୨୦୨୩ରେ ଗଡ଼ିବ ଘରୋଇ ଟ୍ରେନ୍, କଂପାନି ଧାର୍ଯ୍ୟ କରିବ ଟିକଟ ଦର

୧୦୯ଟି ରୁଟ୍‌ରେ ଚାଲିବ, ଘଣ୍ଟା ପ୍ରତି ୧୬୦ କିମି ବେଗରେ ଦୌଡ଼ିବ

ନୂଆଦିଲ୍ଲୀ: ଦେଶର ଏକ ପ୍ରମୁଖ ସଂସ୍ଥା ରେଳବାଇକୁ ଘରୋଇ କ୍ଷେତ୍ର ଲାଗି ଉନ୍ମୁକ୍ତ କରାଯିବ। ଘରୋଇ ସଂସ୍ଥାଗୁଡ଼ିକୁ ଟ୍ରେନ୍ ଚଲାଇବାର ଅନୁମତି ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ସାରା ଦେଶର ୧୦୯ଟି ରୁଟ୍‌ରେ ୧୫୧ଟି ଟ୍ରେନ୍‌କୁ ଘରୋଇ ସଂସ୍ଥା ଚଲାଇବେ। ପ୍ରତି ଟ୍ରେନ୍‌ରେ ଅତିକମ୍‌ରେ ୧୬ଟି ଲେଖାଏଁ କୋଚ୍‌ ରହିବ। ଘରୋଇ ସଂସ୍ଥା ‌କୋଚ୍‌ ମଗାଇବେ ଓ ମେକ୍ ଇନ୍ ଇଣ୍ଡିଆ ଅଭିଯାନ ଅଧୀନରେ ଏହି ଆଧୁନିକ ଟ୍ରେନ୍‌ଗୁଡ଼ିକୁ ତିଆରି କରିବେ। ଆସନ୍ତା ୨୦୨୩ ଏପ୍ରିଲ୍ ସୁଦ୍ଧା ଘରୋଇ ସଂସ୍ଥା ଦ୍ବାରା ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି। ‌ଘରୋଇ ସଂସ୍ଥାଗୁଡ଼ିକ ଠାରୁ ଏନେଇ ଆସନ୍ତାବର୍ଷ ଏପ୍ରିଲ୍ ସୁଦ୍ଧା ବିଡ୍ ଆହ୍ବାନ କରାଯିବ। ଆର୍‌ କେ କ୍ୟାଟରିଂ, ଆଦାନି ପୋର୍ଟସ୍‌, ମେକ୍‌ମାଇଁଟ୍ରିପ୍ ଭଳି ସଂସ୍ଥା ବ୍ୟତୀତ ଇଣ୍ଡିଗୋ, ଭିସ୍ତାରା ଓ ସ୍ପାଇସ୍‌ଜେଟ୍ ଭଳି ବିମାନ କଂପାନି ମଧ୍ୟ ଘରୋଇ ଟ୍ରେନ୍ ଚଲାଇବା ଲାଗି ବିଡ୍‌ ଦାଖଲ କରିବେ ବୋଲି କୁହାଯାଉଛି। ଘରୋଇ ସଂସ୍ଥାଗୁଡ଼ିକ ଯେଉଁ ଟ୍ରେନ୍ ଚଲାଇବେ ତାହା ରେଳ ଧାରଣାରେ ଘଣ୍ଟା ପ୍ରତି ୧୬୦ କିମି ବେଗରେ ଦୌଡ଼ିବ। ଫଳରେ ଯାତ୍ରୀମାନେ କମ୍ ସମୟରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରିବେ। ନିଲାମରେ ବିଜୟୀ ହେବାକୁ ଥିବା ସଂସ୍ଥାଗୁଡ଼ିକୁ ୩୫ ବର୍ଷର ଲମ୍ବା ସମୟ ପର୍ଯ୍ୟନ୍ତ ଟ୍ରେନ୍‌ ଚଲାଇବା ଲାଗି ଅନୁମତି ଦିଆଯିବ। ସେମାନେ ଟିକଟ ଦାମ୍ ଧାର୍ଯ୍ୟ କରିବେ। କ୍ୟାଟରିଂ ଓ ‌ଯାତ୍ରୀଙ୍କ ଲାଗି ଅନ୍ୟାନ୍ୟ ବ୍ୟବସ୍ଥା ଏବଂ ଟ୍ରେନ୍‌ର ସଫେଇ ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ମଧ୍ୟ କରିବେ। ରେଳବାଇ ସହିତ ଘରୋଇ ସଂସ୍ଥାଗୁଡ଼ିକର ରାଜସ୍ବ ଭାଗବଣ୍ଟା ଚୁକ୍ତି ରହିବ। ଟ୍ରେନ୍‌ ଚଳାଚଳରୁ ଯେଉଁ ଆୟ ହେବ ତାହାର ଏକ ନିର୍ଦିଷ୍ଟ ଭାଗ ରେଳବାଇ ଖାତାକୁ ଯିବ। ଏହ‌ା ବ୍ୟତୀତ ଘରୋଇ ସଂସ୍ଥାଗୁଡ଼ିକ ରେଳବାଇକୁ ଶକ୍ତି ବ୍ୟବହାର ବାବଦ ଶୁଳ୍କ ଓ ଏକ ନିର୍ଦିଷ୍ଟ ପରିମାଣର ହାଉଲେଜ୍ ଚାର୍ଜ ଦେବେ।

ଏସବୁ ଦେଶରେ ଗଡ଼ୁଛି ଘରୋଇ ଟ୍ରେନ୍
୧୯୯୫ରେ କାନାଡାରେ ଟ୍ରେନ୍‌ର ଘରୋଇକରଣ
୨୦୦୦ରେ ମେକ୍ସିକୋରେ ଟ୍ରେନ୍‌ର ଘରୋଇକରଣ
୧୯୮୦ ବେଳକୁ ଜାପାନରେ ଟ୍ରେନ୍‌ ଚଳାଚଳର ଘରୋଇକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା
ବ୍ରିଟେନ୍‌ରେ ମଧ୍ୟ ଏକ ସଂସ୍ଥା ଟ୍ରେନ୍ ଚଲାଉଛି। ଘରୋଇ ଟ୍ରେନ୍‌ ଚଲାଇବାର ଲମ୍ବା ଇତିହାସ ବ୍ରିଟେନ୍‌ରେ ରହିଛି
ଜର୍ମାନିରେ ଘରୋଇ ସଂସ୍ଥା ମାଲବାହୀ ଟ୍ରେନ୍ ଓ ଅଳ୍ପ ଦୂରଗାମୀ ଟ୍ରେନ୍ ଚଲାଉଛନ୍ତି
ଆମେରିକାରେ ଘରୋଇ ରେଳ ଲାଇନ୍ ଥିବା ବେଳେ ସ୍ବିଜରଲ୍ୟାଣ୍ଡ୍‌ରେ ମଧ୍ୟ ଘରୋଇ ଟ୍ରେନ୍ ଚଳାଚଳ କରୁଛି

ଆସନ୍ତା ୧୦ ବର୍ଷ ଭିତରେ ଭିତ୍ତିଭୂମି କ୍ଷେତ୍ରରେ ୫୦ ହଜାର କୋଟି ଟଙ୍କା ନିବେଶ କରିବାକୁ ରେଳବାଇ ଲକ୍ଷ୍ୟ ରଖିଛି। ସେଥିପାଇଁ ଘରୋଇ ସରକାରୀ ସହଭାଗିତା (ପିପିପି) ଉପରେ ବିଶେଷ ଧ୍ୟାନ ଦିଆଯାଉଛି। କିନ୍ତୁ ଏହି ମଡେଲ୍‌ ଯେତିକି ସଫଳତା ପାଇବା କଥା ତାହା ପାଇନାହିଁ। ନିଜ ବଳରେ ଏତେ ବୃହତ ପରିମାଣର ପୁଞ୍ଜିନିବେଶ କରିବା ଏକାଳୀ ରେଳବାଇ ପାଇଁ ସମ୍ଭବପର ନୁହେଁ। ଘରୋଇ ସଂସ୍ଥା ସହ ମିଶି ଟ୍ରେନ୍ ଚଲାଇଲେ ୩୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ଆସିବ। ବିଳମ୍ବରେ ହେଲେ ମଧ୍ୟ କିଛି ବର୍ଷ ଭିତରେ ଅଧିକରୁ ଅଧିକ ରୁଟ୍‌ରେ ଘରୋଇ ‌ଟ୍ରେନ୍ ଚଳାଚଳ ଲାଗି ଅନୁମତି ଦିଆଯିବ। ଘରୋଇ ଟ୍ରେନ୍ ଚଲାଇବା ଲାଗି ଏଷବ ୧୨ଟି କ୍ଲଷ୍ଟର୍‌ ଚିହ୍ନଟ କରାଯାଇଛି। ସେଗୁଡ଼ିକ ହେଉଛି-ଦିଲ୍ଲୀ, ମୁମ୍ବାଇ, ଚଣ୍ଡିଗଡ଼, ହାଓଡ଼ା, ପାଟନା, ପ୍ରୟାଗରାଜ, ସିକନ୍ଦରାବାଦ, ଜୟପୁର, ଚେନ୍ନାଇ ଓ ବେଙ୍ଗାଲୁରୁ।

ଘରୋଇ ସଂସ୍ଥାକୁ ଟ୍ରେନ୍ ଚଲାଇବା ଲାଗି ଅନୁମତି ଦେବା ପାଇଁ ଯେଉଁ ନିଷ୍ପତ୍ତି ହୋଇଛି ତାହାକୁ କଂଗ୍ରେସ, ସିପିଆଇ (ଏମ୍) ଓ ଡିଏମ୍‌କେ ତରଫରୁ ବିରୋଧ କରାଯାଇଛି। କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି, ଟ୍ରେନ୍‌ର ଘରୋଇକରଣ କରିବା ବହୁତ ସହଜ। କାହା ସ୍ବାର୍ଥରେ ଏହା କରାଯାଉଛି? ରାଜସ୍ବ ହାସଲ ଲାଗି ଏଭଳି ଢଭଙ୍ଗରେ ଜାତୀୟ ରେଳ ସମ୍ପତ୍ତିର ଘରୋଇକରଣ କରିବା ଠିକ୍ ନୁହେଁ। ସରକାର ନିଜର ନିଷ୍ପତ୍ତିର ପୁନର୍ବିଚାର କରିବା ଦରକାର ବୋଲି ସେ କହିଛନ୍ତି। ଭାରତୀୟ ଯୁବ କଂଗ୍ରେସ ପକ୍ଷରୁ ମଧ୍ୟ ଏହି ନିଷ୍ପତ୍ତିର ବିରୋଧ କରାଯାଉଛି। ଏହି ନିଷ୍ପତ୍ତି ବିରୋଧରେ ବଡ଼ ଧରଣର ଆନ୍ଦୋଳନ କରିବା ଲାଗି ପଶ୍ଚିମବଙ୍ଗଳରେ ବାମଦଳ ଓ କଂଗ୍ରେସ ପ୍ରସ୍ତୁତ ହେଉଛନ୍ତି। ଦେଶର ସର୍ବବୃହତ ରେଳବାଇ ସଂଘ ‘ସର୍ବଭାରତୀୟ ରେଳ କର୍ମଚାରୀଙ୍କ ମହାସଂଘ (ଏଆଇଆର୍‌ଏଫ୍) ମଧ୍ୟ ସରକାରଙ୍କ ନିଷ୍ପତ୍ତିର ପ୍ରତିବାଦ କରିବ।

ସମ୍ବନ୍ଧିତ ଖବର