ରିଜର୍ଭ ବ୍ୟାଙ୍କ ଉପରେ ଚାପ :ଆଜିଠାରୁ ମୁଦ୍ରାନୀତି କମିଟି ବୈଠକ

ମୁମ୍ବାଇ/ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ମୁଦ୍ରାନୀତି କମିଟିର ଦୁଇ ଦିନିଆ ବୈଠକ ଆରମ୍ଭ ହେବ। ଆର୍‌ବିଆଇ ଏଥର ସୁଧ ହାର ହ୍ରାସ କରିବାର ସମ୍ଭାବନା ଖୁବ୍‌ କମ୍‌ ରହିଛି। ଏହାର ଦୁଇଟି ପ୍ରମୁଖ କାରଣ ହେଉଛି ଉଚ୍ଚ ମୁଦ୍ରାସ୍ଫୀତି ଏବଂ ଅଶୋଧିତ ତୈଳର ବଢ଼ୁଥିବା ଦର। ତେବେ ସୁଧ ହାର ହ୍ରାସ କରିବା ପାଇଁ ଆର୍‌ବିଆଇ ଉପରେ କେନ୍ଦ୍ର ସରକାର ପରୋକ୍ଷ ଚାପ ପକାଇବା ଆରମ୍ଭ କରିଛନ୍ତି। ଅର୍ଥନୈତିକ ଉପଦେଷ୍ଟା ପରିଷଦର ଜଣେ ସଦସ୍ୟ ଅସୀମା ଗୋୟଲ୍‌ ଏକ ସାକ୍ଷାତକାରରେ କହିଛନ୍ତି ଯେ ଆର୍‌ବିଆଇ ସବୁ ବେଳେ ମୁଦ୍ରାସ୍ଫୀତିକୁ ଅଧିକ ଆକଳନ କରୁଛି। ଅର୍ଥନୀତି ପ୍ରତି ଆର୍‌ବିଆଇର ଦୃଷ୍ଟିକୋଣ ଠିକ୍‌ ନୁହେଁ ବୋଲି ସେ କହିଛନ୍ତି। ଆର୍‌ବିଆଇ ସବୁ ବେଳେ ଭାବୁଛି ଯେ ଭବିଷ୍ୟତରେ ମୁଦ୍ରାସ୍ଫୀତି ବଢ଼ିବ। ଅନେକ ସମୟରେ ଏହା ଜଣାପଡ଼େ ଯେ ସେମାନେ ମୁଦ୍ରାସ୍ଫୀତିକୁ ଅଧିକ ଆକଳନ କରୁଛନ୍ତି। ଆର୍‌ବିଆଇ ଏଥର ସୁଧ ହ୍ରାସ କରିବା ଦରକାର ବୋଲି ସେ କହିଛନ୍ତି।
ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ଅଭିବୃଦ୍ଧି ହାର ୬.୩% ହେବା ଏବଂ ମୁଡିସ୍‌ ପକ୍ଷରୁ କ୍ରେଡିଟ୍‌ ରେଟିଂରେ କରାଯାଇଥିବା ଉନ୍ନତି ଯୋଗୁଁ ଉତ୍ସାହିତ ଥିବା କେନ୍ଦ୍ର ସରକାର ଭାବୁଛନ୍ତି ଯଦି ଆର୍‌ବିଆଇ ସୁଧ କମାଇ ଦେବ ତେବେ ବିକାଶର ଗତି ଆହୁରି ତ୍ୱରାନ୍ଵିତ ହୋଇପାରିବ।
ଅସୀମା ଏହି ସାକ୍ଷାତକାରରେ ଜଣାଇଛନ୍ତି ଯେ ଆର୍‌ବିଆଇ ସୁଧ ହାରରେ ୧%ର ହ୍ରାସ କରିପାରିବ।
ସୁଧ କମାଇବା ପାଇଁ ଆର୍‌ବିଆଇ ଉପରେ କେନ୍ଦ୍ର ସରକାର ଚାପ ପକାଇବା ନୂଆ କଥା ନୁହେଁ। ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ପୂର୍ବରୁ ଅନେକ ଥର ଆର୍‌ବିଆଇକୁ ସୁଧ କମ୍‌ କରିବାକୁ କହିଛନ୍ତି। କିନ୍ତୁ ସରକାରଙ୍କ ଚାପକୁ ଆର୍‌ବିଆଇ ବେଖାତିର କରିଛି ଏବଂ ସୁଧ ହାରକୁ ଅନେକ ଥର ଅପରିବର୍ତିତ ରଖିଛି। ଆର୍‌ବିଆଇ କାମରେ ସରକାରଙ୍କ ଏଭଳି ହସ୍ତକ୍ଷେପକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଉଛି। ଖୋଦ ଆର୍‌ବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲ୍‌ ମଧ୍ୟ ସରକାରଙ୍କ ଅନୁରୋଧକୁ ଖାରଜ କରିଛନ୍ତି।
ମୁଦ୍ରାନୀତି କମିଟିରେ ୬ ସଦସ୍ୟ ରହିଛନ୍ତି। ସେଥିରେ ସରକାର ଏବଂ ଆର୍‌୍‌ବିଆଇ ଉଭୟ ପକ୍ଷର ପ୍ରତିନିଧି ରହିଛନ୍ତି। କମିଟିର ସଂଖ୍ୟା ଗରିଷ୍ଠ ସଦସ୍ୟ ଯେଉଁ ପ୍ରସ୍ତାବ ଦେବେ ସେହି ଅନୁସାରେ ସୁଧ ହାରରେ ହ୍ରାସ, ବୃଦ୍ଧି କିମ୍ବା ତାହାକୁ ଅପରିବର୍ତିତ ରଖିବା ନିଷ୍ପତ୍ତି ଗ୍ରହଣ କରାଯାଉଛି।

ସମ୍ବନ୍ଧିତ ଖବର