ଭୁବନେଶ୍ବର: ଦେଶରେ ଲୋକସଭା ନିର୍ବାଚନ ସମେତ ୪ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳ ପ୍ରକାଶ ପାଇବା ପରେ କେନ୍ଦ୍ର ଓ ରାଜ୍ୟରେ ନୂଆ ସରକାର ଗଠନ ହୋଇସାରିଛି। ଏଭଳି ସ୍ଥିତିରେ ଗତ କିଛିଦିନ ମଧ୍ୟରେ ଦେଶରେ ଅଧିକାଂଶ ଖାଦ୍ୟ ସାମଗ୍ରୀର ଦର ବଢ଼ିଯାଇଛି। ଚାଉଳ ଠାରୁ ଆରମ୍ଭ କରି ଡାଲି, ତେଲ, ଅଟା, ସୁଜି, ମଇଦା ଆଦିର ଦାମ୍ ମହଙ୍ଗା ହୋଇଛି। ଆଳୁ, ପିଆଜ, ଅଦା, ରସୁଣ ସମେତ କଞ୍ଚା ପରିବା ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ। ହରଡ଼ ଡାଲି ମୂଲ୍ୟ ଇତିମଧ୍ୟରେ ସର୍ବାଧିକ ବୃଦ୍ଧି ଘଟିଛି। ଗତ ମାସକ ମଧ୍ୟରେ କିଲୋଗ୍ରାମ ପିଛା ୧୫ରୁ ୨୦ ଟଙ୍କା ବୃଦ୍ଧି ଘଟି ହରଡ଼ ଡାଲି ମୂଲ୍ୟ ପାଇକାରୀ ବଜାରରେ ୧୬୦ରୁ ୧୭୦ ଟଙ୍କା ସ୍ତରରେ ପହଞ୍ଚିଛି। ଏହାଫଳରେ ଖୁଚୁରା ବଜାରରେ ହରଡ଼ ଡାଲି ମଧ୍ୟ ୧୮୦ ଟଙ୍କା ଭଳି ଉଚ୍ଚସ୍ତରରେ ବିକ୍ରି ହେଉଛି। ସେହିଭଳି ବୁଟ ଡାଲି ମୂଲ୍ୟ କିଲୋଗ୍ରାମ ପିଛା ୭୪ ଟଙ୍କାରୁ ବୃଦ୍ଧି ପାଇ ୮୨ ଟଙ୍କା ଛୁଇଁଛି। ବିରି ଡାଲି କିଲୋଗ୍ରାମ ପିଛା ୫ରୁ ୬ ଟଙ୍କା ବଢ଼ିଛି। ମସୁର ଡାଲି ୫ ଟଙ୍କା ବଢ଼ି ୭୫ ଟଙ୍କାରେ ପହଞ୍ଚିଛି। ସୂର୍ଯ୍ୟମୁଖୀ ତେଲ ମୂଲ୍ୟ ଲିଟର ପିଛା ମାସକ ମଧ୍ୟରେ ୭ରୁ ୮ ଟଙ୍କା ବୃଦ୍ଧି ଘଟି ୧୦୯ ଟଙ୍କାରେ ପହଞ୍ଚିଛି।
ଖୋଲାରେ ବିକ୍ରି ହେଉଥିବା ଅଟା, ସୁଜି ଏବଂ ମଇଦା କିଲୋଗ୍ରାମ ପିଛା ୩ରୁ ୪ ଟଙ୍କା ମହଙ୍ଗା ହୋଇଯାଇଛି। ସବୁଠୁ ବଡ଼ କଥା ହେଲା ସାଧାରଣ କିସମ ଚାଉଳ ମୂଲ୍ୟ ଇତିମଧ୍ୟରେ କିଲୋଗ୍ରାମ ପିଛା ୫ ଟଙ୍କା ବଢ଼ି ୩୬ ଟଙ୍କାରେ ପହଞ୍ଚି ଯାଇଛି। ପାଇକାରୀ ବଜାରରେ ଚିନି ମୂଲ୍ୟ କିଲୋଗ୍ରାମ ପିଛା ୧ ଟଙ୍କା ବଢ଼ିଛି ବୋଲି ଭୁବନେଶ୍ବରର ପାଇକାରୀ ବ୍ୟବସାୟୀ ପ୍ରଭାସ ସାହୁ ସୂଚନା ଦେଇଛନ୍ତି।ଆଳୁର ପାଇକାରୀ ଦର କିଛିଦିନ ପୂର୍ବରୁ ୧୯ ଟଙ୍କା ଥିଲା। ଏବେ ତାହା ୨୧ ଟଙ୍କାରେ ପହଞ୍ଚିଛି। ସେହିଭଳି ୨୭ରୁ ୨୮ ଟଙ୍କାରେ ବିକ୍ରି ହେଉଥିବା ପିଆଜ ଏବେ ୩୨ ଟଙ୍କାରେ ବିକ୍ରି ହେଉଛି। ଅଦା ଦାମ ମଧ୍ୟ କିଗ୍ରା ପିଛା ୧୭୫ ଟଙ୍କାରେ ପହଞ୍ଚିଛି ବୋଲି କୁବେରପୁରୀ ବ୍ୟବସାୟୀ ସଂଘର ସଂପାଦକ ଶକ୍ତି ଶଙ୍କର ମିଶ୍ରଙ୍କ ସୂତ୍ରରୁ ଜଣାଯାଇଛି। ଛତ୍ରବଜାରରେ ପନିପରିବାର ପାଇକାରୀ ଦର ଉପରେ ନଜର ପକାଇଲେ ଜଣାପଡ଼େ ଚାଲାଣ ପୋଟଳ ଦାମ ୨୫ରୁ ୩୦ ଟଙ୍କାରେ, ବାଇଗଣ ୩୫ରୁ ୪୦ ଟଙ୍କାରେ ଏବଂ କଖାରୁ ୨୦ ଟଙ୍କାରେ ବିକ୍ରି ହେଉଛି। ଖୁଚୁରା ବଜାରରେ କଞ୍ଚା ପରିବା ପାଇକାରୀ ବଜାର ତୁଳନାରେ କିଲୋଗ୍ରମା ପିଛା ୧୦ ଟଙ୍କା ଅଧିକରେ ବିକ୍ରି ହେଉଛି। ଛତ୍ର ବଜାର ବ୍ୟବସାୟୀ ସଂଘର ସଂପାଦକ ଦେବେନ୍ଦ୍ର ସାହୁଙ୍କ କହିବାନୁଯାୟୀ, କିଣା ଅଧିକ ରହୁଥିବାରୁ ଅଧିକାଂଶ ପରିବାର ଦରଦାମ ବଢ଼ିଛି। ରାଜ୍ୟ ଭିତରେ ପନିପରିବା ଉତ୍ପାଦନ ନବଢ଼ିବା ପର୍ଯ୍ୟନ୍ତ ଦରଦାମ ସ୍ଥିତି ସୁଧୁରିବନି ବୋଲି ସେ ମତ ଦେଇଛନ୍ତି।
କର୍ଣ୍ଣାଟକରେ ଗତକାଲି ସରକାର ପେଟ୍ରୋଲ ଏବଂ ଡିଜେଲ ଦାମ ପ୍ରାୟ ୩ ଟଙ୍କା ବୃଦ୍ଧି କରିଥିବାରୁ ଆଗାମୀ ଦିନରେ ସେଠାରୁ ଓଡ଼ିଶାକୁ ଆସୁଥିବା ସାମଗ୍ରୀର ଦର ଉପରେ ପ୍ରଭାବ ପଡ଼ିବ ବୋଲି ବିଶେଷଜ୍ଞମାନେ କହିଲେଣି। ଅଧିକାଂଶ ସାମଗ୍ରୀର ଦରଦାମ ବୃଦ୍ଧି ଯୋଗୁ ଲୋକଙ୍କ ବଜେଟ୍ ପ୍ରଭାବିତ ହୋଇଛି। ସେମାନଙ୍କୁ ଘର ଚଳାଇବା କଷ୍ଟକର ହୋଇ ପଡ଼ୁଛି। ଶୀଘ୍ର ଦରଦାମ ଉପରେ ନିୟନ୍ତ୍ରଣ ଆଣିବା ପାଇଁ ସରକାର ଉପଯୁକ୍ତ ନୀତି ମାଧ୍ୟମରେ ପଦକ୍ଷେପ ନେବାକୁ ସାଧାରଣରେ ମତ ପ୍ରକାଶ ପାଇଛି। ହରଡ଼ ଡାଲି ଦାମ୍ ବଢ଼ିବା ଦ୍ବାରା ଏହାର ବିକ୍ରି ହ୍ରାସ ପାଇଛି ବୋଲି ବ୍ୟବସାୟୀମାନେ ମତ ଦେଇଛନ୍ତି। ଓଡ଼ିଶା ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡାଙ୍କ କହିବାନୁଯାୟୀ, ଖରାଦିନେ ପାଣିର ଅଭାବ ଯୋଗୁ ଚାଷ ବାଧାପ୍ରାପ୍ତ ହୋଇଛି। ଏଥିସହିତ ଲୋକଙ୍କୁ ଚାଷ କରିବା ଲାଗି ଆଗ୍ରହ ବି ନାହିଁ। ମାତ୍ରାଧିକ ଲୋକଙ୍କୁ ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦିଆଯିବା ଦ୍ବାରା ସେମାନେ ଅଳସୁଆ ହୋଇଯାଉଛନ୍ତି। ଏଥିପାଇଁ ଚାଷ କାର୍ଯ୍ୟ ହୋଇ ପାରୁନାହିଁ। ତେଣୁ କୃଷିଜାତ ସାମଗ୍ରୀର ଦରଦାମ ବଢ଼ୁଛି। ଜନମଙ୍ଗଳ ରାଷ୍ଟ୍ରରେ ଯେଉଁମାନେ ଅକ୍ଷମ ସେମାନଙ୍କୁ ମାଗଣାରେ ଖାଦ୍ୟଶସ୍ୟ ଦିଆଗଲେ ତାହାକୁ କେହି ଆପତ୍ତି କରନ୍ତେ ନାହିଁ କିମ୍ବା ଉତ୍ପାଦନ ମଧ୍ୟ ପ୍ରଭାବିତ ହୁଅନ୍ତା ନାହିଁ। କିନ୍ତୁ ୮୦ କୋଟି ଲୋକଙ୍କୁ ମାଗଣା ଖାଦ୍ୟ ଦିଆଯିବା ଦ୍ବାରା ଏହା ଉତ୍ପାଦନକୁ ପ୍ରଭାବିତ କରି ଦରଦାମକୁ ବଢ଼ାଉଛି। ସରକାର ତୁରନ୍ତ ନୀତିରେ ପରିବର୍ତ୍ତନ ଆଣନ୍ତୁ ବୋଲି ସେ ମତ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/sfhsffhsfhst.jpg)