ସୁନା ଦର ୧୦ ଗ୍ରାମ ପିଛା ୫୦ ହଜାର, ରୁପା କିଲୋ ୬୦ ହଜାର ଟପିଲା

ଖୁଚୁରା ବଜାରରେ ଦାମ୍ କମ୍ ରହିଛି

ନୂଆଦିଲ୍ଲୀ : ସୁନା ଓ ରୁପା ଦାମ୍ ରେକର୍ଡ ସ୍ତରରେ ପହଞ୍ଚିଛି। ମଲ୍‌ଟି କମୋଡିଟି ଏକ୍ସଚେଞ୍ଜ୍‌ (ଏମ୍‌ସିଏକ୍ସ)ରେ ପ୍ରଥମ ଥର ପାଇଁ ସୁନାର ୧୦ ଗ୍ରାମ ପିଛା ଦାମ୍ ୫୦ ହଜାର ଟଙ୍କାରୁ ଅଧିକ ହୋଇଛି। ଅଗଷ୍ଟ ମାସ ଲାଗି ବିକ୍ରି କରାଯାଉଥିବା ସୁନାର ଦାମ୍ ଆଜି ୫୦,୦୧୦ ଟଙ୍କା ହୋଇଥିଲା। ଏହା ପୂର୍ବରୁ ଏକ୍ସଚେଞ୍ଜ୍‌ରେ କେବେ ବି ସୁନା ଦାମ୍ ୫୦ ହଜାର ଟଙ୍କା ସ୍ତର ଟପିନଥିଲା। କେବଳ ସୁନା ନୁହେଁ ରୁପା ଦାମ୍‌ ମଧ୍ୟ ହୁ ହୁ ହୋଇ ବଢ଼ିଚାଲିଛି। ରୁପାର କିଲୋ ପ୍ରତି ଦର ୬୦ ହଜାର ଟଙ୍କାରୁ ଅଧିକ ହୋଇଯାଇଛି। ଏକ କିଲୋ ରୁପା କିଣିବା ଲାଗି ୬୧,୧୩୦ ଟଙ୍କା ଗଣିବାକୁ ପଡ଼ିଛି।

ଆମେରିକା ଓ ଚୀନ୍ ମଧ୍ୟରେ ପୁଣି ବିବାଦ ଆରମ୍ଭ ହେବା ଓ କରୋନା ଟିକାକୁ ନେଇ ଅନିଶ୍ଚିତତା ଲାଗି ରହିଥିବାରୁ ସୁନା ଓ ରୁପା ଦାମ୍ ବଢ଼ୁଛି ବୋଲି ବଜାର ଉପରେ ନଜର ରଖିଥିବା ବିଶେଷଜ୍ଞମାନେ କହୁଛନ୍ତି। ଅନ୍ୟ କିଛି ବିଶେ‌ଷଜ୍ଞଙ୍କ ମତ ହେଉଛି, କରୋନା ଟିକା ଖୁବ୍‌ଶୀଘ୍ର ଆସିବାର ସମ୍ଭାବନା ସୃଷ୍ଟି ହୋଇଥିବାରୁ ବିଭିନ୍ନ ସ୍ଥାନରେ ଶିଳ୍ପ କାର୍ଯ୍ୟକଳାପ ବଢ଼ିଛି। ସେଥିପାଇଁ ରୁପାର ଚାହିଦା ବୃଦ୍ଧି ପାଇଛି। ଅନେକ ପ୍ରକାର ଶିଳ୍ପ ସଂସ୍ଥାରେ ରୁପାକୁ ବ୍ୟବହାର କରାଯାଇଥାଏ। ଗହଣା ବଜାରକୁ ବାଦ ଦେଲେ ଅଧିକାଂଶ ରୁପାକୁ ଶିଳ୍ପ ସଂସ୍ଥାଗୁଡ଼ିକ ହିଁ କିଣିଥାନ୍ତି। ଗତ ତିନି ଦିନରେ ରୁପାର କିଲୋ ପ୍ରତି ଦାମ୍‌ରେ ୮୫୦୦ ଟଙ୍କାର ବୃଦ୍ଧି ହୋଇଛି। ଆନ୍ତର୍ଜାତିକ ବଜାରରେ ରୁପାର ଆଉନ୍ସ ପିଛା ଦର ୨୨.୮୩ ଡଲାର ହୋଇଛି। ଶେଷ ଥର ପାଇଁ ୨୦୧୩ରେ ରୁପାକୁ ଏହି ସ୍ତରରେ ଦେଖିବାକୁ ମିଳିଥିଲା। ସୁନାର ଆଉନ୍ସ ପିଛା ଦର ୧୯୧୧ ଡଲାରରେ ପହଞ୍ଚିଛି। ୨୦୧୧ ପରେ ସୁନା ଦାମ୍‌କୁ ଏଭଳି ଉଚ୍ଚ ସ୍ତରରେ କେବେବି ଦେଖିବାକୁ ମିଳିନଥିଲା।

ଏହା ମନେ ରଖିବା ଦରକାର ସୁନା ଦାମ୍ ଦେଶର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରହିଥାଏ। ମଲ୍‌ଟି କ ମୋଡିଟି ଏକ୍ସଚେଞ୍ଜ୍‌ର ଦାମ୍ ଓ ଖୁଚୁରା ଦର ଭିତରେ ବହୁତ ଅନ୍ତର ରହୁଛି। କମୋଡିଟି ଏକ୍ସଚେଞ୍ଜ୍‌ର ସୁନା ଦାମ୍ ୫୦ ହଜାର ଟଙ୍କାରୁ ଅଧିକ ହୋଇଥିଲେ ମଧ୍ୟ ଦିଲ୍ଲୀର ଖୁଚୁରା ବଜାରରେ ୨୨ କ୍ୟାରେଟ୍‌ ସୁନାର ଦାମ୍ ୪୭,୯୧୦ ଟଙ୍କା ରହିଛି। ମଲ୍‌ଟି କମୋଡିଟି ଏକ୍ସଚେଞ୍ଜ୍‌ରେ ଡିଜିଟାଲ୍ ମାଧ୍ୟମରେ ସାମଗ୍ରୀର କିଣାବିକା ହୋଇଥାଏ। ଉଦାହରଣ ସ୍ବରୂପ, ସୁନାର ପୁରୁଣା ଏବଂ ନୂଆ ଦରକୁ ବିଚାରକୁ ନେଇ ତାହାର ଭବିଷ୍ୟତ ମୂଲ୍ୟ ନିର୍ଧାରଣ କରାଯାଏ। କିଣାବିକା ପାଇଁ ଏକ ନିର୍ଦିଷ୍ଟ ତାରିଖ ଧାର୍ଯ୍ୟ କରାଯାଏ ଓ ସେହି ସମୟ ଭିତରେ କାରବାର ହୋଇଥାଏ।

ସମ୍ବନ୍ଧିତ ଖବର