ରିଜର୍ଭ ବ୍ୟାଙ୍କ ଉପରେ ଚାପ ବଢ଼ୁଛି, ସୋମବାର ବୋର୍ଡ ବୈଠକ

ନୂଆଦିଲ୍ଲୀ: ସରକାର ଏବଂ ରିଜର୍ଭ ବ୍ୟାଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ବଢ଼ିବାରେ ଲାଗିଛି। ରିଜର୍ଭ ବ୍ୟାଙ୍କ ଉପରେ ସରକାର ନିରୀକ୍ଷଣ ବଢ଼ାଇବା ଲାଗି କେତେକ ନିୟମ ବଦଳାଇବା ପ୍ରସ୍ତାବ ଦେଇଛନ୍ତି। ଏହି ବିଷୟ ସହ ଜଡ଼ିତ ସରକାରୀ କର୍ମଚାରୀଙ୍କ କହିବାନୁଯାୟୀ, ବିବାଦ ଯୋଗୁ ସବୁଠୁ ଅଧିକ ବେଗରେ ଆଗକୁ ବଢ଼ୁଥିବା ଅର୍ଥନୀତି ଉପରେ ନିବେଶକଙ୍କ ଭରସା କମିବା ଆଶଙ୍କା ରହିଛି। ଏଥିଯୋଗୁ ମୋଦୀ ସରକାର ରିଜର୍ଭ ବ୍ୟାଙ୍କ ବୋର୍ଡକୁ ନିର୍ଦ୍ଦେଶ ଦେଇଛି ଯେ, ଆର୍ଥିକ ସ୍ଥିରତା, ଅନୁଧ୍ୟାନ ନୀତି ଓ ବୈଦେଶିକ ମୁଦ୍ରା ପରିଚାଳନା ଉପରେ ନଜର ରଖିବା ପାଇଁ ଏକ କମିଟି କଠନ କରାଯାଉ। ସରକାରଙ୍କ ଏହି ପଦକ୍ଷେପ ଦ୍ବାରା ରିଜର୍ଭ ବ୍ୟାଙ୍କ ବୋର୍ଡର ଶକ୍ତି ମଧ୍ୟ ବୃଦ୍ଧି ପାଇବ। ଏହାମଧ୍ୟ କୁହାଯାଉଛି ଯେ, ରିଜର୍ଭ ବ୍ୟାଙ୍କରେ ସରକାରଙ୍କ ଦ୍ବାରା ମନୋନୀତ ସଦସ୍ୟମାନେ ଏହି ଅନୁଧ୍ୟାନ କାର୍ଯ୍ୟ କରିବେ। ଆସନ୍ତା ସୋମବାର ‌ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ ବୋର୍ଡ ବୈଠକ ହେବାର ଅଛି। ଏହି ବୈଠକରେ ରିଜର୍ଭ ବ୍ୟାଙ୍କର ବଳକା ପାଣ୍ଠି, ଶିଳ୍ପକୁ ମୋଟା ଅଙ୍କର ଋଣ ପ୍ରଦାନ ସଂକ୍ରାନ୍ତ ନିୟମ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି।

ସରକାରଙ୍କ କହିବା କଥା ହେଲା ଦେଶର ଆର୍ଥିକ ବିକାଶ ପାଇଁ ରିଜର୍ଭ ବ୍ୟାଙ୍କ ସହଯୋଗ କରୁନାହିଁ। ଅନ୍ୟପକ୍ଷରେ ରିଜର୍ଭ ବ୍ୟାଙ୍କର କହିବା କଥା ହେଲା ବଳକା ପାଣ୍ଠିରୁ ଅର୍ଥ ସରକାରଙ୍କୁ ଦିଆଗଲେ ରିଜର୍ଭ ବ୍ୟାଙ୍କର ସ୍ବତନ୍ତ୍ରତା ନଷ୍ଟ ହେବ। ଏଥିସହିତ ବଜାର ଉପରେ ମଧ୍ୟ ଏହାର ଖରାପ ପ୍ରଭାବ ପଡ଼ିବ। ସୂଚନାଯୋଗ୍ୟ, ରିଜର୍ଭ ବ୍ୟାଙ୍କ ଆଇନ ୧୯୩୪ ଅନୁଯାୟୀ, କେନ୍ଦ୍ରୀୟ ବ୍ୟାଙ୍କ ନିକଟରେ ନୂଆ ନିୟମ ପ୍ରସ୍ତୁତି କରିବାର ଅଧିକାର ରହିଛି। ଏଥିପାଇଁ ସମ୍ବିଧାନରେ ପରିବର୍ତ୍ତନ ଆଣିବାର କୌଣସି ଆବଶ୍ୟକତା ନାହିଁ। ସେହିଭଳି ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ ବୋର୍ଡ ସଦସ୍ୟ ସେମାନଙ୍କ ମତ ଦେଇପାରିବେ। କିନ୍ତୁ ଚୂଡ଼ାନ୍ତ ନିଷ୍ପତ୍ତି ଗଭର୍ଣ୍ଣର ଓ ତାଙ୍କ ସହଯୋଗୀମାନେ ହିଁ ‌ନେବେ। ରିଜର୍ଭ ବ୍ୟାଙ୍କ ବୋର୍ଡରେ ମୋଦୀ ସରକାରଙ୍କ ଦ୍ବାରା ନିଯୁକ୍ତ ସଦସ୍ୟ ଏସ୍‌. ଗୁରୁମୂର୍ତ୍ତି ରହିଛନ୍ତି। ସେ ମୁଦ୍ରା ଭଣ୍ଡାର ନିୟମରେ ପରିବର୍ତ୍ତନ ପାଇଁ ମତ ଦେଉଛନ୍ତି। ତାଙ୍କ କହିବାନୁଯାୟୀ, ରିଜର୍ଭ ବ୍ୟାଙ୍କ ନିକଟରେ ୯.୬ ଲକ୍ଷ କୋଟି ଟଙ୍କାର ପାଣ୍ଠି ମହଜୁଦ ରହିଛି। ବିଶ୍ବର କୌଣସି କେନ୍ଦ୍ରୀୟ ବ୍ୟାଙ୍କ ନିକଟରେ ଏତେ ପରିମାଣର ପାଣ୍ଠି ନାହିଁ। ସେହିଭଳି ଭାରତରେ ବ୍ୟାଙ୍କ ଗୁଡ଼ିକର ପୁଞ୍ଜି ସ୍ବଚ୍ଛଳତା ହାର ମଧ୍ୟ ଭଲ ରହିଛି। ତେଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଗୁଡ଼ିକୁ ସହଜରେ ଅଧିକ ପାଣ୍ଠି ଦେବା ଲାଗି ଗୁରୁମୂର୍ତ୍ତି ଯୁକ୍ତି ବାଢ଼ି ଆସୁଛନ୍ତି। ଏହି ଶିଳ୍ପର ବିକାଶ ହେଲେ ଦେଶରେ ନିଯୁକ୍ତି ବୃଦ୍ଧି ପାଇବ। ଦେଶର ଜିଡିପିରେ ଏହି ଶିଳ୍ପର ଯୋଗଦାନ ପ୍ରାୟ ୫୦ ପ୍ରତିଶତ। ତେବେ ରିଜର୍ଭ ବ୍ୟାଙ୍କ ଓ ଅର୍ଥ ମନ୍ତ୍ରାଳୟ ମଧ୍ୟରେ ବିବାଦ ସାର୍ବଜନୀନ ହେବା ପରେ ଗୁରୁମୂର୍ତ୍ତି କହିଥିଲେ, ଏଭଳି ବିବାଦ ଉପୁଜିବା ଭଲ ନୁହେଁ। ସୋମବାର ହେବାକୁ ଥିବା ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ ବୋର୍ଡ ବୈଠକରେ ବ୍ୟାଙ୍କ ଗୁଡ଼ିକ ପାଇଁ ଧାର୍ଯ୍ୟ ହୋଇଥିବା ପ୍ରମ୍ପଟ କରେକ୍ଟିଭ ଆକ୍ସନ (ପିସିଏ) ନିୟମକୁ କୋହଳ କରିବା, ବଳକା ପାଣ୍ଠିକୁ ନିମ୍ନ ସ୍ତରକୁ କମାଇବା ଏବଂ ଏମଏସଏମଇ ଗୁଡ଼ିକୁ ଅଧିକ ପରିମାଣର ଋଣ ପ୍ରଦାନ ପାଇଁ ସରକାର ଉଠାଇଥିବା ପ୍ରସଙ୍ଗ ଗୁଡ଼ିକ ଉପରେ ବିଚାର ବିମର୍ଶ ହେବାର ସମ୍ଭାବନା ରହିଛି। ତେବେ ରିଜର୍ଭ ବ୍ୟାଙ୍କଠାରୁ ସରକାର ବଳକା ପାଣ୍ଠି ସିଧାସଳଖ ନମାଗିଲେ ମଧ୍ୟ ଏହା ନିକଟରେ କେତେ ବଳକା ପାଣ୍ଠି ରହିବା ଆବଶ୍ୟକ ସେ ନେଇ ନିୟମ ପ୍ରଣୟନ ହେବା ଉଚିତ। ଅର୍ଥାତ୍ କେନ୍ଦ୍ରୀୟ ବ୍ୟାଙ୍କ ନିକଟରେ ଏତେ ବଳକା ପାଣ୍ଠି ରହିବା ଉଚିତ ନୁହେଁ ଯାହା ରିଜର୍ଭ ବ୍ୟାଙ୍କ ନିକଟରେ ରହିଛି ବୋଲି କୁହାଯାଉଛି। ରିଜର୍ଭ ବ୍ୟାଙ୍କ ରାଜି ହେଉ ନଥିବା ପ୍ରସଙ୍ଗ ଉପରେ ସରକାର ଗତମାସରେ ଲିଖିତ ନିର୍ଦ୍ଦେଶ ଦେଇଛନ୍ତି। ରିଜର୍ଭ ବ୍ୟାଙ୍କ ଆଇନର ଧାରା ୭କୁ ବ୍ୟବହାର କରି ସରକାର ଏହି ନିର୍ଦ୍ଦେଶନାମା ଦେଇଛନ୍ତି, ଯାହା କରି ରିଜର୍ଭ ବ୍ୟାଙ୍କର ୮୪ ବର୍ଷର ଇତିହାସରେ କେବେ ବ୍ୟବହାର ହୋଇ ନଥିବା କୁହାଯାଉଛି।

ଜେଟଲୀଙ୍କ ଚାମ୍ବରରେ ଆଗୁଆ ଆଲୋଚନା
ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆସନ୍ତା ସୋମବାର ହେବାକୁଥିବା କେନ୍ଦ୍ରୀୟ ବୋର୍ଡ ବୈଠକ ପକ୍ଷରୁ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ନର୍ଥ ବ୍ଲକସ୍ଥିତ ଚାମ୍ବରରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଗତ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସରକାରଙ୍କ ଦ୍ବାରା ମନୋନୀତ ସଦସ୍ୟ, ଆର୍ଥିକ ସେବା ବ୍ୟାପାର ସଚିବ ରାଜୀବ କୁମାର, ଅର୍ଥନୈତିକ ବ୍ୟାପାର ବିଭାଗ ସଚିବ ସୁଭାଷ ଚନ୍ଦ୍ର ଗର୍ଗ, ଅର୍ଥନୀତିଜ୍ଞ ଅଶୋକ ଗୁଲାଟି ଏବଂ ଦିଲ୍ଲୀସ୍ଥିତ ରିଜର୍ଭ ବ୍ୟାଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ଯୋଗଦେଇଥିଲେ। ଏହି ରୁଦ୍ଧ ଦ୍ବାର ବୈଠକ ଦୀର୍ଘ ୩ ଘଣ୍ଟାରୁ ଊର୍ଧ୍ବ ସମୟ ଧରି ହୋଇଥିଲା। ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗକୁ ପାଣ୍ଠି ଯୋଗାଣ ପାଇଁ କିଛି ସମାଧାନର ପନ୍ଥା ବାହାରି ଥିବା ନେଇ ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର