ମହଙ୍ଗା ହେବ ସାର

ନୂଆଦିଲ୍ଲୀ: ଆଗାମୀ ଦିନରେ କୃଷକମାନଙ୍କୁ ସାର ବାବଦରେ ଅଧିକ ଅର୍ଥ ଖର୍ଚ କରିବାକୁ ପଡ଼ିବ। ବଜାରରେ ସାର ଦର ପ୍ରାୟ ୫ ପ୍ରତିଶତରୁ ୨୬ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘଟିବ। ଅନ୍ତର୍ଜାତୀୟ ବଜାରରେ ଫସଫେଟ୍ ଓ ପଟାସ୍ ଦାମ୍ ବୃଦ୍ଧି ଯୋଗୁ ସାର ଦର ବୃଦ୍ଧି ଘଟିବ ବୋଲି ବଜାର ବିଶ୍ଳେଷକ ଓ ସାର ଉଦ୍ୟୋଗ ସହ ଜଡ଼ିତ ବ୍ୟକ୍ତିମାନେ ମତ ଦେଇଛନ୍ତି। ସାର ପ୍ରସ୍ତୁତିରେ ଫସଫେଟ୍ ଓ ପଟାସର ବ୍ୟାପକ ବ୍ୟବହାର ହୋଇଥାଏ। ତେବେ ସରକାର ଯଦି ସାର କମ୍ପାନିଙ୍କୁ ସବସିଡି ବାବଦରେ ଅଧିକ ରାଶି ପ୍ରଦାନ କରନ୍ତି ତାହେଲେ କୃଷକଙ୍କ ଉପରେ ଦର ବୃଦ୍ଧି ବୋଝ କିଛିଟା ହାଲକା ହୋଇପାରେ। ଡିଏପି ସାର ଦର ଅକ୍ଟୋବର ସୁଦ୍ଧା ୪ ପ୍ରତିଶତ ବୃଦ୍ଧି ଘଟିପାରେ। ଅନ୍ୟପଟେ ଏମ୍ଓପି ସାରରେ ୨୬ ପ୍ରତିଶତ ବୃଦ୍ଧି ଘଟି ୫୦ କିଗ୍ରା ବ୍ୟାଗ୍ ପିଛା ୮୮୦ ଟଙ୍କାରେ ପହଞ୍ଚିପାରେ। ଏନପିକେ ଗ୍ରେଡ ସାର ଦାମ ୫ରୁ ୧୦ ପ୍ରତିଶତ ବୃଦ୍ଧି ଘଟିପାରେ। ଫଳରେ ୫୦ କିଗ୍ରା ଏନପିକେ ଗ୍ରେଡ ସାର ଦାମ ୯୬୦ ଟଙ୍କାରୁ ୧୧୮୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ‌େହାଇପାରେ। ଟଙ୍କାର ମୂଲ୍ୟ ହ୍ରାସ ଯୋଗୁ ବିଦେଶରୁ ସାର ପ୍ରସ୍ତୁତିରେ ବ୍ୟବହୃତ କଞ୍ଚାମାଲ ଆମଦାନି କରିବା ମହଙ୍ଗା ହୋଇଯାଇଛି। ଏସବୁ ଦର ବୃଦ୍ଧିକୁ କମ୍ପାନି ଗୁଡ଼ିକ କେତେ ସମ୍ଭାଳିବେ ତାହା ଆଗାମୀ ଦିନରେ ଜଣାପଡ଼ିବ ବୋଲି ଇଫକୋର ଯୁଗ୍ମ ପରିଚାଳନା ନିର୍ଦେଶକ ରାକେଶ କପୁର କହିଛନ୍ତି। ତେବେ ସେ କହିଛନ୍ତି ଦେଶରେ ଆସନ୍ତା ରବି ଋତୁ ପାଇଁ ପର୍ଯ୍ୟାପ୍ତ ମାତ୍ରାରେ ସାର ମହଜୁଦ ଅଛି। ଯଦିଓ ଗତ ୩ ମାସ ମଧ୍ୟରେ ଫସଫେଟ ମୂଲ୍ୟ ଟନ୍ ପିଛା ୧୦୩ ଡଲାର ବୃଦ୍ଧି ଘଟିଛି ପଟାସ ମୂଲ୍ୟ ଟନ ପିଛା ମାତ୍ର ୫୦ ଡଲାର ବୃଦ୍ଧି ଘଟିଛି। ଡିଏପି ଦରରେ ୧୨ ପ୍ରତିଶତ ଏବଂ ଏମଓପି ଦରରେ ୨୬ ପ୍ରତିଶତ ବୃଦ୍ଧି ଘଟିବ ବୋଲି ଯାହା କୁହାଯାଉଛି ତାହା ଦୁଇଟି ବିଷୟକୁ ଦେଖି କୁହାଯାଉଛି। ଟଙ୍କା ମୂଲ୍ୟ ଦୁର୍ବଳ ହେବା ସହିତ କଞ୍ଚାମାଲର ମୂଲ୍ୟ ବୃଦ୍ଧି ପାଇଁ ଏହା ହେବ। କମ୍ପାନି ଗୁଡ଼ିକ ଏହି ମୂଲ୍ୟ ବୃଦ୍ଧିକୁ ଗ୍ରାହକଙ୍କ ଉପରେ ଲଦିପାରନ୍ତି ବୋଲି ଇକ୍ରାର ବରିଷ୍ଠ ଉପସଭାପତି (କର୍ପୋରଟ ରେଟିଂ) କେ ରବିଚନ୍ଦ୍ରନ କହିଛନ୍ତି।

ସମ୍ବନ୍ଧିତ ଖବର