ଅର୍ଥନୀତିଜ୍ଞ ଆୟରଙ୍କ ପରାମର୍ଶ, ଅଧିକ ଟଙ୍କା ଛପାଇ ଖର୍ଚ୍ଚ ବଢ଼ାଅ

ନୂଆଦିଲ୍ଲୀ: ଶହ ଶହ ବର୍ଷରେ ପ୍ରଥମ ଥର ଲାଗି ଏଭଳି ସଙ୍କଟ ସୃଷ୍ଟି ହୋଇଛି। ଏହାର ମୁକାବିଲା ଲାଗି ସ୍ବତନ୍ତ୍ର ରଣନୀତି ଦରକାର। ବିତ୍ତୀୟ ନିଅଣ୍ଟ ବିଷୟରେ ଏହା ଚିନ୍ତା କରିବାର ସମୟ ନୁହେଁ। ଗରିବ ଲୋକଙ୍କ ସାହାଯ୍ୟ କରିବା ଲାଗି ସରକାର ସବୁ ପ୍ରକାର ଉଦ୍ୟମ କରିବା ଦରକାର ବୋଲି ବିଶିଷ୍ଟ ଅର୍ଥନୀତିଜ୍ଞ ସ୍ବାମୀନାଥନ ଆୟାର କରିଛନ୍ତି। ଇଟି ନାଓ ସହ ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, କରୋନାକୁ ନେଇ ସୃଷ୍ଟି ହୋଇଥିବା ସମସ୍ୟା ଲାଗି ସରକାରଙ୍କୁ ବିପୁଳ ମାତ୍ରାରେ ଖର୍ଚ୍ଚ କରିବାକୁ ପଡ଼ିବ। ଅଧିକ ଋଣ ଆଣ। ଅଧିକ ଟଙ୍କା ଛପାଅ। ଏହା ଦେଶର ବିତ୍ତୀୟ ନିଅଣ୍ଟକୁ ବଢ଼ାଇ ଦେବ ଓ ମୁଦ୍ରୀସ୍ଫୀତିକୁ ବେଲଗାମ କରିଦେବ। ତା’ ସତ୍ତ୍ବେ ସରକାର ଏହି ପଦକ୍ଷେପ ନିଅନ୍ତୁ ବୋଲି ସେ କହିଛନ୍ତି। ଆମେରିକା ସରକାରଙ୍କ ଭଳି ବଡ଼ ପ୍ୟାକେଜ୍ ସପକ୍ଷରେ ସେ ଯୁକ୍ତି ବାଢ଼ିଛନ୍ତି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ୨.୨ ଟ୍ରିଲିଅନ ଡଲାରର ପ୍ୟାକେଜ୍ ଘୋଷଣା କରିଛନ୍ତି। ତାହା ଆମେରିକା ଜିଡିପିର ୧୦ ପ୍ରତିଶତ ସହ ସମାନ। ଆୟାର କହିଛନ୍ତି ଯେ, ଏହି ପ୍ୟାକେଜ୍ ପ୍ରସ୍ତୁତ କରିବା ବେଳେ ଆମେରିକା କୌଣସି ଆର୍ଥିକ ନୀତିକୁ ବିଚାରକୁ ନେଇନାହିଁ। କରୋନା ମୁକାବିଲା ଲାଗି ଯାହା ସମ୍ଭବ ସବୁ କରିବା ଲାଗି ଏହି ଦେଶ ନିଜର ପ୍ରତିବଦ୍ଧତା ଦେଖାଇଛି ଓ ତାହା ତାଙ୍କର ପ୍ୟାକେଜ ଆକାରରେ ସ୍ପଷ୍ଟ ପ୍ରତିଫଳିତ ହୋଇଛି। ଆମେରିକା ତୁଳନାରେ ଭାରତର ପ୍ୟାକେଜ୍ ବହୁତ କ୍ଷୁଦ୍ର ବୋଲି ସେ କହିଛନ୍ତି। ଭାରତରେ ଜନ ଧନ ଖାତାରେ ମାସକୁ ପରିବାର ପିଛା ୫୦୦ ଟଙ୍କା ଦେବାକୁ ଘୋଷଣା କରାଯାଇଛି। ତାହା ବହୁତ କମ୍ ବୋଲି ସେ କହିଛନ୍ତି। ସରକାର ପୂର୍ବରୁ ଦେଉଥିବା ସୁବିଧାଗୁଡ଼ିକର ପରିମାଣ ଦୁଇ ଗୁଣା କିମ୍ବା ତିନି ଗୁଣା ବଢ଼ାଇବା ଦରକାର ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର