ନୂଅାଦିଲ୍ଲୀ: ଗୁଜରାଟ ସହ ସମ୍ପର୍କ ଥିବାରୁ ତାଙ୍କୁ କୁହାଗଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକ। ବିମୁଦ୍ରୀକରଣ ବେଳେ ସମ୍ପୂର୍ଣ୍ଣ ଚୁପ୍ ରହିଲେ। ଲୋକଙ୍କ ଧାରଣା ଦୃଢ଼ୀଭୂତ ହେଲା। ସରକାରଙ୍କ ସବୁ ବିଷକୁ ହସି ହସି ପିଇଥିଲେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ୍‌। ନୀଳକଣ୍ଠ ପାଲଟି ଯାଇଥିଲେ। କିନ୍ତୁ ନିଜ ଅନୁଷ୍ଠାନ ଉପରେ ଯେତେବେଳେ ବାହ୍ୟ ଆକ୍ରମଣ ହେଲା ନିଜ ସେତେବେଳେ ନିଜର ଚରିତ୍ର ବଦଳାଇଦେଲେ ଉର୍ଜିତ। ନୀଳକଣ୍ଠ ସାଜିଥିବା ଉର୍ଜିତ ବିଷ ପାନ କରିବାକୁ ମନା କରିଦେଲେ।

Advertisment

ସେ ଏଭଳି ଏକ ‌‘ପେଚା’ର ଭୂମିକା ନିର୍ବାଚନ କରୁଥିଲେ ଯିଏ ନିଜ ବସା ଭିତରେ ରହି ସବୁ କିଛି ଉପରେ ନଜର ରଖୁଥିଲେ। କିନ୍ତୁ ଯେତେବେଳେ ବସା ଉପରେ ଆକ୍ରମଣ ହେଲା ‌ସେ ବାହାରକୁ ଉଡ଼ିଗଲେ। ଏଭଳି ଭାବେ ଉର୍ଜିତଙ୍କ ଚରିତ୍ରକୁ ବିଶେଷଜ୍ଞମାନେ ବର୍ଣ୍ଣନା କରିଛନ୍ତି। ସ୍ବଭାବରେ ଶାନ୍ତ ଉର୍ଜିତ ସାର୍ବଜନୀନ ସ୍ଥାନରେ କଥା କହିବାକୁ ଆଦୌ ପସନ୍ଦ କରୁନଥିଲେ। ଚୁପ୍‌ଚାପ ନିଜ କାମ କରିବାରେ ବିଶ୍ବାସ କରୁଥିଲେ ଓ ତାହା ହିଁ କରୁଥିଲେ।

publive-image

୧୯୬୩ ମସିହା ଅକ୍ଟୋବର ୨୮ରେ କେନିଆର ନାଇରୋବି ସହରରେ ଜନ୍ମ ଗ୍ରହଣ କରିଥିଲେ ଉର୍ଜିତ। ତାଙ୍କ ପୁରା ନାମ ହେଉଛି ଉର୍ଜିତ ରବିନ୍ଦ୍ର ପଟେଲ୍‌। ତାଙ୍କ ପୂର୍ବ ପୁରୁଷମାନେ ଗୁଜରାଟର ଖେଡ଼ା ଜିଲ୍ଲାର ବାସିନ୍ଦା। ବ୍ୟବସାୟ କରିବାକୁ ସେମାନେ କେନିଆ ଚାଲିଯାଇଥିଲା। ପିଲାଟି ଦିନରୁ ପାଠପଢ଼ାରେ ଆଗୁଆ ଥିଲେ ଉର୍ଜିତ।

ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ଥିଲେ। ଲଣ୍ଡନ ସ୍କୁଲ୍ ଅଫ୍ ଇକୋନମିକ୍ସରୁ ସ୍ନାତକ ଓ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରୁ ‌ସେ ଅର୍ଥନୀତିରେ ‌ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ। ୧୯୯୦ରେ ୟେଲ୍ ବିଶ୍ବବିଦ୍ୟାଳୟରୁ ଡକ୍ଟରେଟ୍ ପାଇଥିଲେ। ଭାରତ ପାଇଁ ସେ ଆଇଏମ୍ଏଫ୍‌ରେ ମଧ୍ୟ କାମ କରିଛନ୍ତି। ୨୦୧୩ ଜାନୁଆରି ୧୧ରେ ତାଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତି ଦିଆଯାଇଥିଲା। ୨୦୧୬ ଅଗଷ୍ଟ ୨୦ରେ ତାଙ୍କୁ ଗଭର୍ଣ୍ଣର ଭାବେ ପଦୋନ୍ନତି ଦିଆଯାଇଥିଲା। ସେ ଏଭଳି ଜଣେ ବ୍ୟକ୍ତିଙ୍କ (ରଘୁରାମ ରାଜନ) ଉତ୍ତରାଧିକାରୀ ହୋଇଥିଲେ ଯିଏ କୌଣସି ଅପ୍ରିୟ କଥା କହିବାକୁ କୁଣ୍ଠା ପ୍ରକାଶ କରୁନଥିଲେ। ଉର୍ଜିତଙ୍କ ସ୍ବଭାବ ଥିଲା ସମ୍ପୂର୍ଣ୍ଣ ଅଲଗା। ସେ ଥିଲେ ଶାନ୍ତ, ନମ୍ର ଓ ଭଦ୍ର। ଗଭର୍ଣ୍ଣର ଭାବେ ନିଯୁକ୍ତି ମିଳିବା ପରେ ସେ କାର୍ମିକାଲ୍ ରୋଡ୍‌ରେ ଥିବା ସରକାରୀ ବଙ୍ଗଳାକୁ ଯିବାକୁ ମନା କରିଦେଇଥିଲେ। ଡେପୁଟି ଗଭର୍ଣ୍ଣର ଥିବା ସମୟରେ ଯେଉଁ ଆପାର୍ଟମେଣ୍ଟ୍‌ ମିଳିଥିଲା ସେହିଠାରେ ନିଜ ରୋଗୀଣା ମା’ଙ୍କ ସହିତ ରହିବାକୁ ପସନ୍ଦ କରିଥିଲେ।

କେନିଆର ନାଗରିକ ଥିବା ଉର୍ଜିତ ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ନିଯୁକ୍ତ ହେବା ପରେ ଭାରତର ନାଗରିକତ୍ବ ଗ୍ରହଣ କରିଥିଲେ। ୨୦୧୬ ନଭେମ୍ବରରେ ବିମୁଦ୍ରୀକରଣ ସମୟରେ ସେ ସମ୍ପୂର୍ଣ୍ଣ ଚୁପ୍ ରହିଥିଲେ। କିନ୍ତୁ, ୨୦୧୭ ଜୁନ୍‌ରୁ ହିଁ ଉର୍ଜିତ ସରକାରଙ୍କ କଥା ମାନିବା ପ୍ରକ୍ରିୟା ବନ୍ଦ କରିଦେଇଥିଲେ। ମୁଦ୍ରାନୀତି ବିଷୟରେ ଆଲୋଚନା କରିବା ପାଇଁ ଅର୍ଥ ମନ୍ତ୍ରଣାଳୟ ତାଙ୍କୁ ଡାକିଥିଲା। ସେ ଯିବାକୁ ମନା କରିଦେଇଥିଲେ। ଏହା ପରଠାରୁ ସରକାରଙ୍କ ସହିତ ବିଭିନ୍ନ କଥାରେ ତାଙ୍କର ମତାନ୍ତର ଦେଖିବାକୁ ମିଳିଥିଲା। ଦୁର୍ନୀତି ବିଷୟରେ ଆୟୋଜନ କରାଯାଇଥିବା ଏକ କାର୍ଯ୍ୟକ୍ରମରେ ସେ ନିଜକୁ ନୀଳକଣ୍ଠ ଭାବେ ବର୍ଣ୍ଣନା କରିଥିଲେ। ସରକାରଙ୍କ ସହ ମତଭେଦ ଚରମ ସୀମାରେ ପହଞ୍ଚିବା ପରେ ଉର୍ଜିତଙ୍କ ପାଖରେ ଦୁଇଟି ବିକଳ୍ପ ଥିଲା। ପ୍ରଥମଟି ହେଉଛି ନୀଳକଣ୍ଠ ହୋଇ ସବୁ ବିଷ ପିଇଯିବା। ଦ୍ବିତୀୟ ବିକଳ୍ପଟି ଥିଲା ସରକାରଙ୍କୁ ସହଯୋଗ କରିବା ବନ୍ଦ କରି ନୀଳକଣ୍ଠ ଭୂମିକାରୁ ଓହରିଯିବା। ଦ୍ବିତୀୟ ବିକଳ୍ପକୁ ଚୟନ କରିଛନ୍ତି ଉର୍ଜିତ।

ଉର୍ଜିତଙ୍କ ଉତ୍ଥାନ ଓ ପତନର  ଘଟଣାକ୍ରମ
୨୦୧୮ ଅକ୍ଟୋବର ୨୬: ରିଜର୍ଭ ବ୍ୟାଙ୍କ କାମରେ ସରକାର ହସ୍ତକ୍ଷେପ କରୁଥିବା କହିଲେ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ବିରଳ ଆଚାର୍ଯ୍ୟ
ଅକ୍ଟୋବର ୩୦: ବିରଳଙ୍କୁ ରିଜର୍ଭ ବ୍ୟାଙ୍କ କର୍ମଚାରୀଙ୍କ ସମର୍ଥନ
ଅକ୍ଟୋବର ୩୦: ଏନ୍‌ପିଏ ସମସ୍ୟା ପାଇଁ ରିଜର୍ଭ ବ୍ୟାଙ୍କକୁ ଦୋଷ ଦେଲେ ଅର୍ଥମନ୍ତ୍ରୀ ଅରୁଣ ‌ଜେଟ୍‌ଲି
ଅକ୍ଟୋବର ୩୧: ଉର୍ଜିତ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚା ଜୋର ଧରିଲା
ନଭେମ୍ବର ୧: ଆର୍‌ଏସ୍‌ଏସ୍‌ର ଅର୍ଥନୈତିକ ଶାଖା ସ୍ବଦେଶୀ ଜାଗରଣ ମଞ୍ଚ ପକ୍ଷରୁ କୁହାଗଲା, ସରକାରଙ୍କ ସହ ମିଶି ଆର୍‌ବିଆଇ ଗଭର୍ଣ୍ଣର କାମ କରନ୍ତୁ, ଅନ୍ୟଥା ଇସ୍ତଫା ଦିଅନ୍ତୁ।
ନଭେମ୍ବର ୧୨: ଶିଳ୍ପପତି ରାହୁଲ ବଜାଜ୍ ଅନୁମାନ କରିଥିଲେ ଉର୍ଜିତ ଇସ୍ତଫା ଦେଇପାରନ୍ତି
ନଭେମ୍ବର ୧୯: ରିଜର୍ଭ ବ୍ୟାଙ୍କ ବୋର୍ଡର ବୈଠକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ଶେଷ
ଡିସେମ୍ବର ୫: ମୁଦ୍ରାନୀତି ସମୀକ୍ଷା ‌ରିପୋର୍ଟ ଘୋଷଣା ବେଳେ ସରକାରଙ୍କ ମତଭେଦ ପ୍ରଶ୍ନକୁ ଏଡ଼ାଇଗଲେ ଉର୍ଜିତ
ଡିସେମ୍ବର ୧୦: ଇସ୍ତଫା ଦେଲେ ଉର୍ଜିତ