ଅଧିକ ଟଙ୍କା ଛପାଇବାର ପ୍ରତିକୂଳ ପ୍ରଭାବ ରହିଛି: ଶକ୍ତିକାନ୍ତ

ନୂଆଦିଲ୍ଲୀ: ସରକାରଙ୍କ ଆର୍ଥିକ ନିଅଣ୍ଟ ଭରଣା କରିବା ଲାଗି ଅଧିକ ଟଙ୍କା ଛପାଇବାକୁ ଚାହୁନାହାନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ଫାଇନାନ୍ସିଆଲ୍ ଏକ୍ସପ୍ରେସ୍‌ ସମ୍ବାଦପତ୍ରକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଅଧିକ ଟଙ୍କା ଛପାଇବାର ଅନେକ ପ୍ରତିକୂଳ ପ୍ରଭାବ ରହିଛି। ଅର୍ଥନୈତିକ ସଂସ୍କାରର ଅଂଶ ସ୍ବରୂପ ଏହି ପ୍ରକ୍ରିୟା ବହୁ ଦିନରୁ ବନ୍ଦ ହୋଇଯାଇଛି ବୋଲି ସେ କହିଛନ୍ତି। ତାଙ୍କ ମତରେ ଋଣ ଆଣିବାରେ ସରକାରଙ୍କ ହେଉଥିବା ବ୍ୟୟ ୧୬ ବର୍ଷର ନିମ୍ନ ସ୍ତରରେ ରହିଛି। ଘରୋଇ କ୍ଷେତ୍ରର ସଂସ୍ଥା ଯେଉଁ ଋଣ ଆଣୁଛନ୍ତି ତାହାର ଖର୍ଚ୍ଚ ମଧ୍ୟ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି। ପ୍ରାୟ ସବୁ କ୍ଷେତ୍ରରେ ଆର୍ଥିକ ସ୍ଥିରତା ବଜାୟ ରହିଛି। କିଛି ଦିନ ହେଲାଣି ସବୁଠୁ କମ୍ ସୁଧ ହାରରେ ଗୃହ ଋଣ ମିଳୁଛି।

ସେଥିପାଇଁ କରୋନା ମହାମାରୀର ଦ୍ବିତୀୟ ଲହର ଆହ୍ବାନ ସତ୍ତ୍ବେ ଗୃହ ନିର୍ମାଣ ଜାରି ରହିଥିବା ସେ କହିଛନ୍ତି। ମହାମାରୀ ପ୍ରଭାବରେ ସରକାରଙ୍କ ରାଜସ୍ବ ଆୟ ହ୍ରାସ ପାଇଥିବା ବେଳେ ବ୍ୟୟ ବହୁତ ବଢ଼ିଯାଇଛି। ଋଣ ଜରିଆରେ ସରକାର ବ୍ୟୟ ପାଇଁ ଟଙ୍କା ଯୋଗାଡ଼ କରୁଛନ୍ତି। ରିଜର୍ଭ ବ୍ୟାଙ୍କ ସାମୟିକ ସମୟ ପାଇଁ ଅଧିକ ଟଙ୍କା ଛପାଇ ସେହି ନିଅଣ୍ଟକୁ ଭରଣା କରିବା ଉଚିତ ବୋଲି ଅନେକ ସମୟରେ ଅର୍ଥନୀତିଜ୍ଞମାନେ ପରାମର୍ଶ ଦେଉଛନ୍ତି। ସେ ସମ୍ପର୍କରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ଶକ୍ତିକାନ୍ତ ଏଭଳି କଥା କହିଛନ୍ତି। ସେ କହିଛନ୍ତି ଯେ ସରକାରଙ୍କ ଋଣ ପରିଚାଳନା କରିବା ହେଉଛି ରିଜର୍ଭ ବ୍ୟାଙ୍କର ଅନ୍ୟତମ ଦାୟିତ୍ବ। ୨୦୨୦-୨୧ରେ ସରକାରଙ୍କ ଲାଗି ରିଜର୍ଭ ବ୍ୟାଙ୍କ ୨୧-୨୨ ଲକ୍ଷ କୋଟି ଟଙ୍କାର ଋଣ ଯୋଗାଡ଼ କରିଥିଲା। ଚଳିତ ବର୍ଷ ମଧ୍ୟ ସମାନ ପରିମାଣର ଋଣ ଯୋଗାଡ଼ କରିବାକୁ ପଡ଼ିବ। କେନ୍ଦ୍ର ସରକାର ଓ ରାଜ୍ୟଗୁଡ଼ିକ କମ୍ ଖର୍ଚ୍ଚରେ ନିରବଚ୍ଛିନ୍ନ ଭାବେ ଯେଭଳି ଋଣ ହାସଲ କରିପାରିବେ ସେ ଦିଗରେ ରିଜର୍ଭ ବ୍ୟାଙ୍କ କାର୍ଯ୍ୟ କରୁଛି।

ଆଜି ଅନ୍ୟ ଏକ କାର୍ଯ୍ୟକ୍ରମ ‘ଆର୍ଥିକ ଅନ୍ତର୍ଭୁକ୍ତୀକରଣ ସମ୍ମେଳନ’କୁ ସମ୍ବୋଧିତ କରି ଶକ୍ତିକାନ୍ତ କହିଛନ୍ତି ଯେ ‌ଲୋକମାନଙ୍କ ନିକଟରେ ଆର୍ଥିକ ସେବା ପହଞ୍ଚାଇବାକୁ ରିଜର୍ଭ ବ୍ୟାଙ୍କ ଅଗ୍ରାଧିକାର ଦେଉଛି। ଆର୍ଥିକ ସାକ୍ଷରତା ବଢ଼ାଇବା ଲାଗି ସ୍କୁଲ ପିଲାମାନଙ୍କୁ ଫାଇନାନ୍ସ ଉପରେ ପାଠପଢ଼ାଇବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଜୁନ୍‌ରେ ୟୁପିଆଇ କାରବାର ୨୮୦ କୋଟି ଟଙ୍କାରୁ ଅଧିକ ହୋଇଥିବାରୁ ସେ ଆନନ୍ଦ ପ୍ରକଟ କରିଛନ୍ତି।

ସମ୍ବନ୍ଧିତ ଖବର