ଦରଦାମ୍ ନିୟନ୍ତ୍ରଣକୁ ଅଗ୍ରାଧିକାର: ଶକ୍ତିକାନ୍ତ

ମୁଦ୍ରାସ୍ଫୀତି ବଢ଼ିବ, ଅଭିବୃଦ୍ଧି କମିବ, ୧୧ ଥର ପାଇଁ ସୁଧ ଅପରିବର୍ତ୍ତିତ

ନୂଆଦିଲ୍ଲୀ: ସା‌ମ୍ପ୍ରତିକ ସ୍ଥିତିରେ ଦରଦାମ୍ କିଭଳି ନିୟନ୍ତ୍ରଣକୁ ଆସିବ ତାହା ଉପରେ ଧ୍ୟାନ ଦେବାକୁ ମନ ସ୍ଥିର କରିଛନ୍ତି ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ତାଙ୍କ ନେତୃତ୍ବାଧୀନ ମୁଦ୍ରାନୀତି କମିଟି ତିନି ଦିନ ଧରି ମାନସମନ୍ଥନ କରିବା ପରେ ଲଗାତାର ୧୧ ଥର ପାଇଁ ସୁଧ ହାର ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛି। ତେଣୁ, ଋଣ ନେଇଥିବା ଗ୍ରାହକମାନଙ୍କ ମାସିକ କିସ୍ତି ବା ଇଏମ୍‌ଆଇରେ କୌଣସି ପରିବର୍ତ୍ତନ ହେବନାହିଁ। ଚିନ୍ତାର ବିଷୟ ହେଉଛି ମୁଦ୍ରାସ୍ଫୀତି (ବିଭିନ୍ନ ସାମଗ୍ରୀ ଦରରେ ହେଉଥିବା ବୃଦ୍ଧି/ହ୍ରାସର ସୂଚୀ) ଆକଳନକୁ ରିଜର୍ଭ ବ୍ୟାଙ୍କ ୪.୫%ରୁ ୫.୭%କୁ ବୃଦ୍ଧି କରିଥିବା ବେଳେ ଅଭିବୃଦ୍ଧି ଆକଳନକୁ ୭.୮%ରୁ ୭.୨%କୁ ହ୍ରାସ କରିଛି। ୟୁକ୍ରେନ୍ ଉପରେ ରୁଷ୍‌ର ଆକ୍ରମଣ ପରେ ଆନ୍ତର୍ଜାତିକ ଦୃଶ୍ୟପଟ୍ଟ ଅସ୍ଥିର ରହିଥିବାରୁ ବର୍ତ୍ତମାନ ପରିସ୍ଥିତିରେ ନୀତିରେ କୌଣସି ବଡ଼ ଧରଣର ପରିବର୍ତ୍ତନ କରିବାକୁ ଶକ୍ତିକାନ୍ତ ଚାହିନାହାନ୍ତି। କେବଳ ସେ ନୁହେଁ ମୁଦ୍ରାନୀତି କମିଟିର ଅନ୍ୟ ସଦସ୍ୟମାନେ ମଧ୍ୟ ଏକଥାରେ ସହମତ ହୋଇଛନ୍ତି।

ଶକ୍ତିକାନ୍ତ କହିଛନ୍ତି ଯେ ଯୁଦ୍ଧର ପ୍ରଭାବ ଯୋଗୁଁ ବିଭିନ୍ନ କ୍ଷେତ୍ରରେ ବ୍ୟବହାର ହେଉଥିବା କଞ୍ଚାମାଲ ଦାମ୍ ବଢ଼ିଛି। ଚଳିତ ଆର୍ଥିକ ବର୍ଷରେ ଅଶୋଧିତ ତୈଳ ଦର ୧୦୦ ଡଲାର ପାଖାପାଖି ରହିବ ବୋଲି ସେ ଆକଳନ କରିଛନ୍ତି। ‌ୟୁକ୍ରେନ୍-ରୁଷ ଯୁଦ୍ଧ ଯୋଗୁଁ ଅଶୋଧିତ ତୈଳ, ପ୍ରାକୃତିକ ଗ୍ୟାସ, ଅନ୍ୟାନ୍ୟ ସାମଗ୍ରୀ ଓ ପାଲାଡିୟମ୍ ଭଳି କିଛି ଧାତବ ସାମଗ୍ରୀର ଯୋଗାଣ ପ୍ରଭାବିତ ହେବା ତାହା ଭାରତୀୟ ଅର୍ଥନୀତିକୁ ପ୍ରଭାବିତ କରିବ ବୋଲି ସେ କହିଛନ୍ତି। ଲକ୍ବିଡିଟି ଆଡ୍‌ଜଷ୍ଟ୍‌ମେଣ୍ଟ୍‌ ସୁବିଧାରେ ୦.୫% ବୃଦ୍ଧି କରି ତାହାକୁ ମହାମାରୀ ପୂର୍ବ ସ୍ତରରେ ପହଞ୍ଚାଇଦିଆଯାଇଛି। ମୁଦ୍ରା ବିନିମୟ ବଜାର ଖୋଲିବା ସମୟକୁ ସକାଳ ୯ଟା କରାଯାଇଛି। ମହାମାରୀ ପ୍ରଭାବ ଯୋଗୁଁ ଏହି ସମୟରେ ପରିବର୍ତ୍ତନ କରାଯାଇଥିଲା।

 ୟୁପିଆଇ ଜରିଆରେ ବିନା କାର୍ଡରେ ଟଙ୍କା ଉଠାଣ ସୁବିଧା
ୟୁନିଫାଏଡ୍‌ ପେମେଣ୍ଟ୍‌ ଇଣ୍ଟରଫେସ୍ (ୟୁପିଆଇ) ଜରିଆରେ ବିନା କାର୍ଡରେ ଏଟିଏମ୍‌ ଓ ବ୍ୟାଙ୍କରୁ ଟଙ୍କା ଉଠାଇ ହେବ। ଏହି ସୁବିଧା ଖୁବ୍‌ଶୀଘ୍ର ସବୁ ବ୍ୟାଙ୍କର ଗ୍ରାହକମାନଙ୍କୁ ମିଳିବ ବୋଲି ଆଜି ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶ୍ରୀ ଦାସ କହିଛନ୍ତି। ବର୍ତ୍ତମାନ, କେବଳ କିଛି ବ୍ୟାଙ୍କର ଏଟିଏମ୍‌ରୁ ଗ୍ରାହକମାନେ ବିନା କାର୍ଡରେ ଟଙ୍କା ଉଠାଇବା ସୁବିଧା ପାଉଛନ୍ତି। ଆଗାମୀ ଦିନରେ ଅତି ସହଜରେ ଏଟିଏମ୍ କିମ୍ବା ଡେବିଟ୍‌ କାର୍ଡ ବିନା ଗ୍ରାହକମାନେ ଟଙ୍କା ଉଠାଇପାରିବେ। ଫଳରେ କାର୍ଡ ସ୍କିମିଂ ଓ କାର୍ଡ କ୍ଲୋନିଂ ଆଦି ଜରିଆରେ ହେଉଥିବା ଠକେଇକୁ ରୋକାଯାଇପାରିବ ବୋଲି ଶକ୍ତିକାନ୍ତ କହିଛନ୍ତି।
 ଛୋଟ ସଂସ୍ଥା ବିଲ୍‌ ପେମେଣ୍ଟ୍ ବ୍ୟବସ୍ଥା ଆରମ୍ଭ କରିପାରିବେ
ଦେଶରେ ବିଲ୍ ପେମେଣ୍ଟ୍‌ ବ୍ୟବସ୍ଥାକୁ ଆହୁରି ଦୃଢ଼ କରିବା ଲାଗି ରିଜର୍ଭ ବ୍ୟାଙ୍କ ନିଷ୍ପତ୍ତି ନେଇଛି। ଭାରତ ବିଲ୍ ପେମେଣ୍ଟ୍‌ ସିଷ୍ଟମ୍ (ବିବିପିଏସ୍‌) ଅଧୀନରେ ପେମେଣ୍ଟ୍‌ ସଂସ୍ଥା ସ୍ଥା‌ପନ କରିବା ଲାଗି ଆଗ୍ରହୀ ଥିବା ସଂସ୍ଥାଙ୍କ କାରବାର ୧୦୦ କୋଟି ଟଙ୍କା ହେବା ଦରକାର ବୋଲି ନିୟମ ରହିଥିଲା। ସେହି ଆବଶ୍ୟକତାକୁ ୨୫ କୋଟି ଟଙ୍କାକୁ ହ୍ରାସ କରାଯାଇଛି। ଏହା ଦ୍ବାରା ବ୍ୟାଙ୍କିଙ୍ଗ ସେବା ପ୍ରଦାନ କରୁନଥିବା ସଂସ୍ଥାଗୁଡ଼ିକ ମଧ୍ୟ ପେମେଣ୍ଟ୍‌ ସଂସ୍ଥା ସ୍ଥାପନ କରିପାରିବେ।
 ସାଇବର୍‌ ନିରାପତ୍ତା ଗାଇଡ୍‌ଲାଇନ୍ ଆସିବ
ପେମେଣ୍ଟ୍‌ ସିଷ୍ଟମ୍ ଅପରେଟରମାନଙ୍କ ଲାଗି ରିଜର୍ଭ ବ୍ୟାଙ୍କ ଖୁବ୍‌ଶୀଘ୍ର ସାଇବର୍ ନିରାପତ୍ତା ସମ୍ପର୍କିତ ଗାଇଡ୍‌ଲାଇନ୍ ଜାରି କରିବ। ବିଭିନ୍ନ ପ୍ରକାର ସାଇବର ବିପଦ ଓ ଭବିଷ୍ୟତରେ ଦେଖାଦେବାକୁ ଥିବା ବିପଦଗୁଡ଼ିକୁ ନେଇ ଯେଭଳି ଏହି ସଂସ୍ଥାଗୁଡ଼ିକ ନିଜକୁ ପ୍ରସ୍ତୁତ ରଖିପାରିବେ ତାହାକୁ ନଜରରେ ରଖି ଏହି ଗାଇଡଲାଇନ୍ ପ୍ରସ୍ତୁତ କରାଯିବ।
 ‘ମୂଲ୍ୟକୁ ଋଣ ଅନୁପାତ’ରେ ଗୃହ ଋଣ ମିଳିବ
ଲୋକମାନଙ୍କ ଘର କିଣିବା ସ୍ବପ୍ନ ପୂରଣ କରିବା ଲାଗି ଗୃହ ଋଣକୁ କେବଳ ମୂଲ୍ୟକୁ ଋଣ (ଏଲ୍‌ଟିଭି) ଅନୁପାତ ସହ ଯୋଡ଼ାଯାଇଛି। ୨୦୨୦ ଅକ୍ଟୋବରରେ ଏହି ସୁବିଧାକୁ ୨୦୨୨ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ସେହି ଅବଧିକୁ ୨୦୨୩ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ପୁଣି ଥରେ ବଢ଼ାଇ ଦିଆଯାଇଛି।

ସମ୍ବନ୍ଧିତ ଖବର