ଘରୋଇ କଂପାନିଙ୍କୁ କୋଇଲା ଖନନ ଅନୁମତି: ଭିତ୍ତିଭୂମି ବିକାଶ ପାଇଁ ୫୦,୦୦୦ କୋଟି

ନୂଆଦିଲ୍ଲୀ: କେନ୍ଦ୍ର ସରକାର କୋଇଲା କ୍ଷେତ୍ରରେ ବଡ଼ଧରଣର ସଂସ୍କାର ଘୋଷଣା କରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଷ୍ଟ୍ରାୟତ୍ତ ଉଦ୍ୟୋଗ କବ୍‌ଜାରେ ଥିବା କୋଇଲା କ୍ଷେତ୍ରରେ ଘରୋଇ କଂପାନିଗୁଡ଼ିକୁ ପ୍ରବେଶ ଅନୁମତି ଦିଆଯାଇଛି। ଏହି ସଂସ୍କାରମୂଳକ ପଦକ୍ଷେପ ଜରିଆରେ କୋଇଲା ଆମଦାନି ହ୍ରାସ କରିବାକୁ ଏବଂ ଏହି ଜାଳେଣି କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରିବାକୁ ଲକ୍ଷ୍ୟ ରଖାଯାଇଛି। ଆଗାମୀ ଦିନରେ କୋଇଲା କ୍ଷେତ୍ରରେ ଘରୋଇ କଂପାନିଗୁଡ଼ିକର ଯୋଗଦାନ ବୃଦ୍ଧି ପାଇବ। ସେଥିପାଇଁ ଏକ ପ୍ରତିଦ୍ବନ୍ଦ୍ବିତାମୂଳକ ଓ ସ୍ବଚ୍ଛ ବ୍ୟବସ୍ଥା ଆସିବ। ଘରୋଇ କଂପାନିଗୁଡ଼ିକ ଲାଗି ଟନ୍ ପିଛା ନିର୍ଦିଷ୍ଟ ଟଙ୍କାର ପେମେଣ୍ଟ୍‌ ବ୍ୟବସ୍ଥା ରହିବ ନାହିଁ। ସେମାନଙ୍କ ପାଇଁ ରାଜସ୍ବ ଭାଗବଣ୍ଟା ବ୍ୟବସ୍ଥା ଲାଗୁ କରାଯିବ। ପୂର୍ବରୁ କେବଳ କ୍ୟାପ୍‌ଟିଭ୍ ବା ନିଜସ୍ବ ବ୍ୟବହାର ଲାଗି କୋଇଲା ବ୍ଲକ୍ ନିଲାମରେ ଭାଗ ନେବାକୁ ଶିଳ୍ପ ସଂସ୍ଥାଗୁଡ଼ିକୁ ଅନୁମତି ଦିଆଯାଇଥିଲା।

ଏବେ ଯେକୌଣସି ସଂସ୍ଥା କୋଇଲା ବ୍ଲକ୍ ନିଲାମରେ ଭାଗ ନେଇପାରିବେ ଏବଂ କୋଇଲା ଖନନ କରି ତାହାକୁ ଖୋଲା ବଜାରରେ ବିକ୍ରି କରିପାରିବେ। କୋଇଲା କ୍ଷେତ୍ରରେ ପ୍ରବେଶ କରିବା ଲାଗି ଯେଉଁ ନିୟମ ରହିଛି ତାହାକୁ କୋହଳ କରାଯିବ। ତୁରନ୍ତ ୫୦ଟି କୋଇଲା ବ୍ଲକ୍ ନିଲାମ ପାଇଁ ଉପଲବ୍ଧ କରାଯିବ। ନିଲାମରେ ଭାଗ ନେବା ପାଇଁ ଯୋଗ୍ୟତାର କୌଣସି ମାପଦଣ୍ଡ ରହିବ ନାହିଁ। କେବଳ ଅପ୍‌ଫ୍ରଣ୍ଟ୍‌ ପେମେଣ୍ଟ୍‌ର ଏକ ସୀମା ଧାର୍ଯ୍ୟ କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଯେଉଁ କୋଇଲା ବ୍ଲକ୍‌ଗୁଡ଼ିକୁ ଆଂଶିକ ବିକଶିତ କରାଯାଇଛି ସେଗୁଡ଼ିକ ପାଇଁ ସରକାର ଉତ୍ତୋଳନ ଓ ଉତ୍ପାଦନ ନିୟମ ଆଣିବେ। ପୂର୍ବରୁ କେବଳ ସମ୍ପୂର୍ଣ୍ଣ ବିକଶିତ ହୋଇଥିବା କୋଇଲା ଖଣିଗୁଡ଼ିକୁ ନିଲାମରେ ସାମିଲ କରାଯାଉଥିଲା। ଏବେ ଆଂଶିକ ଭାବେ ବିକଶିତ ହୋଇଥିବା କୋଇଲା ଖଣିଗୁଡ଼ିକୁ ମଧ୍ୟ ନିଲାମ କରାଯିବ। ଉତ୍ତୋଳନ କ୍ଷେତ୍ରରେ ଘରୋଇ କଂପାନିଗୁଡ଼ିକୁ ପ୍ରବେଶ ଅନୁମତି ଦିଆଯିବ। ଯେଉଁମାନେ ଧାର୍ଯ୍ୟ ସମୟ ସୀମା ଠାରୁ ଆଗୁଆ କୋଇଲା ଉତ୍ତୋଳନ କରିବେ ସେମାନଙ୍କୁ ରାଜସ୍ବ ଭାଗବଣ୍ଟାରେ ରିହାତି ପ୍ରଦାନ କରି ପ୍ରୋତ୍ସାହନ ଦିଆଯିବ ବୋଲି ଶ୍ରୀମତୀ ସୀତାରମଣ କହିଛନ୍ତି।

କୋଇଲା କ୍ଷେତ୍ରର ଭିତ୍ତିଭୂମି ବିକାଶ ଲାଗି ୫୦ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯିବ। କୋଲ୍‌ ଇଣ୍ଡିଆ ଯେଭଳି ୨୦୨୩-୨୪ ସୁଦ୍ଧା ୧୦୦ କୋଟି ଟନ୍‌ର କୋଇଲା ଉତ୍ତୋଳନ କରିପାରିବ ଓ ଘରୋଇ ବ୍ଲକ୍‌ରୁ କୋଇଲା ଉତ୍ତୋଳନ ପାଇଁ ଏହି ଟଙ୍କା ଖର୍ଚ୍ଚ କରାଯିବ। ଖଣିରୁ ରେଲ୍‌ୱେ ସାଇଡିଂ ପର୍ଯ୍ୟନ୍ତ କୋଇଲାକୁ କନ୍‌ଭେୟର ବେଲ୍‌ଟ ଜରିଆରେ ପଠାଇବା ଲାଗି ୧୮,୦୦୦ କୋଟି ଟଙ୍କାର ନିବେଶ ହେବ। ଏହାଦ୍ବାରା କୋଇଲା ଖଣି କାର୍ଯ୍ୟ ଯୋଗୁଁ ପରିବେଶ ଉପରେ ପଡ଼ିବାକୁ ଥିବା ପ୍ରଭାବ ହ୍ରାସ ପାଇବ। କୋଲ୍‌ ଗ୍ୟାସିଫିକେସନ ଓ ଲିକ୍ବିଫିକେସନ ପାଇଁ ରାଜସ୍ବ ଭାଗବଣ୍ଟାରେ ରିହାତି ଦେଇ କଂପାନିଗୁଡ଼ିକୁ ପ୍ରୋତ୍ସାହନ ଦିଆଯିବ। କୋଲ୍‌ ଇଣ୍ଡିଆର କୋଇଲା ଖଣଇଗୁଡ଼ିକରୁ କୋଲ୍‌ ବେଡ୍ ମିଥେନ୍ (ସିବିଏମ୍) ବାହାର କରିବାର ଅଧିକାରକୁ ନିଲାମ କରାଯିବ। ଖଣି ଯୋଜନା ପ୍ରସ୍ତୁତି ପ୍ରକ୍ରିୟାକୁ ସରକାରୀ କରଣ କରାଯିବ। ଅନ୍‌ଲାଇନ୍‌ରେ ଯେଭଳି ସେଗୁଡ଼ିକ ଅପ୍‌ଲୋଡ୍ ହୋଇପାରିବ ତାହାର ବ୍ୟବସ୍ଥା କରାଯିବ। ସ୍ବୟଂକ୍ରିୟ ଭା‌ବେ ଉତ୍ପାଦନରେ ୪୦% ବୃଦ୍ଧି ପାଇଁ ଅନୁମତି ମିଳିଯିବ। କୋଲ୍‌ ଇଣ୍ଡିଆର ଗାହକମାନଙ୍କ ବାଣିଜ୍ୟିକ ଚୁକ୍ତିରେ ପ୍ରାୟ ୫୦୦୦ କୋଟି ଟଙ୍କାର ରିହାତି ପ୍ରଦାନ କରାଯିବ। ଅଣ-ବିଦ୍ୟୁତ ଗ୍ରାହକଙ୍କ ପାଇଁ ନିଲାମର ରିଜର୍ଭ ମୂଲ୍ୟ କମ୍ କରାଯିବ, ଋଣ ସର୍ତ୍ତ କୋହଳ ହେବ ଏବଂ ଉଠାଣ ଅବଧିକୁ ବୃଦ୍ଧି କରାଯିବ।

ସମ୍ବନ୍ଧିତ ଖବର