ବିଦେଶୀ ବିମାନକୁ ଅନୁମତି ପାଇଁ ଚାପ; ‘ବନ୍ଦେ ଭାରତ’ ମିସନ ଉପରେ ଆପତ୍ତି ଉଠାଇଲା ଆମେରିକା

ଆମେରିକା, ବ୍ରିଟେନ୍, ଫ୍ରାନ୍ସ, ଜର୍ମାନି ସହ କଥା ହେବ ଭାରତ

ନୂଆଦିଲ୍ଲୀ: ବିଦେଶୀ ବିମାନ ଉଡ଼ାଣ ଅନୁମତି ଦେବା ଲାଗି ବିଶ୍ବର ବିଭିନ୍ନ ଦେଶ ପକ୍ଷରୁ ଭାରତ ଉପରେ ଚାପ ପ୍ରୟୋଗ କରାଯାଉଛି। ପ୍ରଥମ ଦେଶ ଭାବେ ଆମେରିକା ତରଫରୁ ଏହି ଦାବି କରାଯାଇଥିବା ବେଳେ ଏବେ ୟୁରୋପୀୟ ସଂଘ ମଧ୍ୟ ଭାରତ ଉପରେ ଚାପ ପକାଇବା ଆରମ୍ଭ କରିଛି। ଫ୍ରାନ୍ସ ଓ ଜର୍ମାନି ମଧ୍ୟ ଏହି ଦୌଡ଼ରେ ସାମିଲ ହୋଇଛନ୍ତି। ‘ବନ୍ଦେ ଭାରତ’ ମିସନ ଅଧୀନରେ ବିଦେଶରେ ଫସିଥିବା ନାଗରିକଙ୍କୁ ସ୍ବଦେଶ ଫେରାଇ ଆଣିବା ଲାଗି ଭାରତ ସରକାର ‌ଏୟାର ଇଣ୍ଡିଆର ବିମାନ ବିଭିନ୍ନ ଦେଶକୁ ପଠାଉଛନ୍ତି। ତାହାକୁ ନେଇ ଆମେରିକା ଆପତ୍ତି ଉଠାଇଛି। ଆମେରିକାର ବିମାନ କଂପାନି ‘ଡେଲ୍‌ଟା’ ପକ୍ଷରୁ ବିମାନ ଉଡ଼ାଣ ପାଇଁ ଭାରତ ସରକାରଙ୍କ ଠାରୁ ଅନୁମତି ଲୋଡ଼ଯାଇଥିଲା। କିନ୍ତୁ ତାହା ମିଳିନଥିଲା। ସେଥିପାଇଁ ଆମେରିକା କ୍ଷୁବ୍ଧ ହେବା ସହ ଭାରତୀୟ ବିମାନ ଉଡ଼ାଣ ଉପରେ କଟକଣା ଜାରି କରିଛି। ଆମେରିକାକୁ କୌଣସି ବିମାନ ପ୍ରବେଶ କରିବା କିମ୍ବା ଉଡ଼ାଣ ଆରମ୍ଭ କରିବାର ଅତିକମ୍‌ରେ ୩୦ ଦିନ ପୂର୍ବରୁ ଅନୁମତି ନେବାକୁ ପଡ଼ିବ ବୋଲି ଆମେରିକ ନିର୍ଦେଶ ଜାରି କରିଛି। ଏୟାର ଇଣ୍ଡିଆର ପ୍ରତିଟି ଉଡ଼ାଣ ଉପରେ ନଜର ରଖିବାକୁ ଆମେରିକା ନିର୍ଦେଶ ଦେଇଛି। ଆମେରିକା ଅଭିଯୋଗ କରିଛି ଯେ ନିଜ ଲୋକଙ୍କୁ ନେବା ବାହାନାରେ ଭାରତ ଭେଦଭାବ କରୁଛି। ଅବଶ୍ୟ, ୟୁରୋପୀୟ ସଂଘ ପକ୍ଷରୁ ଆମେରିକା ଭଳି କଟକଣା ଲାଗୁ କରାଯାଇନାହିଁ।

ଏ ପ୍ରସଙ୍ଗରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଆନ୍ତର୍ଜାତିକ ବିମାନଗୁଡ଼ିକୁ ଅନୁମତି ଦେବା ଲାଗି ଆମେରିକା, ବ୍ରିଟେନ୍, ଫ୍ରାନ୍ସ, ଜର୍ମାନି ଓ ଆହୁରି ଅନେକ ଦେଶ ଆମକୁ ଅନୁରୋଧ କରିଛନ୍ତି। ବନ୍ଦେ ଭାରତ ମିସନ ଜରିଆରେ ଭାରତ ଯେଭଳି ବିଭିନ୍ନ ଦେଶକୁ ବିମାନ ପଠାଉଛି ସେହିଭଳି ଆମକୁ ମଧ୍ୟ ବିମାନ ଚଳାଚଳ ଅନୁମତି ଦିଆଯାଉ ବୋଲି ଏହି ଦେଶଗୁଡ଼ିକ ଦାବି କରିଛନ୍ତି। ତାହା ଉପରେ ବିଚାରବିମର୍ଶ ଜାରି ରହିଛି। ଚଳିତ ମାସ ୧୫ରେ ଏନେଇ ଆମେରିକା ସହିତ ଆଲୋଚନା ହୋଇଥିଲା। ଯେହେତୁ ବିଭିନ୍ନ ଦେଶ ଆପତ୍ତି ଉଠାଇବା ଆରମ୍ଭ କରିଛନ୍ତି, ତେଣୁ ବିଦେଶରେ ଫସିଥିବା ଆମ ନାଗରିକଙ୍କୁ ଆଣିବା ଲାଗି ଆମେ ପ୍ରତି ଦେଶ ସହିତ ସ୍ବତନ୍ତ୍ର ଆଲୋଚନା କରି ସେମାନଙ୍କ ସହିତ ଦ୍ବିପାକ୍ଷିକ ବୁଝାମଣା କରିବା ଉପରେ ବିଚାର କରୁଛୁ। ଏବେବି ଆମେରିକା, ଫ୍ରାନ୍ସ, ଜର୍ମାନି ଓ ବ୍ରିଟେନ୍‌ରୁ ଯାତାୟାତ ପାଇଁ ଅନୁରୋଧ ଆସୁଛି ବୋଲି ମନ୍ତ୍ରଣାଳୟ କହିଛି।

ଭାରତରୁ ଓ ଭାରତକୁ ସିଡ୍ୟୁଲଡ୍‌ ବିମାନ ଚଳାଚଳ ଅନୁମତି ଦେବା ଲାଗି ୟୁରୋପୀୟ ସଂଘ ପକ୍ଷରୁ ଭାରତ ସରକାରଙ୍କ ସହ ଆଲୋଚନା ଆରମ୍ଭ କରାଯାଇଛି। ଉପସାଗରୀୟ ରାଷ୍ଟ୍ରଗୁଡ଼ିକ ମଧ୍ୟ ଭାରତକୁ ବିମାନ ଚଳାଚଳ ଆରମ୍ଭ କରିବାକୁ ବ୍ୟଗ୍ର ଅଛନ୍ତି। ଘରୋଇ ବିମାନ କଂପାନିଗୁଡ଼ିକ ମଧ୍ୟ ବିଦେଶକୁ ବିମାନ ଚଳାଚଳ ଆରମ୍ଭ କରିବାକୁ ଚାହୁଛନ୍ତି। କରୋନା ସଙ୍କଟ ଜଟିଳ ରୂପ ଧାରଣ କରିବା ପରେ ଆନ୍ତର୍ଜାତିକ ବିମାନ ଚଳାଚଳ ଉପରେ ଜୁନ୍ ଶେଷ ପର୍ଯ୍ୟନ୍ତ ରୋକ ଲଗାଯାଇଛି। କିନ୍ତୁ ବିଦେଶରେ ଫସିରହିଥିବା ଲୋକଙ୍କୁ ସ୍ବଦେଶ ଆଣିବା ଲାଗି ସରକାର ଏୟାର ଇଣ୍ଡିଆ ବିମାନକୁ ବିଭିନ୍ନ ଦେଶକୁ ପଠାଉଛନ୍ତି ଏବଂ ସେଠାରୁ ଲୋକମାନଙ୍କୁ ଆଣୁଛନ୍ତି। ଉତ୍ତର ଆମେରିକା, ୟୁରୋପ ଏବଂ ସିଙ୍ଗାପୁର ଭଳି କେତେକ ଦେଶ ଅଣ-ନାଗରିକମାନଙ୍କୁ ନେବା ଲାଗି ମଧ୍ୟ ଅନୁମତି ଦେଉଛନ୍ତି।

ସମ୍ବନ୍ଧିତ ଖବର