ବ୍ୟାଙ୍କରେ ପଡ଼ିରହିଛି ୬୩,୯୯୦ ଆବେଦନ
ଏସ୍ଏଚ୍ଜି ପିଛା ହାରାହାରି ଋଣ ୧.୬୮ ଲକ୍ଷ ଟଙ୍କା
ଭୁବନେଶ୍ବର : ବ୍ୟାଙ୍କଗୁଡ଼ିକ ଲାଗି ରାଜ୍ୟ ସରକାର ତିନିଟି ଅଗ୍ରାଧିକାର କ୍ଷେତ୍ର ଚିହ୍ନଟ କରି ସେଥିପ୍ରତି ବିଶେଷ ଗୁରୁତ୍ବ ଦେବାକୁ ଆର୍ଥିକ ଅନୁଷ୍ଠାନଗୁଡ଼ିକୁ କହିଛନ୍ତି। ସେଥି ମଧ୍ୟରୁ ଅନ୍ୟତମ ହେଉଛି ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି)। ବ୍ୟାଙ୍କ ସହ ଏସ୍ଏଚ୍ଜିଗୁଡ଼ିକୁ ଯୋଡ଼ିବା ଉପରେ ସରକାର ଗୁରୁତ୍ବ ଦେଉଥିଲେ ମଧ୍ୟ କିଛି ଘରୋଇ ବ୍ୟାଙ୍କ ତାହାକୁ ସେତେ ଗମ୍ଭୀରତାର ସହ ନେଉନଥିବା ଜଣାପଡ଼ିଛି। ଦୁଇ ଘରୋଇ କ୍ଷେତ୍ରର ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ଓ ଏଚ୍ଡିଏଫ୍ସି ବ୍ୟାଙ୍କର ଏସ୍ଏଚ୍ଜି ଲିଙ୍କେଜ୍ରେ ପ୍ରଦର୍ଶନ ଅତ୍ୟନ୍ତ ଦୁର୍ବଳ ରହିଛି। ୨୦୨୦ ଡିସେମ୍ବର ୨୧ ସୁଦ୍ଧା ଏଚ୍ଡିଏଫ୍ସି ବ୍ୟାଙ୍କର ଏସ୍ଏଚ୍ଜି ଲିଙ୍କେଜ୍ ହାର ମାତ୍ର ୯% ଥିବା ବେଳେ ଆକ୍ସିସ୍ ବ୍ୟାଙ୍କର ୧୪% ରହିଛି। ଆଇସିଆଇସିଆଇ ବ୍ୟାଙ୍କରେ ଏକ୍ଷେତ୍ରରେ ବହୁ ଆଗରେ ରହିଛି। ଏହି ବ୍ୟାଙ୍କର ଏସ୍ଏଚ୍ଜି ଲିଙ୍କେଜ୍ ହାର ୫୯% ଭଳି ଉଚ୍ଚ ସ୍ତରରେ ରହିଛି। ରାଜ୍ୟର ୧୮ଟି ବ୍ୟାଙ୍କ ଏସ୍ଏଚ୍ଜିଗୁଡ଼ିକୁ ଋଣ ପ୍ରଦାନ କରିବା ପ୍ରତି ଆଗ୍ରହ ଦେଖାଇଛନ୍ତି।
ଏକ ରିପୋର୍ଟ ଅନୁସାରେ, ଏସ୍ଏଚ୍ଜି ଲିଙ୍କେଜ୍ରେ ୭୯% ସହ କାନାରା ବ୍ୟାଙ୍କ ପ୍ରଥମ, ୟୁକୋ ବ୍ୟାଙ୍କ (୭୨%) ଦ୍ବିତୀୟ ଓ ଷ୍ଟେଟ୍ ବ୍ୟାଙ୍କ(୭୦%) ତୃତୀୟ ସ୍ଥାନରେ ରହିଛନ୍ତି। ଚଳିତ ବର୍ଷ ଡିସେମ୍ବର ୨୧ ସୁଦ୍ଧା ରାଜ୍ୟର ୧,୨୬,୨୬୩ଟି ଏସ୍ଏଚ୍ଜିକୁ ବ୍ୟାଙ୍କଗୁଡ଼ିକ ୨,୧୨୦.୩୨ କୋଟି ଟଙ୍କାର ଋଣ ଦେଇଛନ୍ତି। ଆକ୍ସିସ୍ ବ୍ୟାଙ୍କ ୨୨୯ଟି ଏସ୍ଏଚ୍ଜିକୁ ୨.୭୯ କୋଟି ଟଙ୍କାର ଋଣ ଦେଇଛି। ସେହି ସମୟରେ ଏଚ୍ଡିଏଫ୍ସି ବ୍ୟାଙ୍କ ୧୦୩ଟି ଏସ୍ଏଚ୍ଜିକୁ ୧.୫୩ କୋଟି ଟଙ୍କାର ଋଣ ଦେଇଛି। ସାରା ରାଜ୍ୟରେ ବ୍ୟାଙ୍କଗୁଡ଼ିକ ପାଖରେ ଏସ୍ଏଚ୍ଜିଗୁଡ଼ିକର ୬୩,୯୯୦ଟି ଆବେଦନ ପଡ଼ିରହିଛି। ସେଥି ମଧ୍ୟରୁ ୪୭,୯୮୫ଟି ନୂଆ ଆବେଦନ ହୋଇଥିବା ବେଳେ ୧୬,୦୦୫ଟି ଆବେଦନ ନବୀକରଣ ପାଇଁ କରାଯାଇଛି। ରାଜ୍ୟରେ ଏସ୍ଏଚ୍ଜିଗୁଡ଼ିକୁ ମିଳୁଥିବା ବାର୍ଷିକ ହାରାହାରି ଋଣ ପରିମାଣ ହେଉଛି ୧.୬୮ ଲକ୍ଷ ଟଙ୍କା। ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହାକୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବଢ଼ାଇବା ଲାଗି ନିକଟରେ ଡିଜିଟାଲ୍ ମାଧ୍ୟମରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ୨୦୨୨-୨୩ ସୁଦ୍ଧା ଏସ୍ଏଚ୍ଜି ପିଛା ଦିଆଯାଉଥିବା ଋଣ ପରିମାଣକୁ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବଢ଼ାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।