ଭୁବନେଶ୍ବର: ପ୍ରତିବର୍ଷ ଫେବ୍ରୁଆରି ୪କୁ ବିଶ୍ୱ କର୍କଟ ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ବିଶ୍ୱ କର୍କଟ ଦିବସର ପ୍ରସଙ୍ଗ ରହିଛି ‘ୟୁନାଇଟେଡ୍ ବାଇ ୟୁନିକ୍’। ଅର୍ଥାତ୍ ମିଳିତ ଭାବେ କର୍କଟକୁ ପରାସ୍ତ କରିହେବ। ବିଶ୍ୱ କର୍କଟ ଦିବସର ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କ ମଧ୍ୟରେ ଏହି ରୋଗ ଠାରୁ ଦୂରେଇ ରହିବା ସହ ଏହାକୁ ପରାସ୍ତ କରିବା ନେଇ ସଚେତନତା ସୃଷ୍ଟି କରିବା ଏବଂ ଏହାର ଚିହ୍ନଟ, ଚିକିତ୍ସା ଏବଂ ପ୍ରତିରୋଧ ବିଷୟରେ ଲୋକମାନଙ୍କୁ ଶିକ୍ଷା ଦେବା।
କର୍କଟ ସ୍କ୍ରିନିଂ, ପ୍ରତିରୋଧ ଏବଂ ଚିକିତ୍ସା ଦ୍ୱାରା ହିଁ ଭାରତ ଏବଂ ବିଶ୍ୱସ୍ତରରେ ଏହି ରୋଗର ହାରକୁ ହ୍ରାସ କରିହେବ ବୋଲି ସମ୍ ଅଲ୍ଟିମେଟ ମେଡିକେୟାର୍ର ସିନିୟର କନ୍ସଲ୍ଟାଣ୍ଟ, ମେଡିକାଲ୍ ଅଙ୍କୋଲୋଜି ଡାକ୍ତର ପ୍ରିୟା ପ୍ରିୟଦର୍ଶିନୀ ନାୟକ କହିଛନ୍ତି। ବିଶେଷ କରି ସ୍ୱଳ୍ପ ଏବଂ ମଧ୍ୟମ ଆୟ ରହୁଥିବ ଦେଶ ଗୁଡ଼ିକରେ ନିରକ୍ଷରତା ହିଁ କର୍କଟର ମୁଖ୍ୟ କାରଣ ହୋଇଥିବା ବେଳେ ଉପଯୁକ୍ତ ଶିକ୍ଷା ଓ ସଚେତନତା ହିଁ ଏହାର ନିରାକରଣ ହୋଇପାରିବ। ସୁସ୍ଥ ଜୀବନଶୈଳୀ ଦ୍ୱାରା ହିଁ କର୍କଟ ରୋଗକୁ ପ୍ରତିରୋଧ କରିହେବ ବୋଲି ସେ କହିଛନ୍ତି।