ଭୁବନେଶ୍ବର: ସାମାଜିକ କ୍ଷେତ୍ରରେ ପଡ଼ୋଶୀ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶାର ବ୍ୟୟବରାଦ କମ୍ ରହୁଛି। ଆନ୍ଧ୍ରପ୍ରଦେଶ, ବିହାର ଓ ଝାଡ଼ଖଣ୍ଡ ସରକାର ନିଜ ବଜେଟ୍ର ୫୦%ରୁ ଅଧିକ ଅର୍ଥ ଏହି କ୍ଷେତ୍ରରେ ବ୍ୟୟ କରୁଥିବା ବେଳେ ଓଡ଼ିଶା ସେମାନଙ୍କ ଠାରୁ ପଛୁଆ (୪୫.୩%) ରହିଛି। ତେଣୁ ୨୦୨୧-୨୨ ବଜେଟ୍ରେ ରାଜ୍ୟ ସରକାର ସାମାଜିକ କ୍ଷେତ୍ରରେ ବ୍ୟୟକୁ ୫୦% ପର୍ଯ୍ୟନ୍ତ ବୃଦ୍ଧି କରିବା ଦରକାର ବୋଲି ଆଜି ସିୱାଇଏସ୍ଡି ଓ ଓଡ଼ିଶା ବଜେଟ୍ ଆକାଉଣ୍ଟାବିଲିଟି ସେଣ୍ଟର (ଓବାକ୍) ପକ୍ଷରୁ ଆୟୋଜନ କରାଯାଇଥିବା ‘ ଓଡ଼ିଶା ରାଜ୍ୟ ବଜେଟ୍ ୨୦୨୧-୨୨ରେ ପ୍ରାଥମିକତା’ ଶୀର୍ଷକ ପ୍ରାକ୍ ବଜେଟ୍ ବୈଠକରେ ଏହି ପ୍ରସ୍ତାବ ଦିଆଯାଇଛି।
କରୋନା ମହାମାରୀ ବ୍ୟାପିବା ପରଠାରୁ ସ୍ବାସ୍ଥ୍ୟ ସେବା, ଶିକ୍ଷା, ଖାଦ୍ୟ ଓ ପୁଷ୍ଟି ସୁରକ୍ଷା, ଜୀବନଜୀବିକାର ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଦେବା ଦରକାର ହୋଇପଡ଼ିଛି। ସ୍ବାସ୍ଥ୍ୟ କ୍ଷେତ୍ରରେ ବଜେଟ୍ର ୮% ଅର୍ଥ ବ୍ୟୟ କରିବା ଲାଗି ଜାତୀୟ ସ୍ବାସ୍ଥ୍ୟ ନୀତିରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଓଡ଼ିଶା ଏପର୍ଯ୍ୟନ୍ତ ୫.୧୩% ସ୍ତରରେ ପହଞ୍ଚିଛି। ପ୍ରାଥମିକ ସ୍ବାସ୍ଥ୍ୟ ସେବାକୁ ଅଗ୍ରାଧିକାର ଦେଇ ବଜେଟ୍ର ୭-୮% ଅର୍ଥ ସ୍ବାସ୍ଥ୍ୟ ସେବାରେ ବିନିଯୋଗ କରିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଚିକିତ୍ସା ଓ ନିଦାନ ପାଇଁ ଥିବା ସବୁ ସ୍କିମ୍ ଯଥା ନିଦାନ, ଜେଏସ୍ଏସ୍କେ, ସହାୟ, ଆମ କ୍ଲିନିକ୍, ସମ୍ପୂର୍ଣ୍ଣ ଓ ନିରାମୟ ଆଦିକୁ ଗୋଟିଏ ବଡ଼ ସ୍କିମ୍ ଅଧୀନରେ ମିଶାଇବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି। ଜନନୀ ସୁରକ୍ଷା ଯୋଜନା ଓ ମମତା ଭଳି ସ୍କିମ୍କୁ ବାଦ ଦେଇ ଅନ୍ୟ ସବୁ ସ୍କିମ୍କୁ ମିଶାଇ ଦେବାକୁ ପ୍ରସ୍ତାବ ଦିଆଯାଇଛି। ଅଣ କୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ମଜୁରି ୨୮୬ ଟଙ୍କା ୩୦ ପଇସା ଥିବା ବେଳେ ରାଜ୍ୟରେ ମନରେଗା କାମ ପାଇଁ ୨୦୭ ଟଙ୍କା ମଜୁରି ଦିଆଯାଉଥିବା ନେଇ ବୈଠକରେ ବକ୍ତାମାନେ ଉଦବେଗ ପ୍ରକାଶ କରିଛନ୍ତି। ସେଥିପାଇଁ ଅଧିକାଂଶ ପ୍ରବାସୀ ଶ୍ରମିକ ଏହି ସ୍କିମ୍ରେ କାମ କରିବାକୁ ଅମଙ୍ଗ ହେଉଥିବା ସେମାନେ କହିଛନ୍ତି। ରାଜ୍ୟରେ ବରଗଡ଼, ବଲାଙ୍ଗୀର ଓ କଳାହାଣ୍ଡିର ୨୦ଟି ବ୍ଲକ୍ରେ ମନରେଗାର ଦୈନିକ ମଜୁରି ୨୮୬ ଟଙ୍କା ୩୦ ପଇସା ରହିଛି। ଏହି ମଜୁରିକୁ ସାରା ରାଜ୍ୟରେ ଲାଗୁ କରିବା ଲାଗି ବଜେଟ୍ରେ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି।
ବୈଠକରେ ସି୍ୱାଇଏସ୍ଡିର ପ୍ରତିଷ୍ଠାତା ସଦସ୍ୟ ଜଗଦାନନ୍ଦ ସ୍ବାଗତ ଭାଷଣ ଦେଇଥିଲେ। ଆଜି ଯେଉଁ ସବୁ ପ୍ରସ୍ତାବ ଦିଆଯାଇଛି ସେଗୁଡ଼ିକୁ ବିଚାରକୁ ନିଆଯିବ ବୋଲି ଅର୍ଥ ବିଭାଗର ଡକ୍ଟର ସତ୍ୟପ୍ରିୟ ରଥ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଅବସରରେ ୱାସନ୍ର ଏ ରବୀନ୍ଦ୍ର, ସ୍ବାସ୍ଥ୍ୟ ସ୍ବରର ଡକ୍ଟର ଆକ୍ବିନାସ ଏଡାସେରି, ପ୍ରଫେସର ଗୌରାଙ୍ଗ ଚନ୍ଦ୍ର ନନ୍ଦ ଓ ଅକ୍ସଫାମ୍ ଇଣ୍ଡିଆର ଡକ୍ଟର ପ୍ରଭାସ ମିଶ୍ର, ନବନୀତା ଦାସ ପ୍ରମୁଖ ବକ୍ତା ଭାବେ ଅଂଶଗ୍ରହଣ କରିଥିଲେ। ବସନ୍ତ କୁମାର ନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
ସରକାରଙ୍କୁ ପ୍ରସ୍ତାବ
ପ୍ରାଥମିକ ଅନୁଷ୍ଠାନଗୁଡ଼ିକରେ ପାନୀୟ ଜଳ, ଶୌଚାଳୟ ବ୍ୟବସ୍ଥାର ସୁଦୃଢ଼ୀକରଣ
ଅପହଞ୍ଚ ଅଞ୍ଚଳ ପାଇଁ ପାଣି ଉତ୍ସ ସୃଷ୍ଟି
ଗ୍ରାମାଞ୍ଚଳ ସ୍ବରେଜ୍ ବ୍ୟବସ୍ଥାରେ ଉନ୍ନତି
ଦିବ୍ୟାଙ୍ଗ ମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା
ଅନ୍ଲାଇନ୍ ଶିକ୍ଷାଦାନ ପାଇଁ ଭିତ୍ତିଭୂମି ସୃଷ୍ଟି କରିବା ଏବଂ ଖାଲିଥିବା ପଦବି ପୂରଣ କରିବା
ନୂତନ ଶିକ୍ଷା ନୀତି ଲାଗୁ କରିବା ଲାଗି ସମ୍ବଳ ଯୋଜନା ପ୍ରସ୍ତୁତ କରିବା
ମନରେଗାରେ ମଜୁରି ବଢ଼ାଇବା
ମନରେଗାରେ କୃଷି କାମକୁ ସାମିଲ କରିବା
ପାରମ୍ପରିକ ଓ ପ୍ରାକୃତିକ କୃଷିର ବିକାଶ ପାଇଁ ବ୍ୟବସ୍ଥା କରିବା
ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସମସ୍ତ ହିତାଧିକାରୀଙ୍କୁ ସାମିଲ କରିବା
ଲିଙ୍ଗଗତ ବଜେଟ୍, ଶିଶୁ ବଜେଟ୍ ଓ ପୁଷ୍ଟି ବଜେଟ୍କୁ ବ୍ୟାପକ କରିବା
ପ୍ରବାସୀ ଶ୍ରମିକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା
ଗ୍ରାମ ପଞ୍ଚାୟତ ସ୍ତରରେ ବିପର୍ଯ୍ୟୟ ପରିଚାଳନାକୁ ସଶକ୍ତ କରିବା
ଗୋଷ୍ଠୀ ଅନୁଷ୍ଠାନଗୁଡ଼ିକର ଦକ୍ଷତା ବଢ଼ାଇବା
ମହିଳାଙ୍କ ବିରୋଧରେ ହେଉଥିବା ହିଂସା ରୋକିବାକୁ ସ୍ବତନ୍ତ୍ର ବ୍ୟବସ୍ଥା