ଦେଶରେ ରାଜପଥ ନିର୍ମାଣରେ ଅଧିକ ଘରୋଇ ପୁଞ୍ଜିନିବେଶ ଦରକାର ବୋଲି ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି। ଏହି କ୍ଷେତ୍ରରେ କମ୍ ଘରୋଇ ନିବେଶର କାରଣ ବିଷୟରେ ରିପୋର୍ଟରେ କୁହାଯାଇଛି ଯେ, ନିବେଶକମାନେ ସ୍ବଳ୍ପ ସମୟ ପାଇଁ ଏହି କ୍ଷେତ୍ରରେ ନିବେଶ କରିବାକୁ ଚାହୁଛନ୍ତି। ୨୦୧୮-୧୯ରେ ଯଦିଓ ରାଜପଥ ନିର୍ମାଣ କ୍ଷେତ୍ରରେ ପୁଞ୍ଜିନିବେଶ ପରିମାଣ ତିନି ଗୁଣା ବୃଦ୍ଧି ପାଇ ୧ ଲକ୍ଷ ୫୮ ହଜାର କୋଟି ଟଙ୍କା ହୋଇଛି, ତଥାପି ବଡ଼ ପ୍ରକଳ୍ପଗୁଡ଼ିକ ପାଇଁ ପାଣ୍ଠି ଯୋଗାଡ଼ କରିବା ଏକ ବଡ଼ ସମସ୍ୟା ହୋଇରହିଛି। ରାଜପଥ ନିର୍ମାଣରେ ରହିଥିବା ସମସ୍ୟାଗୁଡ଼ିକ ହେଉଛି ଜମି ଅଧିଗ୍ରହଣର ଲମ୍ବା ପ୍ରକ୍ରିୟା, ଜମିହରାଙ୍କୁ କ୍ଷତିପୂରଣ ପ୍ରଦାନ, ପରିବେଶ ଚିନ୍ତା, ସମୟ ଓ ଖର୍ଚ ବଢ଼ିବା ଚିନ୍ତା ଏବଂ ପ୍ରକଳ୍ପ କାର୍ଯ୍ୟକାରୀ କରାଇବାରେ ବିଳମ୍ବ।