ଭୁବନେଶ୍ବର: ପ୍ରିୟା ଏଜୁକେସନାଲ୍ ଟ୍ରଷ୍ଟ୍‌ ପକ୍ଷରୁ ଆସନ୍ତା ପାଞ୍ଚ ବର୍ଷରେ ସାରା ଦେଶରେ ୯ଟି ସ୍କୁଲ ଖୋଲାଯିବ। ଭୁବନେଶ୍ବରରୁ ସ୍କୁଲ ଏହାର ଯାତ୍ରା ଆରମ୍ଭ କରି ପାହାଳ ସ୍ଥିତ ଆସୋଟେକ୍‌ ପ୍ରକଳ୍ପରେ ଏହାର ପ୍ରଥମ ସ୍କୁଲ ‘ପ୍ରାଇଡ୍‌ ୱାର୍ଲଡ ପ୍ଲେୱେ’କୁ ଖୋଲିଛି। ଏହି ସ୍କୁଲରେ ୬ ମାସର ଶିଶୁଙ୍କ ପାଇଁ କ୍ରେଚ୍‌ ଠାରୁ ଆରମ୍ଭ କରି ଦ୍ବିତୀୟ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବାର ବ୍ୟବସ୍ଥା ରହିଛି।

Advertisment

ଆସୋଟେକ୍ ଗ୍ରୁପ୍‌ର ନିର୍ଦ୍ଦେଶିକା ତଥା ପ୍ରିୟା ଏଜୁକେସନାଲ୍ ଟ୍ରଷ୍ଟର ଟ୍ରଷ୍ଟି ଶିବାନୀ ପ୍ରିୟମ୍ କହିଛନ୍ତି ଯେ ଆମେ ଦୁଇ ପ୍ରକାର ସ୍କୁଲ ଖୋଲିବୁ। ତାହା ହେଉଛି ପ୍ରାଇଡ୍‌ ୱାର୍ଲଡ୍‌ ସ୍କୁଲ ଓ ପ୍ରାଇଡ୍‌ ୱାର୍ଲଡ୍ ପ୍ଲେ ୱେ। ପ୍ରାଇଡ୍‌ ୱାର୍ଲଡ୍‌ ସ୍କୁଲ୍‌ରେ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ବ୍ୟବସ୍ଥା ରହିବ। ସେହି ସ୍କୁଲରେ ୬୦୦୦ ଛାତ୍ରଛାତ୍ରୀ ପାଠପଢ଼ିପାରିବେ। ଆସନ୍ତା ୫ ବର୍ଷରେ ଟ୍ରଷ୍ଟ୍‌ ତିନିଟି ପ୍ରାଇଡ୍‌ ୱାର୍ଲଡ୍‌ ସ୍କୁଲ ଓ ୬ଟି ପ୍ଲେୱେ ସ୍କୁଲ ଖୋଲିବା ଯୋଜନା ରଖିଛି। ପାହାଳଠାରେ ଏକ ପ୍ରାଇଡ୍‌ ୱାର୍ଲଡ୍‌ ସ୍କୁଲ ନିର୍ମାଣ ଚାଲିଛି। ତାହା ୨୦୨୫ରେ କାର୍ଯ୍ୟକ୍ଷମ ହେବ। ସେହିପରି କସ୍‌ମୋପଲିସ୍‌ରେ ମଧ୍ୟ ଗୋଟିଏ ପ୍ଲେୱେ ସ୍କୁଲ ଆସନ୍ତା ବର୍ଷ ଖୋଲିବା ଯୋଜନା ରହିଛି। ଅନ୍ୟ ସ୍କୁଲଗୁଡ଼ିକ ରାଞ୍ଚି, ଦିଲ୍ଲୀ ଏନ୍‌ସିଆର୍‌, ନୋଏଡା ଓ ଗାଜିଆବାଦ ଆଦି ସ୍ଥାନରେ ଖୋଲିବ ବୋଲି ସେ କହିଛନ୍ତି। ଏହି ଅବସରରେ ପ୍ରିୟା ଏଜୁକେସନାଲ୍ ଟ୍ରଷ୍ଟର ପ୍ରମୁଖ ଟ୍ରଷ୍ଟି ପ୍ରିୟା ଶ୍ରୀବାସ୍ତବ, ଟ୍ରଷ୍ଟି ଅପରାଜିତା ବିଶ୍ବାଳ ଓ ପ୍ରିନ୍‌ଓିପାଲ୍ ଏସ୍‌ ମୁଖାର୍ଜୀ ଉପସ୍ଥିତ ଥିଲେ।