ଟଙ୍କାର ଦୁର୍ବଳ ସ୍ଥିତି: ବଢ଼ିବ ଟିଭି, ଫ୍ରିଜ୍‌ ଦାମ୍‌

କୋଲକାତା: ଆମେରିକୀୟ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୭୦ ଟଙ୍କା ପାଖାପାଖି ରହିଛି। ଆଜି ଏହାର ମୂଲ୍ୟରେ ସାମାନ୍ୟ ସୁଧାର ହୋଇଛି। ଏକ ଡଲାର ମୂଲ୍ୟ ୬୯ ଟଙ୍କା ୯୦ ପଇସା ସ୍ତରରେ ପହଞ୍ଚିଛି। ଟଙ୍କାର ଦୁର୍ବଳ ସ୍ଥିତି ଯୋଗୁ ଦେଶରେ ଟିଭି, ଫ୍ରିଜ୍‌, ଓ୍ଵାସିଂ ମେସିନ୍‌, ମାଇକ୍ରୋେଓ୍ଵଭ୍‌ ଓ ଲାପ୍‌ଟପ୍‌ ଭଳି ସାମଗ୍ରୀଗୁଡ଼ିକର ଦାମ୍‌ ବଢ଼ିବା ଭଳି ସ୍ଥିତି ସୃଷ୍ଟି ହୋଇଛି। ଏହି ସବୁ ସାମଗ୍ରୀଗୁଡ଼ିକର ଦାମ୍‌ ୩-୬% ପର୍ଯ୍ୟନ୍ତ ବଢ଼ିପାରେ। ଏଲ୍‌ଜି ଓ ସାମସଙ୍ଗ୍‌ ଭଳି ବଡ଼ ଇଲେକ୍ଟ୍ରୋନିକ୍ସ କଂପାନି ନିଜ ଉତ୍ପାଦଗୁଡ଼ିକର ମୂଲ୍ୟରେ ୩-୫.୫% ପର୍ଯ୍ୟନ୍ତ ବୃଦ୍ଧି କରିବେ ବୋଲି ସୂଚନା ପ୍ରଦାନ କରିଛନ୍ତି। ଏହା ହେଲେ ଗତ ମାସରେ ଜିଏସ୍‌ଟିରେ କରାଯାଇଥିବା ହ୍ରାସ ଯୋଗୁ ଗ୍ରାହକମାନଙ୍କୁ ଯେଉଁ ଲାଭ ମିଳିବାର ଥିଲା ତାହା ଆଉ ମିଳିବନି। ଓଲଟା ଗ୍ରାହକଙ୍କୁ ଟିଭି, ଫ୍ରିଜ୍‌ ପାଇଁ ଅଧିକ ଟଙ୍କା ଗଣିବାକୁ ପଡ଼ିବ।

ଲାପ୍‌ଟପ୍‌ ନିର୍ମାତା ଲେନୋଭୋ ପକ୍ଷରୁ ବିଭିନ୍ନ ଉତ୍ପାଦ ମୂଲ୍ୟରେ ୩-୪% ବୃଦ୍ଧି କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି। ଫଳରେ କଂପାନିର ବିଭିନ୍ନ ମଡେଲ୍‌ର କମ୍ପ୍ୟୁଟର୍‌ ଓ ଲାପ୍‌ଟପ୍‌ ମୂଲ୍ୟରେ ୭୦୦ରୁ ୩୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ। ଥମ୍‌ସନ୍‌ ଓ ବିପିଏଲ୍‌ ଭଳି ଟିଭି ନିର୍ମାତା ୩୨ ଇଞ୍ଚ୍‌ ଓ ତା’ଠାରୁ ବଡ଼ ଏଲ୍‌ସିଡି ମୂଲ୍ୟରେ ୧୦୦୦-୨୨୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବା ଉପରେ ବିଚାର କରୁଛନ୍ତି। କିଛି ମାସ ପୂର୍ବରୁ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୬୬-୬୭ ଟଙ୍କା ମଧ୍ୟରେ ରହୁଥିଲା। ସେହି ସ୍ତରକୁ ବିଚାରକୁ ନେଇ କଂପାନିଗୁଡ଼ିକ ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀରେ ବ୍ୟବହାର ହେଉଥିବା ବିଭିନ୍ନ ଉପକରଣ ଆମଦାନି କରୁଥିଲେ। ଏବେ ସେହି ଆମଦାନି ହେଉଥିବା ସବୁ ସାମଗ୍ରୀ ପାଇଁ କଂପାନିଗୁଡ଼ିକୁ ଅଧିକ ୪ ଡଲାର ଖର୍ଚ କରିବାକୁ ପଡୁଛି। ଫଳରେ ସେମାନଙ୍କ ସାମଗ୍ରୀ ଉତ୍ପାଦନ ଖର୍ଚ ବଢ଼ିଛି। ଖର୍ଚ ବୃଦ୍ଧିର ବୋଝକୁ ଗ୍ରାହକଙ୍କ ମୁଣ୍ଡ ଉପରେ ଲଦିବା ପାଇଁ କଂପାନିଗୁଡ଼ିକ ବିଚାର କରୁଛନ୍ତି। ଗତ ମାସରେ ଜିଏସ୍‌ଟି ପରିଷଦ ପକ୍ଷରୁ ଫ୍ରିଜ୍‌, ଓ୍ଵାସିଂ ମେସିନ୍‌, ଛୋଟ ଟିଭି ଓ ଭାକ୍ୟୁମ୍‌ କ୍ଲିନର୍‌ ଭଳି ବିଭିନ୍ନ ସାମଗ୍ରୀ ଉପରୁ ଜିଏସ୍‌ଟି ପରିମାଣ ୨୮%ରୁ ହ୍ରାସ କରି ୧୮% କରାଯାଇଥିଲା। ଫଳରେ ଏହି ସବୁ ସାମଗ୍ରୀ ମୂଲ୍ୟରେ ୮% ଭଳି ହ୍ରାସ ହେବ ବୋଲି ଆକଳନ କରାଯାଉଥିଲା। ମାତ୍ର ଟଙ୍କାର ଦୁର୍ବଳ ସ୍ଥିତି ସବୁ କିଛି ବିଗାଡ଼ି ଦେଇଛି। ଏବେ ଲୋକମାନଙ୍କୁ ଏହାର ଅଧା ଲାଭ ମଧ୍ୟ ମିଳିବାର କମ୍‌ ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର