ଘରୋଇକରଣ ଅଟକିବନି, ସ୍ପଷ୍ଟ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ତାଲିକାରେ ୨୩ଟି ରାଷ୍ଟ୍ରାୟତ୍ତ ଉଦ୍ୟୋଗ

ନୂଆଦିଲ୍ଲୀ: ଦେଶର ୨୩ଟି ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣକୁ ନେଇ ଯେଉଁ ଯୋଜନା‌ ପ୍ରସ୍ତୁତ ହୋଇଛି ସେଥିରୁ ସରକାର ପଛକୁ ହଟ‌ିବେ ନାହିଁ। ଏହି ସମସ୍ତ ସଂସ୍ଥାରୁ ନିଶ୍ଚିତ ରୂପେ ପୁଞ୍ଜି ପ୍ରତ୍ୟାହାର ହେବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଯେତେବେଳେ ପୁଞ୍ଜି ବଜାର ସ୍ଥିତି ସୁଧୁରିବ ସଙ୍ଗେ ସଙ୍ଗେ ଚିହ୍ନଟ ହୋଇଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକର ଘରୋଇକରଣ କରାଯିବ ବୋଲି ସେ କହିଛନ୍ତି।

ହିରୋ ମୋଟୋକର୍ପର ଅଧ୍ୟକ୍ଷ ସୁନୀଲ କାନ୍ତ ମୁଞ୍ଜାଲଙ୍କ ସହ ଆଲୋଚନା ବେଳେ ନିର୍ମଳା କହିଛନ୍ତି, ଆତ୍ମନିର୍ଭର ଭାରତ ପ୍ୟାକେଜ୍‌ର ଅଂଶ ଭାବେ ସମସ୍ତ କ୍ଷେତ୍ରରେ ଘରୋଇ ସଂସ୍ଥାଗୁଡ଼ିକର ଅଂଶଗ୍ରହଣ ବଢ଼ାଇବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି। କେଉଁ କ୍ଷେତ୍ର ଦେଶ ପାଇଁ ଗୁରୁତ୍ବପୂର୍ଣ୍ଣ ତାହା ଏପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇନାହିଁ। ଖୁବ୍‌ଶୀଘ୍ର ଏହି ଘୋଷଣା ହେବାର ସମ୍ଭାବନା ରହିଛି। ଯେଉଁ କ୍ଷେତ୍ରଗୁଡ଼ିକୁ ଗୁରୁତ୍ବପୂର୍ଣ୍ଣ ବୋଲି ଘୋଷଣା କରାଯିବ ସେଥିରେ ଅତିବେଶିରେ ୪-୫ଟି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ରହିବ। ସେଥିରେ ମଧ୍ୟ ଘରୋଇ କଂପାନିଗୁଡ଼ିକ ସାମିଲ କରିବା ପାଇଁ ସରକାର ଅନୁମତି ଦେବେ। ଦେଶର ୨୩ଟି ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ ପ୍ରସ୍ତାବକୁ କ୍ୟାବିନେଟ୍‌ର ମଞ୍ଜୁରି ମିଳିସାରିଛି। ଆଗାମୀ ଦିନରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ମଧ୍ୟରେ ମିଶ୍ରଣ ହୋଇପାରେ ଏବଂ ସେମାନଙ୍କ କାରବାର ପରିସୀମା ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ କହିଛନ୍ତି। ୨୦୨୦-୨୧ରେ ପୁଞ୍ଜି ପ୍ରତ୍ୟାହାର ଜରିଆରେ ୨.୧୦ ଲକ୍ଷ କୋଟି ଟଙ୍କାର ରାଜସ୍ବ ଆୟ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ସେଥି ମଧ୍ୟରୁ ୯୦ ହଜାର କୋଟି ଟଙ୍କା କେବଳ ଆର୍ଥିକ ସଂସ୍ଥାଗୁଡ଼ିକରେ ଥିବା ସରକାରୀ ଅଂଶଧନ ବିକ୍ରିରୁ ଆସିବ।

ଏହି ଅବସରରେ ସେ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇଗ)ଗୁଡ଼ିକ ପାଇଁ ଘୋଷଣା କରାଯାଇଥିବା ଜରୁରୀକାଳୀନ ଋଣ ଗ୍ୟାରେଣ୍ଟି ସ୍କିମ୍‌ର ଅଗ୍ରଗତି ବିଷୟରେ ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ସ୍କିମ୍‌ରେ ୧,୩୦,୪୯୧ କୋଟି ଟଙ୍କାର ଋଣ ମଞ୍ଜୁର କରାଯାଇଥିବା ବେଳେ ୮୨,୦୬୫ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଜରୁରୀକାଳୀନ ଋଣ ସ୍କିମ୍‌ରେ ଏମ୍ଏସ୍‌ଏମ୍‌ଇଗୁଡ଼ିକୁ ୩ ଲକ୍ଷ କୋଟି ଟଙ୍କାର ଋଣ ସହାୟତା ଯୋଗାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିବା ଆତ୍ମନିର୍ଭର ଭାରତ ଅଭିଯାନର ଏହା ହେଉଛି ଏକ ଅଂଶ। କରୋନା ସଙ୍କଟ ଦ୍ବାରା ଗୁରୁତର ଭାବେ ପ୍ରଭାବିତ ହୋଇଥିବା ଏମ୍‌ଏସ୍‌ଏମ୍‌ଇଗୁଡ଼ିକୁ ବଞ୍ଚାଇ ରଖିବା ଲାଗି ଏହି ସ୍କିମ୍‌ରେ ପାଣ୍ଠି ସହାୟତା ଦିଆଯାଉଛି।

ଉଲ୍ଲେଖଯୋଗ୍ୟ, ଚଳିତ ଆର୍ଥିକ ବର୍ଷରେ  ଭାରତ ପେଟ୍ରୋଲିୟମ୍ କର୍ପୋରେସନ ଲିମିଟେଡ୍‌ରେ ଥିବା ସମସ୍ତ ଅଂଶଧନ ବିକ୍ରି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ଆଇପିଓ ଆଣିବାକୁ ମଧ୍ୟ ସରକାର ଯୋଜନା ରଖିଛନ୍ତି। ଆଇଡିବିଆଇର ଅଂଶଧନକୁ ମଧ୍ୟ ବିକ୍ରି କରାଯିବ। କରୋନା ମହାମାରୀ ଦେଖାଦେବା ପରେ ଷ୍ଟକ ବଜାରରେ କାରବାର ଭଲ ସ୍ଥିତିରେ ନଥିବାରୁ ପୁଞ୍ଜିପ୍ରତ୍ୟାହାର ଅଟକି ରହିଛି।

ସମ୍ବନ୍ଧିତ ଖବର