ଘରୋଇ ସହାୟକଙ୍କ ସର୍ବନିମ୍ନ ମଜୁରି ଧାର୍ଯ୍ୟ ହେବ

• ପ୍ରସ୍ତୁତ ହେବ ଜାତୀୟ ନୀତି• ସ୍ୱାସ୍ଥ୍ୟ ବୀମା, ବୃଦ୍ଧାବସ୍ଥା ପେନ୍‌ସନ୍‌ ସୁବିଧା ମିଳିବ

• ଆପତ୍ତି ଅଭିଯୋଗ ଶୁଣାଣି ବ୍ୟବସ୍ଥା କରାଯିବ
• ହିଂସା, ଉତ୍ପୀଡ଼ନ ରୋକିବାକୁ ପ୍ରୟାସ ହେବ
ନୂଆଦିଲ୍ଲୀ: ଲୋକମାନଙ୍କ ଘରେ କାମ କରୁଥିବା ଘରୋଇ ସହାୟକମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ‘କର୍ମଚାରୀ’ ଭାବେ ଆଇନଗତ ମାନ୍ୟତା ପ୍ରଦାନ କରିବାକୁ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ଘରୋଇ ସହାୟକମାନଙ୍କ ନିମନ୍ତେ ସର୍ବନିମ୍ନ ମଜୁରି ଧାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖାଯାଇଛି।
ଘରୋଇ ସହାୟକମାନଙ୍କ ନିମନ୍ତେ ଏକ ଜାତୀୟ ନୀତି ପ୍ରସ୍ତୁତ କରିବା ଉପରେ କେନ୍ଦ୍ର ଶ୍ରମ ଏବଂ ନିୟୋଜନ ମନ୍ତ୍ରଣାଳୟ କାମ କରୁଛି। ଏହି ନୀତି କିଭଳି ହେବା ଦରକାର ତାହା ଜାଣିବା ପାଇଁ ସରକାର ବିଶେଷଜ୍ଞ ଏବଂ ବୁଦ୍ଧିଜୀବୀମାନଙ୍କର ମତାମତ ଲୋଡ଼ିଛନ୍ତି। ନଭେମ୍ବର ମଧ୍ୟ ଭାଗ ସୁଦ୍ଧା ମତାମତ ପ୍ରଦାନ କରିବାକୁ ଲୋକମାନଙ୍କୁ ସରକାର ଆହ୍ଵାନ ଦେଇଛନ୍ତି। ଏହି ନୀତି ଜରିଆରେ ଘରୋଇ ସହାୟକଙ୍କ ନିମନ୍ତେ ସର୍ବନିମ୍ନ ମଜୁରି ଏବଂ ସମାନ ଦରମା ବ୍ୟବସ୍ଥା ଲାଗୁ କରିବାକୁ ଲକ୍ଷ୍ୟ ରଖାଯାଇଛି।
ଏହି ନୀତି ପ୍ରସ୍ତୁତ ହୋଇ କାର୍ଯ୍ୟକାରୀ ହେଲେ ଦେଶରେ ଘରୋଇ ସହାୟକ ଭାବେ କାମ କରୁଥିବା ୪୭.୫ ଲକ୍ଷ ଲୋକ ଲାଭବାନ ହେବେ। ସେମାନଙ୍କ ମଧ୍ୟରୁ ୩୦ ଲକ୍ଷ ହେଉଛନ୍ତି ମହିଳା।
ଯେଉଁ ଜାତୀୟ ନୀତି ପ୍ରସ୍ତୁତ ହେବ ତାହା ଆଧାରରେ ଘରୋଇ ସହାୟକମାନେ ନିଜକୁ ଶ୍ରମ ବିଭାଗ ଅଧୀନରେ ପଞ୍ଜୀକରଣ କରିପାରିବେ। ସ୍ଥାୟୀ, ଅସ୍ଥାୟୀ, ଲିଭ୍‌-ଇନ୍‌ ସହାୟକ ଭଳି ବିଭିନ୍ନ ବର୍ଗରେ ଘରୋଇ ସହାୟକମାନଙ୍କୁ ବିଭକ୍ତ କରାଯିବ।
ଘରୋଇ ସହାୟକମାନଙ୍କ ସାମାଜିକ କଲ୍ୟାଣର ଦେଖାଶୁଣା କରିବା ଏବଂ ସେମାନଙ୍କ ଆପତ୍ତି ଅଭିଯୋଗର ଶୁଣାଣି କରିବା ନିମନ୍ତେ ଏକ ସ୍ୱତନ୍ତ୍ର ସଂସ୍ଥା ଗଠନ କରାଯିବ। ସେମାନଙ୍କୁ ଯେଭଳି କୌଣସି ପ୍ରକାର ଉତ୍ପୀଡ଼ନର ଶିକାର ହେବାକୁ ପଡ଼ିବ ନାହିଁ, ସେଥିପାଇଁ ବ୍ୟବସ୍ଥା କରାଯିବ।

ଘରୋଇ ସହାୟକ ଯୋଗାଇ ଦେଉଥିବା ପ୍ଲେସ୍‌ମେଣ୍ଟ୍‌ ଏଜେନ୍ସିଗୁଡ଼ିକ ଉପରେ ସରକାର ଲଗାମ କଷିବେ। ଏବେ କେତେକ ଏଜେନ୍ସି ଘରୋଇ ସହାୟକଙ୍କୁ କାମ ପ୍ରଦାନ କରିବା ବେଳେ ସେମାନଙ୍କଠାରୁ ଏକ ନିର୍ଦିଷ୍ଟ ପରିମାଣର ଅର୍ଥରାଶି ନେବା ପରେ ମାସିକ ଦରମାର କିଛି ଭାଗ ମଧ୍ୟ ଦାବି କରୁଛନ୍ତି। ପ୍ଲେସ୍‌ମେଣ୍ଟ୍‌ ଏଜେନ୍ସିମାନଙ୍କ ଫି’ ପାଇଁ ଘରୋଇ ସହାୟକଙ୍କ ୧୫ ଦିନର ବେତନକୁ ବାଧ୍ୟତାମୂଳକ କରାଯିବ। କିନ୍ତୁ ପ୍ରତିବଦଳରେ ଏଜେନ୍ସିଗୁଡ଼ିକ ଘରୋଇ ସହାୟକମାନଙ୍କୁ ମେଡିକାଲ୍‌ ବୀମା ଏବଂ ସ୍ୱାସ୍ଥ୍ୟ ବୀମା ଆଦି ସୁବିଧା ଯୋଗାଇ ଦେବେ।
ଘରୋଇ ସହାୟକମାନଙ୍କ ଉପରେ ହେଉଥିବା ହିଂସାକୁ ଅଟକାଇବା, ଉତ୍ପୀଡ଼ନ ରୋକିବା, ସେମାନଙ୍କୁ ସ୍ୱାସ୍ଥ୍ୟ ବୀମା, ମାତୃତ୍ୱ ଛୁଟି ଏବଂ ସେମାନଙ୍କୁ ବୃଦ୍ଧାବସ୍ଥା ପେନ୍‌ସନ୍‌ ସୁବିଧା ପ୍ରଦାନ କରିବା ଉପରେ ସରକାର ବିଚାର କରୁଛନ୍ତି।

ସମ୍ବନ୍ଧିତ ଖବର