ନୂଆଦିଲ୍ଲୀ: ଭାରତରେ ୨୦୨୨ ମସିହାରେ ୧୪.୪ କୋଟି ସ୍ମାର୍ଟଫୋନ ବିକ୍ରି ହୋଇଛି, ଯାହାକି ୨୦୧୯ ମସିହାଠାରୁ ସର୍ବନିମ୍ନ। ୨୦୨୧ ତୁଳନାରେ ୨୦୨୨ର ସ୍ମାର୍ଟଫୋନ ବିକ୍ରି ୧୦ ପ୍ରତିଶତ କମିଛି ବୋଲି ଇଣ୍ଟରନ୍ୟାସନାଲ ଡାଟା କର୍ପୋରେସନ (ଆଇଡିସି) ପକ୍ଷରୁ ପ୍ରସ୍ତୁତ ତଥ୍ୟରୁ ଜଣାଯାଇଛି। ମୁଖ୍ୟତଃ ଏଣ୍ଟ୍ରି ଲେଭେଲ ବା କମ୍ ମୂଲ୍ୟର ଫୋନ ବିକ୍ରିରେ ୫୪ ପ୍ରତିଶତ ହ୍ରାସ ପାଇବା କାରଣରୁ ଦେଶରେ ସ୍ମାର୍ଟଫୋନ ବିକ୍ରି ହ୍ରାସ ପାଇଛି। ଏହାଫଳରେ ମୋଟ ଫୋନ ବଜାରରେ ଏଣ୍ଟ୍ରି ଲେଭେଲ ଫୋନର ଅଂଶ ୪୬ ପ୍ରତିଶତକୁ ଖସିଯାଇଛି। ଦେଶରେ ମୋଟ ଫୋନ ବିକ୍ରି ହ୍ରାସ ପାଇଥିଲେ ମଧ୍ୟ ପ୍ରିମିୟମ ଫୋନର ବିକ୍ରି ବଢ଼ିଛି।
ମିଡ-ପ୍ରିମିୟମ ଏବଂ ପ୍ରିମିୟମ ସ୍ମାର୍ଟଫୋନ ବିକ୍ରି ଯଥାକ୍ରମେ ୨୦ ପ୍ରତିଶତ ଓ ୫୬ ପ୍ରତିଶତ ବୃଦ୍ଧି ଘଟିଛି ବୋଲି ଆଇଡିସି ଏସିଆ ପ୍ରଶାନ୍ତ ମହାସାଗର ଅଞ୍ଚଳର ମୁଖ୍ୟ ବିଶ୍ଳେଷକ ଉପାସନା ଯୋଶୀ କହିଛନ୍ତି। ୩୦୦ ଡଲାର ମୂଲ୍ୟର ସ୍ମାର୍ଟଫୋନ ବଜାର ଆକାର ଏବେ ୧୬ ପ୍ରତିଶତକୁ ବୃଦ୍ଧି ପାଇଛି। ବର୍ଷକ ପୂର୍ବେ ଏହା ୧୧ ପ୍ରତିଶତ ରହିଥିଲା। ସ୍ମାର୍ଟଫୋନର ହାରାହାରି ବିକ୍ରି ମୂଲ୍ୟ ୨୨୪ ଡଲାରକୁ ବୃଦ୍ଧି ଘଟିଛି। ୨୦୨୧ ତୁଳନାରେ ଏଥିରେ ୧୮ ପ୍ରତିଶତ ବୃଦ୍ଧି ଘଟିଛି।
ସଂଖ୍ୟା ଦୃଷ୍ଟିରେ ଭାରତରେ ମୋବାଇଲ ଫୋନ ବିକ୍ରି ସଂଖ୍ୟା ୧୫୦ରୁ ୧୫୫ ନିୟୁତରେ ସ୍ଥିର ରହିଥିବାବେଳେ ପ୍ରିମିୟମ ଫୋନ ବିକ୍ରି ଯୋଗୁ ମୂଲ୍ୟ ଦୃଷ୍ଟିରୁ ଏହି ବଜାର ଆଗକୁ ବଢ଼ିଛି। ତେଣୁ ଏଣ୍ଟ୍ରି ଲେଭଲ ଏବଂ ମିଡିୟମ ଫୋନ ତୁଳନାରେ କମ୍ପାନି ଗୁଡ଼ିକ ଏବେ ପ୍ରିମିୟମ ଫୋନ ଅଧିକ ମାତ୍ରାରେ ବଜାରକୁ ଆଣୁଛନ୍ତି।