ନୂଆଦିଲ୍ଲୀ: ଦେଶର ଘରୋଇ ବ୍ୟାଙ୍କଗୁଡ଼ିକରେ ବହୁ କର୍ମଚାରୀ ଚାକିରି ଛାଡ଼ୁଛନ୍ତି। ଏହି ହାର ୨୫ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ପହଞ୍ଚିଛି, ଯାହାକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଚିନ୍ତା ପ୍ରକଟ କରିଛି। ଏତେ ସଂଖ୍ୟାରେ କର୍ମଚାରୀ ଚାକିରି ଛାଡ଼ିବା କିମ୍ବା ବଦଳାଇବା ବ୍ୟାଙ୍କ କାର୍ଯ୍ୟକୁ ଗୁରୁତର ପ୍ରଭାବିତ କରିବା ଆଶଙ୍କା ରହିଛି। ସ୍ମଲ୍ ଫାଇନାନ୍ସ ବ୍ୟାଙ୍କଗୁଡ଼ିକରେ ମଧ୍ୟ ସମାନ ଧରଣର ସ୍ଥିତି। ୨୦୨୩-୨୪ରେ ସରକାରୀ ବ୍ୟାଙ୍କ କର୍ମଚାରୀ ତୁଳନାରେ ଘରୋଇ ବ୍ୟାଙ୍କ କର୍ମଚାରୀ ସଂଖ୍ୟା ଅଧିକ ଥିଲା। ମାତ୍ର ଗତ ତିନି ବର୍ଷ ଧରି ଘରୋଇ ବ୍ୟାଙ୍କଗୁଡ଼ିକରେ ଚାକିରି ଛାଡ଼ିବା ହାର ହାରାହାରି ଭାବେ ୨୫ ପ୍ରତିଶତ ରହୁଛି। ଏ ସମ୍ପର୍କରେ ରିଜର୍ଭ ବ୍ୟାଙ୍କ କହିଛି ଯେ ଏତେ ସଂଖ୍ୟାରେ କର୍ମଚାରୀ ଚାକିରି ଛାଡ଼ିବା ଦ୍ବାରା ଗ୍ରାହକ ସେବାରେ ବିଭ୍ରାଟ ହେବା, ସଂସ୍ଥା ବିଷୟରେ କର୍ମଚାରୀଙ୍କ ଜ୍ଞାନ କମ୍ ରହିବା ଏବଂ ନିଯୁକ୍ତି ଖର୍ଚ୍ଚ ବଢ଼ିବା ଆଶଙ୍କା ରହିଛି। ଏହି ସମସ୍ୟାର ମୁକାବିଲା ଲାଗି ଏକ ଦୃଢ଼ ରଣନୀତିର ଆବଶ୍ୟକତା ରହିଛି ବୋଲି ରିଜର୍ଭ ବ୍ୟାଙ୍କ କହିଛି।
୧୩ ବର୍ଷର ନିମ୍ନ ସ୍ତରରେ ସରକାରୀ ବ୍ୟାଙ୍କ କର୍ମଚାରୀ ସଂଖ୍ୟା
ନୂଆଦିଲ୍ଲୀ: ସରକାରୀ ବ୍ୟାଙ୍କରେ କାର୍ଯ୍ୟ କରୁଥିବା କର୍ମଚାରୀ ସଂଖ୍ୟା ୧୩ ବର୍ଷର ନିମ୍ନ ସ୍ତରକୁ ହ୍ରାସ ପାଇଛି। ୨୦୧୦-୧୧ରେ ୭,୫୫,୧୦୨ କର୍ମଚାରୀ ସରକାରୀ ବ୍ୟାଙ୍କରେ କାର୍ଯ୍ୟ କରୁଥିଲେ। ୨୦୨୩-୨୪ ସୁଦ୍ଧା ସେମାନଙ୍କ ସଂଖ୍ୟା ସେହି ପାଖାପାଖି ଅର୍ଥାତ୍ ୭,୫୬,୧୦୫ରେ ରହିଛି। ୨୦୧୬-୧୭ରୁ ୨୦୨୩-୨୪ ମଧ୍ୟରେ ବ୍ୟାଙ୍କ ଶିଳ୍ପରେ ୫ ଲକ୍ଷରୁ ଅଧିକ କର୍ମଚାରୀ ବଢ଼ିଥିବା ବେଳେ ସରକାରୀ ବ୍ୟାଙ୍କଗୁଡ଼ିକରେ କର୍ମଚାରୀ ସଂଖ୍ୟା କିନ୍ତୁ ସେହି ସମୟରେ ୧ ଲକ୍ଷ କମିଥିଲା।
ଯୋଡ଼ି ହେଉଥିବା କର୍ମଚାରୀମାନେ ବ୍ୟାଙ୍କରେ ଯେଭଳି ଲମ୍ବା କ୍ୟାରିୟର ଗଢ଼ି ପାରିବେ ସେଥିପାଇଁ ବ୍ୟବସ୍ଥା ହେବା ଦରକାର। ସୁବିଧାରେ ନିଯୁକ୍ତି ପାଇବା, ଆଗକୁ ବଢ଼ିବା ଲାଗି ବ୍ୟାପକ ତାଲିମ ଓ ସୁଯୋଗ ଦେବା, ମେଣ୍ଟରସିପ୍ କାର୍ଯ୍ୟକ୍ରମ ଆୟୋଜନ କରିବା, ଅନୁକୂଳ କାର୍ଯ୍ୟ ପରିସର ଯୋଗାଇବା ଏବଂ ବିଭିନ୍ନ ପ୍ରକାର ସୁବିଧାସୁଯୋଗ ଦେବା ଉପରେ ବ୍ୟାଙ୍କଗୁଡ଼ିକୁ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ରିଜର୍ଭ ବ୍ୟାଙ୍କ କହିଛି। ୨୦୨୨-୨୩ରେ ଚାକିରି ଛାଡ଼ିବା ହାର ୩୧-୫୧ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ପହଞ୍ଚିଥିଲା। ତାହାକୁ ନେଇ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସତର୍କ କରାଇଥିଲେ। ଏଚ୍ଡିଏଫ୍ସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, କୋଟକ୍ ମହିନ୍ଦ୍ରା ବ୍ୟାଙ୍କ, ଆକ୍ସିସ୍ ବ୍ୟାଙ୍କ, ବନ୍ଧନ ବ୍ୟାଙ୍କ, ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କ ଓ ଆର୍ବିଏଲ୍ ବ୍ୟାଙ୍କରେ ୭,୩୦,୦୦୦ରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/12/30/OxbSB7pR8rjGaeV1GYFn.jpg)