ନୂଆଦିଲ୍ଲୀ: ଭାରତର ଆତଙ୍କବାଦ ବିରୋଧ ଲଢ଼େଇରେ ପାକିସ୍ତାନକୁ ଖୋଲାଖୋଲି ସମର୍ଥନ କରିଥିବା ତୁର୍କୀ ଓ ଅଜରବୈଜାନକୁ ଚାରିଆଡ଼ୁ ଘେରିବାକୁ ଭାରତ ଉଦ୍ୟମ କରୁଛି। କେବଳ ସରକାରୀ ସ୍ତରରେ ନୁହେଁ, ବ୍ୟବସାୟୀ ଓ ବେସରକାରୀ ସ୍ତରରେ ମଧ୍ୟ ଏହି ଦୁଇ ଦେଶ ଉପରେ ଚାପ ସୃଷ୍ଟି କରିବାକୁ ଉଦ୍ୟମ କରାଯାଉଛି। ରାଜ୍ୟଗୁଡ଼ିକରେ ମଧ୍ୟ ବିଭିନ୍ନ ସଂଗଠନ ଏହି ଦୁଇ ଦେଶକୁ ବିରୋଧ କରୁଛନ୍ତି। ତୁର୍କୀ ଓ ଅଜରବୈଜାନ୍କୁ ବ୍ୟବସାୟୀମାନେ ସମ୍ପୂର୍ଣ୍ଣ ବୟକଟ୍ କରିଛନ୍ତି। ଦିଲ୍ଲୀରେ ଏନେଇ ଏକ ସର୍ବଭାରତୀୟ ବୈଠକରେ ନିଷ୍ପତ୍ତି ହୋଇଛି, ଯେଉଁଥିରେ ୨୪ଟି ରାଜ୍ୟର ପ୍ରତିନିଧି ଭାଗ ନେଇଥିଲେ।
ବେପାର ବନ୍ଦ କଲେ ବ୍ୟବସାୟୀ
ଇଣ୍ଡିଗୋ-ତୁର୍କୀସ୍ ଏୟାରଲାଇନ୍ସ ଚୁକ୍ତିକୁ ବିରୋଧ
ତୁର୍କୀ କମ୍ପାନି ହାତ ଛାଡ଼ିଲା ଆଦାନୀ
ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି)ର ମହାସଚିବ ପ୍ରବୀଣ ଖଣ୍ଡେଲୱାଲ୍ କହିଛନ୍ତି ଯେ ତୁର୍କୀ ଓ ଅଜରବୈଜାନ୍ ସହ ସବୁ ବ୍ୟବସାୟ ବନ୍ଦ କରିବାକୁ ସମ୍ମିଳନୀରେ ନିଷ୍ପତ୍ତି ହୋଇଛି। କାରଣ ସ୍ପଷ୍ଟ। ସେମାନେ ଭାରତ ବିରୋଧରେ ଲଢ଼ୁଥିବା ପାକିସ୍ତାନକୁ ଖୋଲାଖୋଲି ସମର୍ଥନ କରିଛନ୍ତି। ତେଣୁ ଏହି ଦୁଇ ଦେଶ ସହ କୌଣସି ଆମଦାନି ଓ ରପ୍ତାନି କାରବାର ହେବନାହିଁ। ତତ୍କାଳ ଏହି ନିଷ୍ପତ୍ତି ଲାଗୁ କରାଯାଇଛି। ଏହି ଦୁଇ ଦେଶରେ କୌଣସି ସିନେମା କିମ୍ବା ବିଜ୍ଞାପନ ସୁଟିଂ ନ କରିବାକୁ ମଧ୍ୟ ଭାରତୀୟ କମ୍ପାନିଗୁଡ଼ିକୁ ବ୍ୟବସାୟୀମାନେ ଆହ୍ବାନ ଦେଇଛନ୍ତି।
ଏସିଆର ସର୍ବବୃହତ ଫଳ ଓ ପନିପରିବା ପାଇକାରୀ ବଜାର ଦିଲ୍ଲୀର ଆଜାଦପୁର ମଣ୍ଡି ପକ୍ଷରୁ ତୁର୍କୀରୁ ସେଓ ଆମଦାନି ବନ୍ଦ କରାଯାଇଥିବା ଘୋଷଣା କରାଯାଇଛି। ରାଜଧାନୀ ଦିଲ୍ଲୀରେ ବ୍ୟବସାୟୀମାନେ ଏହି ଦୁଇ ଦେଶ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଜାତୀୟ ଭାବନାକୁ ଆଘାତ ଦେଇଥିବାରୁ ସେମାନଙ୍କ ଜିନିଷର ବ୍ୟବସାୟ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଦାବି କରୁଛନ୍ତି। ଭାରତୀୟ ବ୍ୟବସାୟୀ ମହାସଂଘ ଅଧୀନରେ ୪୦ ହଜାରରୁ ଅଧିକ ସଂଘ ଓ ୮ କୋଟିରୁ ଅଧିକ ଖୁଚୁରା ବ୍ୟବସାୟୀ ରହିଛନ୍ତି। ଅନ୍ୟପକ୍ଷରେ, ଭାରତୀୟ ବିମାନ କମ୍ପାନି ଇଣ୍ଡିଗୋ ଓ ତୁର୍କୀସ୍ ଏୟାରଲାଇନ୍ସ ମଧ୍ୟରେ ହୋଇଥିବା ଚୁକ୍ତିକୁ ଏୟାର ଇଣ୍ଡିଆ ପକ୍ଷରୁ ବିରୋଧ କରାଯାଇଛି। ଦୁଇ କମ୍ପାନି ମଧ୍ୟରେ ହୋଇଥିବା ଲିଜ୍ ବୁଝାମଣାକୁ ଆଉ ନ ବଢ଼ାଇବାକୁ ଏୟାର ଇଣ୍ଡିଆ ପକ୍ଷରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ କୁହାଯାଇଛି। ଗୌତମ ଆଦାନୀଙ୍କ କମ୍ପାନି ଆଦାନୀ ଗ୍ରୁପ୍ ମଧ୍ୟ ସେଲେବି ସହ ସମ୍ପର୍କ ଛିନ୍ନ କରିଛି।
ହାଇକୋର୍ଟ ଗଲା ‘ସେଲେବି’
ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା କାରଣ ଦର୍ଶାଇ ତୁର୍କୀର ସଂସ୍ଥା ସେଲେବି ଏୟାରପୋର୍ଟ ସର୍ଭିସେସ୍ର ଅନୁମୋଦନକୁ ଗତକାଲି କେନ୍ଦ୍ର ସରକାର ବାତିଲ କରିଥିଲେ। ଶୁକ୍ରବାର କମ୍ପାନି ଏହି ନିଷ୍ପତ୍ତିକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛି। ଉତ୍ତୋଜନାପୂର୍ଣ୍ଣ ସମୟରେ ପାକିସ୍ତାନକୁ ଖୋଲାଖୋଲି ସମର୍ଥନ କରିଥିବାରୁ ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋ ପକ୍ଷରୁ ସେଲେବିର ଅନୁମୋଦନ ବାତିଲ କରାଯାଇଥିଲା। ଏହି ସଂସ୍ଥା ବିଭିନ୍ନ ବିମାନବନ୍ଦରରେ ଗ୍ରାଉଣ୍ଡ୍ ସର୍ଭିସ୍ରେ ନିୟୋଜିତ ଥିଲା। ସରକାରଙ୍କ ନିଷ୍ପତ୍ତି ଦ୍ବାରା ୩୭୯୧ ନିଯୁକ୍ତି ଓ ନିବେଶକଙ୍କ ବିଶ୍ବାସ ପ୍ରଭାବିତ ହେବା ଆଶଙ୍କା ରହିଛି। ବିନା କୌଣସି ଚେତାବନୀରେ ଏଭଳି ନିର୍ଦ୍ଦେଶ ଦିଆଯାଇଥିବା କମ୍ପାନି କୋର୍ଟଙ୍କୁ କହିଛି।