ଭୁବନେଶ୍ୱର: ନୂଆ ସରକାରଙ୍କ ଉପରେ ଜନସାଧାରଣଙ୍କ ବହୁତ ଆଶା ଆକାଂକ୍ଷା ରହିଛି। ରାଜ୍ୟ ବଜେଟ୍‌ରେ ଏହା ପ୍ରତିଫଳିତ ହେବା ଆବଶ୍ୟକ। ଆଜି ଯୋଜନା ଓ ସଂଯୋଜନ ବିଭାଗର କାର୍ଯ୍ୟ ସମୀକ୍ଷା କରି ଏକ ଲୋକାଭିମୁଖୀ ବଜେଟ୍ ପ୍ରସ୍ତୁତ କରିବାକୁ ପରାମର୍ଶ ଦେବା ସହିତ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଯୋଜନାଗୁଡ଼ିକ ଯେପରି ତୃଣମୂଳ ସ୍ତରରେ ଠିକ୍ ଭାବରେ ପହଞ୍ଚିବ ଓ ଲୋକ ଏହାର ସୁଫଳ ପାଇବେ ସେ ଉପରେ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ ଖଣିଜ ପାଣ୍ଠିର ସୁବିନିଯୋଗ ଉପରେ ମଧ୍ୟ ଗୁରୁତ୍ବ ଦେଇଛନ୍ତି। ଏହି ପାଣ୍ଠି ସହାୟତାରେ ଖଣି ଅଞ୍ଚଳର ଜିଲ୍ଲାଗୁଡ଼ିକରେ ଟ୍ରମା କେୟାର ସେଣ୍ଟର ପ୍ରତିଷ୍ଠା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ଜିଲ୍ଲା ସ୍ଥିତ ମେଡିକାଲ କଲେଜ ଗୁଡ଼ିକରେ ଟ୍ରମା କେୟାର ସେଣ୍ଟର ପ୍ରତିଷ୍ଠା ପାଇଁ ସେ ଗୁରୁତ୍ୱ ଦେଇଛନ୍ତି।

Advertisment

ଡିଏମ୍‌ଏଫ୍ ପାଣ୍ଠିରେ ଟ୍ରମା କେୟାର ସେଣ୍ଟର ପ୍ରତିଷ୍ଠା ନିର୍ଦ୍ଦେଶ
ସଂକଳ୍ପପତ୍ରର ମୁଖ୍ୟ ପ୍ରତିଶ୍ରୁତିକୁ ଅନୁଧ୍ୟାନ କରି ପଦକ୍ଷେପ ନିଅ
ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦ ଗଠନ ପାଇଁ ଟାସ୍କଫୋର୍ସ

ଦଳର ସଂକଳ୍ପ ଅନୁଯାୟୀ ଉତ୍ତର ଓଡ଼ିଶା ଉନ୍ନୟନ ପରିଷଦ ଓ ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦ ଗଠନ ଲାଗି ଟାସ୍କଫୋର୍ସ ପ୍ରସ୍ତୁତ କରି ଅନୁଧ୍ୟାନ କରି ପ୍ରସ୍ତାବ ଦେବାକୁ ସେ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ସଂକଳ୍ପ ପତ୍ରର ସବୁ ପ୍ରମୁଖ ପ୍ରତିଶ୍ରୁତି ଗୁଡ଼ିକୁ ଅନୁଧ୍ୟାନ କରି ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଥିଲେ। ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଯୋଜନା ଓ ସଂଯୋଜନ ବିଭାଗର ବରିଷ୍ଠ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ବିଭାଗର କାର୍ଯ୍ୟାବଳୀ ସମ୍ବନ୍ଧରେ ବିଶଦ ଭାବରେ ଅବଗତ କରାଇଥିଲେ।