ନୂଆଦିଲ୍ଲୀ: ଇନ୍‌ଫୋସିସ୍‌ ଭଳି ଏକ ବିଶାଳ ଆଇଟି କଂପାନି ସ୍ଥାପନ କରି ଦୁନିଆରେ ଭାରତୀୟ ଆଇଟି ଶିଳ୍ପକୁ ପରିଚିତ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିବା ଏନ୍‌ ଆର୍‌ ନାରାୟଣମୂର୍ତ୍ତି ଏକଦା ଚାକିରି କରିବାକୁ ଚାହୁଥିଲେ। ସେଥିପାଇଁ ସେ ଅଜିମ୍‌ ପ୍ରେମ୍‌ଜୀ ସ୍ଥାପନ କରିଥିବା ଆଇଟି କଂପାନି ୱିପ୍ରୋରେ ଆବେଦନ କରିଥିଲେ। ତାଙ୍କୁ କିନ୍ତୁ ଚାକିରି ଦେବାକୁ ପ୍ରେମ୍‌ଜୀ ମନା କରିଦେଇଥିଲେ। ସେହି ଘଟଣା ପରେ ନିଜର ଏକ ଆଇଟି କଂପାନି ଆରମ୍ଭ କରିବାକୁ ନାରାୟଣମୂର୍ତ୍ତି ମନ ସ୍ଥିର କରିଥିଲେ। ସେହିଠାରୁ ଇନ୍‌ଫୋସିସ୍‌ ଗଠନର ମୂଳଦୁଆ ପଡ଼ିଥିଲା। ନାରାୟଣମୂର୍ତ୍ତି କହିଛନ୍ତି ‌ଯେ ଯଦି ସେହି ସମୟରେ ପ୍ରେମ୍‌ଜୀ ମୋତେ ଚାକିରି ଦେଇଥାନ୍ତେ ଆଜି ଯାହା ହୋଇଛି ତାହା ଭିନ୍ନ ହୋଇଥାନ୍ତା। ମୂର୍ତ୍ତିଙ୍କୁ ଚାକିରି ନଦେବା ଏକ ବହୁତ ବଡ଼ ଭୁଲ ଥିଲା ବୋଲି ପରବର୍ତ୍ତୀ ସମୟରେ ପ୍ରେମ୍‌ଜୀ ସ୍ବୀକାର କରିବା ସହ ସେଥିପାଇଁ ଅନୁତପ୍ତ କରୁଥିବା କହିଥିଲେ।

Advertisment

ନାରାୟଣମୂର୍ତ୍ତି ନିଜ ପତ୍ନୀ ସୁଧା ମୂର୍ତ୍ତିଙ୍କଠାରୁ ୧୦ ହଜାର ଟଙ୍କା ଆଣି ଅନ୍ୟ ୬ ଜଣ ବନ୍ଧୁଙ୍କ ସହ ମିଶି ୧୯୮୧ରେ ଇନ୍‌ଫୋସିସ୍‌କୁ ସ୍ଥାପନ କରିଥିଲେ। ଇତି ମଧ୍ୟରେ ଇନ୍‌ଫୋସିସ୍‌ର ବଜାର ମୂଲ୍ୟ ୬.୬୫ ଲକ୍ଷ କୋଟି ଟଙ୍କା ଥିବା ବେଳେ ୱିପ୍ରୋ ମୂଲ୍ୟ ୨.୪୩ ଲକ୍ଷ କୋଟି ଟଙ୍କା ରହିଛି। ଅର୍ଥାତ ପ୍ରେମ୍‌ଜୀଙ୍କ ୱିପ୍ରୋଠାରୁ ଇନ୍‌ଫୋସିସ୍‌ ପ୍ରାୟ ତିନି ଗୁଣା ବଡ଼। ଇନ୍‌ଫୋସିସ୍‌କୁ ଆରମ୍ଭ କରିବା ପୂର୍ବରୁ ନାରାୟଣମୂର୍ତ୍ତି ଆଇଆଇଏମ୍ ଅହମ୍ମଦାବାଦରେ ରିସର୍ଚ୍ଚ ଆସୋସିଏଟ୍‌ ଭାବେ କାମ କରିଥିଲେ। ଏହା ପରେ ସେ ଇଲେକ୍ଟ୍ରୋନିକ୍ସ କର୍ପୋରେସନ ଅଫ୍ ଇଣ୍ଡିଆ ଲାଗି ଚିଫ୍‌ ସିଷ୍ଟମ୍‌ସ ପ୍ରୋଗ୍ରାମର ଭାବେ କାମ କରିଥିଲେ। ନିଜର କିଛି ବନ୍ଧୁଙ୍କ ସହିତ ମିଶି ସେ ଭାରତର ପ୍ରଥମ ବେସିକ୍ ପ୍ରିଣ୍ଟର ବିକାଶ କରିଥିଲେ। ସେହି ସଂସ୍ଥା ତା’ପରେ ନିଜର ଆଇଟି କଂପାନି ସଫ୍ଟୋନିକ୍ସ ଆରମ୍ଭ କରିଥିଲେ ଯାହା ବିଫଳ ହୋଇଥିଲା। ତା’ପରେ ସେ ଇନ୍‌ଫୋସିସ୍ ପ୍ରତିଷ୍ଠା କରିଥିଲେ।

ନାରାୟଣମୂର୍ତ୍ତି ଓ ପ୍ରେମ୍‌ଜୀଙ୍କ ଭାବନା ଅଲଗା ପ୍ରକାରର ଥିଲା। ପରିବାରକୁ କମ୍ପାନିରେ ସାମିଲ କରିବା ସପକ୍ଷରେ ନଥିଲେ ନାରାୟଣମୂର୍ତ୍ତି। ସେଥିପାଇଁ ପତ୍ନୀ ସୁଧା ଯୋଗ୍ୟ ହୋଇଥିଲେ ମଧ୍ୟ ସେ ତାଙ୍କୁ ଇନ୍‌ଫୋସିସ୍‌ରେ ଯୋଗଦେବାର ଅନୁମତି ଦେଇନଥିଲେ। ତାଙ୍କ ପୁଅ ରୋହନ ମୂର୍ତ୍ତି ମଧ୍ୟ ଇନ୍‌ଫୋସିସ୍‌ରେ ଯୋଗଦେବା ଲାଗି କେବେବି କହିନାହିଁ ବୋଲି ନାରାୟଣମୂର୍ତ୍ତି କହିଛନ୍ତି। କିନ୍ତୁ ନିକଟରେ ସେ ସ୍ବୀକାର କରିଛନ୍ତି ଯେ ପରିବାର ସଦସ୍ୟଙ୍କୁ କଂପାନିରେ ସାମିଲ ନକରିବା ନେଇ ତାଙ୍କର ଯେଉଁ ଭାବନା ଥିଲା ତାହା ଭୁଲ। ଅନ୍ୟପକ୍ଷରେ, ୱିପ୍ରୋର ନେତୃତ୍ବ ପଦରୁ ପ୍ରେମ୍‌ଜୀ ହଟିଯିବା ପରେ ତାଙ୍କ ପୁଅ ରିଷଦ୍‌ ପ୍ରେମ୍‌ଜୀ କଂପାନିର ମଙ୍ଗ ସମ୍ଭାଳିଥିଲେ। ୨୦୧୯ରେ ରିଷଦ କଂପାନିର ଅଧ୍ୟକ୍ଷ ହୋଇଥିଲେ।

ଭାରତକୁ ଦ୍ରୁତ ଗତିରେ ଆଗକୁ ବଢ଼ିବା ପାଇଁ ଯୁବବର୍ଗ ସପ୍ତାହକୁ ୭୦ ଘଣ୍ଟା କାର୍ଯ୍ୟ କରିବା ଲାଗି କହିବା ପରେ ତାଙ୍କୁ ସମାଲୋଚନା ସାମ୍ନା କରିବାକୁ ପଡ଼ିଥିଲା। ଅବଶ୍ୟ ଏହି ଘଟଣାରେ ପତ୍ନୀ ସୁଧା ତାଙ୍କ ସହିତ ଠିଆ ହୋଇଛନ୍ତି। ସେ ନିଜେ ୭୩ ବର୍ଷ ବୟସରେ କଠିନ ପରିଶ୍ରମ କରୁଥିବା କହିଛନ୍ତି। ନାରାୟଣମୂର୍ତ୍ତି ନିଜେ କରିନଥିବା କାମ ପାଇଁ କେବେବି ପରାମର୍ଶ ଦିଅନ୍ତି ନାହିଁ କହି ସେ ସ୍ବାମୀଙ୍କ କଥାକୁ ସମର୍ଥନ ଜଣାଇଛନ୍ତି। ନିଜ ୭୦ ଘଣ୍ଟା କାର୍ଯ୍ୟ ମନ୍ତବ୍ୟ ଉପରେ ସ୍ପଷ୍ଟୀକରଣ ଦେଇ ନାରାୟଣମୂର୍ତ୍ତି କହିଛନ୍ତି ଯେ ଯେଉଁମାନେ ସରକାରୀ ଲାଭ ପାଉଛନ୍ତି ସେମାନଙ୍କୁ ସମାଜର କଲ୍ୟ‌ାଣ ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ। ଯେଉଁମାନେ ଟିକସଦାତାଙ୍କ ଟଙ୍କାରେ କିଛି ଲାଭ ପାଉଛନ୍ତି ସେମାନେ ସମାଜର କଲ୍ୟାଣ ପାଇଁ ଅଧିକ କାମ କରିବା ଦରକାର। ସେହି ଦୃଷ୍ଟିରୁ ସପ୍ତାହକୁ ୭୦ ଘଣ୍ଟା କାମ କରିବା ପାଇଁ ମୁଁ ଯେଉଁ ପ୍ରସ୍ତାବ ଦେଇଥିଲେ ସେଥିପାଇଁ ଦୁଃଖିତ ନୁହେଁ ବୋଲି ନାରାୟଣମୂର୍ତ୍ତି କହିଛନ୍ତି।