ବ୍ୟାଙ୍କମାନଙ୍କୁ ସରକାରଙ୍କ କଡା ନିର୍ଦ୍ଦେଶ, ୫୦ କୋଟିରୁ ଅଧିକ ଅନାଦେୟ ଋଣଥିଲେ ସିବିଆଇକୁ ଡାକ

ନୂଆଦିଲ୍ଲୀ : ଦେଶର ବ୍ୟାଙ୍କ ଗୁଡ଼ିକରେ ଠକେଇ ଓ ଅନାଦେୟ ଋଣ ପରିମାଣ ବଢିଚାଲିଥିବାରୁ ସରକାର ବ୍ୟାଙ୍କମାନଙ୍କ ଉପରେ କେତେକ କଟକଣା ଜାରି କରିବାକୁ ଯାଉଛନ୍ତି । ଏଣିକି ୫୦ କୋଟି ଟଙ୍କା ବା ଅଧିକ ପରିମାଣର ଅନାଦେୟ ଋଣ ଗୁଡ଼ିକ ସଂପର୍କରେ ତଦନ୍ତ କରିବାକୁ ଓ ଆବଶ୍ୟକ ସ୍ଥଳେ ସିବିଆଇକୁ ସୂଚୀତ କରିବାକୁ ବ୍ୟାଙ୍କମାନଙ୍କୁ ଅର୍ଥମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି । କେନ୍ଦ୍ର ଅର୍ଥ ସଚିବ ରାଜୀବ କୁମାର ଟ୍ଵିଟ୍‌ କରି କହିଛନ୍ତି ଯେ ୫୦ କୋଟି ଟଙ୍କାରୁ ଅଧିକ ପରିମାଣର ଅନାଦେୟ ଋଣ, ଇଚ୍ଛାକୃତ ଋଣଖିଲାପ ମାମଲା ବାବଦରେ ତଦନ୍ତ କରି ସିବିଆଇକୁ ଜଣାଇବାକୁ ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିକର ପରିଚାଳନା ନିର୍ଦ୍ଦେଶକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକସ୍ଥଳେ ଇଡି, ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଓ ଆର୍ଥିକ ଗୁଇନ୍ଦା ସଂସ୍ଥାର ସାହାଯ୍ୟ ନେବାକୁ ମଧ୍ୟ ବ୍ୟାଙ୍କମାନଙ୍କୁ କୁହାଯାଇଛି । ବ୍ୟାଙ୍କମାନଙ୍କର ମୁଖ୍ୟ ସତର୍କତା ଅଧିକାରୀ ଏସବୁ ତଦନ୍ତରେ ସିବିଆଇକୁ ସହଯୋଗ କରିବେ ।

ସୂଚନାଯୋଗ୍ୟ ଯେ ପିଏନବି ଠକେଇ ପରିମାଣ ବଢିଯାଇଛି । ପୂର୍ବରୁ ଏହି ଠକେଇ ପରିମାଣ ୧୧,୪୦୦ କୋଟି ଟଙ୍କାର ଥିବାବେଳେ ପିଏନବି ସ୍ୱୀକାର କରିଛି ଯେ ଏବେ ଏହି ପରିମାଣ ପ୍ରାୟ ୧୨,୭୦୦ କୋଟି ଟଙ୍କା ଟପିଯାଇଛି । ଅନ୍ୟପକ୍ଷରେ ରାଷ୍ଟ୍ରାୟତ ବ୍ୟାଙ୍କମାନଙ୍କର ଅନାଦେୟ ଋଣ ପରିମାଣ ୮.୫ ଲକ୍ଷ କୋଟି ଟପିଯାଇଛି ବୋଲି ଗତ ବଜେଟ ଭାଷଣରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଥିଲେ ।

ସମ୍ବନ୍ଧିତ ଖବର