ଘରୋଇ କଂପାନି ବିରୋଧରେ ଆଧାର ଅପବ୍ୟବହାର ଅଭିଯୋଗ

ନୂଆଦିଲ୍ଲୀ: ଦେଶର ଏକ ପ୍ରତିଷ୍ଠିତ ମୋବାଇଲ୍‌ ସେବା ପ୍ରଦାନକାରୀ ସଂସ୍ଥା ବିରୋଧରେ ଆଧାର ତଥ୍ୟର ଅପବ୍ୟବହାର ଅଭିଯୋଂଗ ହୋଇଛି। ଏହି କଂପାନି ଓ ଏହାର ସହଯୋଗୀ କଂପାନି ଇ-କେଓ୍ଵାଇସି ଜରିଆରେ ଆଧାର ତଥ୍ୟର ଅପବ୍ୟବହାର କରୁଥିଲେ। ଏହି ଘରୋଇ କଂପାନିର ଇ-କେଓ୍ଵାଇସି ଲାଇସେନ୍ସକୁ ଭାରତୀୟ ସ୍ୱତନ୍ତ୍ର ପରିଚୟପତ୍ର କର୍ତୃପକ୍ଷ(ୟୁଆଇଡିଏଆଇ)। ସାମୟିକ ସ୍ଥଗିତ ରଖିଛନ୍ତି। ଏହି କଂପାନି ଏବେ ଏହାର ମୋବାଇଲ୍‌ ଗ୍ରାହକଙ୍କୁ ଇ-କେଓ୍ଵାଇସି ସୁବିଧା ପ୍ରଦାନ କରିପାରିବ ନାହିଁ। ସେହିଭଳି ଏହାର ପେମେଣ୍ଟ ବ୍ୟାଙ୍କ ଗ୍ରାହକଙ୍କ ଇ-କେଓ୍ଵାଇସି ମଧ୍ୟ କରି ପାରିବ ନାହିଁ। ଏହାକୁ ୟୁଆଇଡିଏଆଇ ତୁରନ୍ତ କାର୍ଯ୍ୟକାରୀ କରିଛନ୍ତି ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି।

ଆଧାର ଆଇନକୁ ଉଲ୍ଲଂଘନ କରୁଥିବା ଅଭିଯୋଗରେ ଗତମାସରେ ଏହି କଂପାନି ବିରୋଧରେ ୟୁଆଇଡିଏଆଇ ପକ୍ଷରୁ ତଦନ୍ତ ନିର୍ଦେଶ ଦିଆଯାଇଥିଲା। ମୋବାଇଲ ଗ୍ରାହକଙ୍କ ଆଧାର ଯାଞ୍ଚ ସମୟରେ କମ୍ପାନି ଗୋପନୀୟ ଭାବେ ଏହାର ପେମେଣ୍ଟ ବ୍ୟାଙ୍କରେ ଆକାଉଣ୍ଟ ଖୋଲୁଥିଲା। ଏ ନେଇ ଜରିମାନା ଲାଗୁ କରାଯିବ ବୋଲି ମଧ୍ୟ କମ୍ପାନିକୁ ଧମକ ଦିଆଯାଇଥିଲା। ଗ୍ରାହକଙ୍କ ଅଜାଣତରେ କଂପାନି ପକ୍ଷରୁ ବ୍ୟାଙ୍କ ଖାତା ଖୋଲି ଦିଆଯାଉଥିଲା। ଏହି ଭଳି ଭାବେ କଂପାନି ପକ୍ଷରୁ ୨୩ ଲକ୍ଷରୁ ଊର୍ଧ୍ୱ ଗ୍ରାହକଙ୍କ ବ୍ୟାଙ୍କ ଖାତାରେ ୪୭ କୋଟି ଟଙ୍କା ଜମା କରାଯାଇଛି। ୟୁଆଇଏଡିଆଇର ଏହି ନିର୍ଦେଶ ପରେ ଏବେ କଂପାନି ବିକଳ୍ପ ବ୍ୟବସ୍ଥାରେ କେଓ୍ଵାଇସି ଯାଞ୍ଚ କରି ଆକାଉଣ୍ଟ୍‌ ଖୋଲିପାରିବ। ଇ-କେଓ୍ଵାଇସିକୁ ଏହା ବ୍ୟବହାର କରିପାରିବ ନାହିଁ। ଏ ସମ୍ପର୍କରେ କଂପାନିର ପ୍ରବକ୍ତା କହିଛନ୍ତି, ଏହାକୁ ସାମୟିକଭାବେ ବନ୍ଦ କରିବା ପାଇଁ ୟୁଆଇଡିଏଆଇ ନିର୍ଦେଶ ଦେଇଛି। ଯାଞ୍ଚ ପ୍ରକ୍ରିୟାକୁ ନେଇ ୟୁଆଇଏଡିଆଇ ସନ୍ତୁଷ୍ଟ ହେବା ଯାଏ ଏହି କଟକଣା ଜାରି ରହିବ। ଏ ନେଇ ଆମେ ୟୁଆଇଡିଏଆଇ ସହିତ ଆଲୋଚନା ଜାରି ରଖିଛୁ। ଏହାର ଶୀଘ୍ର ସମାଧାନ ହୋଇଯିବା ନେଇ ଆଶା ରଖାଯାଇଛି ବୋଲି ପ୍ରବକ୍ତା ଜଣକ କହିଛନ୍ତି। ଏତଦ୍‌ବ୍ୟତୀତ ଆମ ଯାଞ୍ଚ ବ୍ୟବସ୍ଥାରେ ଥିବା ତ୍ରୁଟିକୁ ସଜାଡ଼ିବା ପାଇଁ ଉଦ୍ୟମ ଆରମ୍ଭ ହୋଇଯାଇଛି ବୋଲି ପ୍ରବକ୍ତା ଜଣକ କହିଛନ୍ତି।

ସମ୍ବନ୍ଧିତ ଖବର