ପାଲୋ ଆଲ୍‌ଟୋ: ବିଶ୍ବସ୍ତରୀୟ କଂପାନି ଗ୍ଲୋବାଲ୍ ଏଚ୍‌ଡିଆଇ ପିସିବି ମାନୁଫାକ୍‌ଚରିଂ ଓଡ଼ିଶାରେ ଏକ ଏଚ୍‌ଡିଆଇ ପ୍ରିଣ୍ଟେଡ୍‌ ସର୍କିଟ୍‌ ବୋର୍ଡ (ପିସିବି) କାରଖାନା ସ୍ଥାପନ କରିବାକୁ ଆଗ୍ରହ ପ୍ରକାଶ କରିଛି। କଂପାନି ୭ ବର୍ଷରେ ଏଥିରେ ୪,୩୬୦ କୋଟି ଟଙ୍କା ବିନିଯୋଗ କରିବ। ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୩୫୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଆମେରିକାର ସିଲିକନ୍‌ ଭାଲି ଗସ୍ତରେ ଥିବା ଓଡ଼ିଶା ପ୍ରତିନିଧି ଦଳ ଗ୍ଲୋବାଲ୍‌ ଏଚ୍‌ଡିଆଇ ପିସିବି ମାନୁଫାକ୍‌ଚରିଂର ପ୍ରତିଷ୍ଠାତା ପିଆର୍‌ ପଟେଲ୍‌ଙ୍କ ସହ ଆଲୋଚନା କରିବା ପରେ ସେ ଓଡ଼ିଶାରେ ପୁଞ୍ଜିନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଏଚ୍‌ଡିଆଇ ପିସିବି ପାରମ୍ପରିକ ପ୍ରିଣ୍ଟେଡ୍‌ ସର୍କିଟ୍‌ ବୋର୍ଡ ତୁଳନାରେ ବେଶ ଉନ୍ନତ।

Advertisment

ଓଡ଼ିଶାରେ ଏକ ବିଦେଶ ଉନ୍ନୟନ କେନ୍ଦ୍ର ସ୍ଥାପନ କରିବାକୁ ଲ’ ଫାର୍ମ ଇଣ୍ଟେଗ୍ରେଅନଠାରୁ ଲେଟର ଅଫ୍ ଇଣ୍ଟେଣ୍ଟ୍ (ଏଲ୍‌ଓଆଇ) ମିଳିଛି। ସେଥିରେ ୫୦୦ ଲୋକ କାର୍ଯ୍ୟ କରିବେ। କଂପାନି ଏହାର କ୍ଲାଏଣ୍ଟ୍‌ମାନଙ୍କୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ମେସିନ୍ ଲର୍ଣ୍ଣିଂ ସହାୟତା ପ୍ରଦାନ କରିବ। ଓଡ଼ିଶା ପ୍ରତିନିଧି ଦଳ କଂପାନିର ସିଇଓ ସୁବ୍ରତ ମୁଖାର୍ଜୀଙ୍କ ସହ ଆଲୋଚନା କରିଛନ୍ତି। ଓୟାରଲେସ୍‌ ସମାଧାନ ପ୍ରଦାନକାରୀ ସଂସ୍ଥା ସେଲୋନା ଡଟ୍‌ ଆଇଓର ସିଇଓ ରାଜୀବ ଶାହଙ୍କ ସହ ଆଲୋଚନା ହୋଇଛି। ସେଲୋନା ଓ ଓଡ଼ିଶା ସରକାର ଏକ ଯୁଗ୍ମ ଗବେଷଣା ପ୍ରକଳ୍ପ ଉପରେ ଆଲୋଚନା କରିଛନ୍ତି। ଭୁବନେଶ୍ବରରେ ଏକ ଉତ୍କର୍ଷ କେନ୍ଦ୍ର ସ୍ଥାନ କରିବା ଲାଗି କଂପାନି ଆଗ୍ରହ ପ୍ରକାଶ କରିଛି।

ଓଡ଼ିଶାର ଓ-ଚିପ୍ ଡିଜାଇନ୍ କାର୍ଯ୍ୟକ୍ରମ ସହ ଯୋଡ଼ି ହେବା ପାଇଁ ଇ-ଫ୍ୟାବ୍‌ଲେସ୍‌ କର୍ପୋରେସନର ସିଇଓ ମାଇକେଲ୍‌ ୱିସ୍‌ଆର୍ଟ ଆଗ୍ରହ ପ୍ରକାଶ କରିଛନ୍ତି। ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ଚିପ୍ ଡିଜାଇନ୍ ଓ ଫେବ୍ରିକେସନ ଉପରେ ୬ ଦିନିଆ ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ କଂପାନି ଯୋଜନା ରଖିଛି। ଆଇଓପେକ୍ସର ସିଇଓ ଶିବ ରମଣି କହିଛନ୍ତି ଯେ କଂପାନି ଭୁବନେଶ୍ବରରେ ଏକ ବିଦେଶ ଉନ୍ନୟନ କେନ୍ଦ୍ର ସ୍ଥାପନ କରିବାକୁ ଯୋଜନା ରଖିଛି। ସେଥିରେ ୫୦୦ କର୍ମଚାରୀ କାର୍ଯ୍ୟ କରିବେ। ଏହି ଅବସରରେ ଓଡ଼ିଶା ପ୍ରତିନିଧି ଦଳ କାଡେନ୍‌ଓ ଡିଜାଇନ୍ ସିଷ୍ଟମ୍‌ସର ପ୍ରତିନିଧି, ଆଇଟି କଂପାନି କଗ୍ନିଜାଣ୍ଟ୍‌ର ସିଇଓ ରବି କୁମାର, ଆଇଓପେକ୍ସର ସିଇଓ ଶିବ ରମଣି, ୱାଲ୍‌ଡେନ୍ ଇଣ୍ଟରନ୍ୟାସନାଲ୍‌ର ପ୍ରତିଷ୍ଠାତା ଲିପ୍‌-ବୁ ଟାନ୍‌ଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ସେହିପରି, ସାନ୍‌ ଫ୍ରାନ୍‌ସିସ୍‌କୋରେ ଅବସ୍ଥାପିତ ଭାରତର ବାଣିଜ୍ୟ ଦୂତାବାସ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସିଲିକନ ଭାଲିର ୫୦ରୁ ଅଧିକ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ।