ବ୍ୟାଙ୍କ୍‌ ଠକଙ୍କ ଅଡ଼ୁଆ ବଢ଼ିଲା

ଚନ୍ଦା, ଦୀପକ, ବେଣୁଗୋପାଳଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ!

ନୂଆଦିଲ୍ଲୀ: ଭିଡିଓକନ୍‌ ଗ୍ରୁପ୍‌କୁ ଆଇସିଆଇସିଆଇ ବ୍ୟାଙ୍କର ଋଣ ପ୍ରଦାନ ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ବ୍ୟାଙ୍କ ଠକଙ୍କୁ ଧରିବା ପାଇଁ ସିବିଆଇ ଜୋରସୋରରେ ଖୋଳତାଡ଼ ଚଳାଇଛି। ସିବିଆଇ ପକ୍ଷରୁ ଆଇସିଆଇସିଆଇ ବ୍ୟାଙ୍କର ଏମ୍‌ଡି ତଥା ସିଇଓ ଚନ୍ଦା କୋଚ୍ଚର, ତାଙ୍କ ସ୍ୱାମୀ ତଥା ନ୍ୟୁପାଓ୍ଵାର ରିନ୍ୟୁଏବଲ୍ସର ପ୍ରତିଷ୍ଠାତା ଦୀପକ କୋଚ୍ଚର ଏବଂ ଭିଡିଓକନ୍‌ର ମୁଖ୍ୟ ବେଣୁଗୋପାଳ ଧୁତ୍‌ଙ୍କ ନାମରେ ଲୁକ୍‌ ଆଉଟ୍‌ ସର୍କ୍ୟୁଲାର(ଏଲ୍‌ଓସି) ଜାରି କରିଥିବା ବିଷୟ କେତେକ ଗଣମାଧ୍ୟମ ସୂତ୍ରରୁ ଜଣାଯାଇଛି। ଏକ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସିବିଆଇର ଅନୁରୋଧକ୍ରମେ ଦେଶର ସବୁ ବିମାନ ବନ୍ଦରକୁ ଏହି ଲୁକ୍‌ ଆଉଟ୍‌ ସର୍କ୍ୟୁଲାର ପଠାଯାଇଛି। ବିଜୟ ମାଲ୍ୟା, ନିରବ ମୋଦିଙ୍କ ଭଳି ଏମାନେ ଯେଭଳି ଦେଶ ଛାଡ଼ି ବିଦେଶକୁ ପଳାଇ ନଯାଆନ୍ତି ସେଥିପାଇଁ ଏହି ନୋଟିସ ଜାରି ହୋଇଥିବା କୁହଯାଉଛି।

ରାଜୀବଙ୍କୁ ପଚରାଉଚୁରା ଜାରି
ମୁମ୍ବାଇ: ଭିଡିଓକନ୍‌କୁ ଆଇସିଆଇସିଆଇ ବ୍ୟାଙ୍କର ୩୨୫୦ କୋଟି ଟଙ୍କାର ଋଣ ପ୍ରଦାନ ମାମଲାରେ ସିବିଆଇ ଆଜି ତୃତୀୟ ଦିନ ପାଇଁ ଆଇସିଆଇସିଆଇ ବ୍ୟାଙ୍କର ସିଇଓ ତଥା ଏମ୍‌ଡି ଚନ୍ଦା କୋଚ୍ଚରଙ୍କ ଦିଅର ରାଜୀବ କୋଚ୍ଚରଙ୍କୁ ପଚରାଉଚୁରା କରିଛି। ସିବିଆଇର ବାନ୍ଦ୍ରା କୁର୍ଲା ସ୍ଥିତ କାର୍ଯ୍ୟାଳୟରେ ଶ୍ରୀ କୋଚ୍ଚରଙ୍କୁ ଶନିବାର ସକାଳେ ଦେଖିବାକୁ ମିଳିଥିଲା। ଚନ୍ଦାଙ୍କ ଦିଅର ରାଜୀବ ଆଭିଷ୍ଟା ଆଡଭାଇଜୋରି ନାମକ ଏକ କମ୍ପାନି ସ୍ଥାପନ କରିଛନ୍ତି। ଭିଡିଓକନ୍‌ର ଋଣ ପୁନର୍ଗଠନରେ ଆଭିଷ୍ଟା ଆଡଭାଇଜରିର ଭୂମିକା କ’ଣ ରହିଛି ସେ ସମ୍ପର୍କରେ ସିବିଆଇ ରାଜୀବଙ୍କୁ ପଚାରିଥିବା କୁହାଯାଉଛି। ଏତଦ୍‌ବ୍ୟତୀତ ଏହି ମାମଲାରେ ସିବିଆଇ ଆଜି ଭିଡିଓକନ୍‌ ଗ୍ରୁପ୍‌ ମୁଖ୍ୟ ବେଣୁଗୋପାଳ ଧୁତ୍‌ଙ୍କ ଘନିଷ୍ଠ ସହଯୋଗୀ ମହେଶ ଚନ୍ଦ୍ର ପୁଗାଲିଆଙ୍କୁ ମଧ୍ୟ ପଚରାଉଚୁରା କରିଛି।

ବ୍ୟାଙ୍କ୍‌ର ସରକାରୀ ନୋମିନି ବଦଳିଲେ
ନୂଆଦିଲ୍ଲୀ: ବ୍ୟାଙ୍କ ଠକେଇ ଘଟଣାରେ ବିବାଦ ଘେରକୁ ଆସିଥିବା ଆଇସିଆଇସିଆଇ ବ୍ୟାଙ୍କର ସରକାରୀ ନୋମିନିଙ୍କୁ ବଦଳାଇ ଦିଆଯାଇଛି। ସରକାରଙ୍କ ପକ୍ଷରୁ ବ୍ୟାଙ୍କରେ ନୋମିନି ଭାବେ ଅମିତ ଅଗ୍ରଓ୍ଵାଲ କାର୍ଯ୍ୟ କରୁଥିବାବେଳେ ତାଙ୍କ ସ୍ଥାନରେ ଆର୍ଥିକ ସେବା ବିଭାଗର ଯୁଗ୍ମ ସଚିବ ଲୋକ ରଂଜନଙ୍କୁ ଅବସ୍ଥାପିତ କରାଯାଇଛି। ଗତ ୫ ତାରିଖରେ ଏହି ପରିବର୍ତନ ହୋଇଛି।

ସମ୍ବନ୍ଧିତ ଖବର