨୦୦ ଟଙ୍କା ରହିଛି। ଏତେ କମ୍‌ ପରିମାଣର ଭତ୍ତା ଗ୍ରହଣୀୟ ନୁହେଁ। ମାସିକ ଭତ୍ତା ପରିମାଣ ଅତିକମରେ ୫୦୦ ଟଙ୍କା କରାଯାଉ ବୋଲି ସେ କହିଛନ୍ତି। ଯଦି ସମ୍ଭବ ହେଉଛି ମାସକୁ ୧୦୦୦ ଟଙ୍କାର ଭତ୍ତା ଦେବାକୁ ସେ ଜେଟ୍‌ଲିଙ୍କୁ କହିଛନ୍ତି।

ପୂର୍ବତନ ଅର୍ଥନୈତିକ ଉପଦେଷ୍ଟା ଅରବିନ୍ଦ ଭିରମାନି କହିଥିଲେ ଯେ ସୀମା ଶୁଳ୍କ ଏବଂ ଏକ୍‌ଜିମ୍‌ ଶୁଳ୍କ କ୍ଷେତ୍ରରେ ୧୦ ବର୍ଷ ଭିତରେ କିଛଇ ସଂସ୍କାର ହୋଇନାହିଁ। ଏ ଦିଗରେ ଗୁରୁତ୍ୱ ପ୍ରଦାନ କରାଯିବା ଦରକାର। ବିତ୍ତୀୟ ନିଅଣ୍ଟ ପାଇଁ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟ ହାସଲ କରିବା ନିମନ୍ତେ ସରକାର ଯତ୍ନବାନ ରହିବା ଦରକାର ବୋଲି ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ପରିଷଦର ସଦସ୍ୟ ରଥିନ୍‌ ରାୟ କହିଛନ୍ତି। ବୈଠକରେ ଅର୍ଥ ସଚିବ ହସମୁଖ ଆଧିଆ, ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଅରବିନ୍ଦ ସୁବ୍ରମଣ୍ୟନ୍‌, ଆର୍ଥିକ ସେବା ସଚିବ ରାଜୀବ କୁମାର ଓ ବ୍ୟୟ ସଚିବ ଏ ଏନ୍‌ ଝା ଉପସ୍ଥିତ ଥିଲେ।
୨୦୧୮ ଫେବ୍ରୁଆରି ପହିଲାରେ କେନ୍ଦ୍ର ସରକାର ବଜେଟ୍‌ ଉପସ୍ଥାପନ କରିବେ। ବିଭିନ୍ନ କ୍ଷେତ୍ର ବଜେଟ୍‌ରୁ କ’ଣ ଆଶା କରୁଛନ୍ତି ତାହା ଜାଣିବା ପାଇଁ ପ୍ରାକ୍‌ ବଜେଟ୍‌ ଆଲୋଚନା ଆୟୋଜନ କରାଯାଉଛି।

ସମ୍ବନ୍ଧିତ ଖବର