ଅଡ଼ୁଆରେ ନିରବଙ୍କ ଗ୍ରାହକ

୫୦ ଜଣଙ୍କ ଆୟକର ରିଟର୍ଣ୍ଣର ଖୋଳତାଡ଼ ହେବ, ୫ କୋଟିରୁ ଅଧିକ ଗହଣା କିଣିଥିବା ଗ୍ରାହକଙ୍କୁୂ ନୋଟିସ

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମହାଠକେଇର ମୁଖ୍ୟ ଅଭିଯୁକ୍ତ ନିରବ ମୋଦୀଙ୍କ କମ୍ପାନିରୁ ଗହଣା କିଣିଥିବା ୫୦ ଧନୀ ଭାରତୀୟ ଏବେ ଅଡ଼ୁଆରେ ପଡ଼ିଛନ୍ତି। ଏମାନେ ଆୟକର ବିଭାଗର ନଜରକୁ ଆସି ଯାଇଛନ୍ତି। ନିରବ ମୋଦୀ ବ୍ରାଣ୍ଡ୍‌ର ଗହଣା କିଣିଥିବା ବ୍ୟକ୍ତିମାନଙ୍କର ଆୟକର ରିଟର୍ଣ୍ଣର ପୁନଃ ଆକଳନ କରାଯିବ। ଏହି ବ୍ୟକ୍ତିମାନଙ୍କ ମଧ୍ୟରେ କଂଗ୍ରେସ ନେତା ଅଭିଷେକ ସିଂଘଭିଙ୍କ ସ୍ତ୍ରୀ ଅନିତା ସିଂଘଭି ଏବଂ ଯୋଗେନ୍ଦ୍ର ଯାଦବଙ୍କ ସମ୍ପର୍କୀୟ ଗୌତମ ଯାଦବ ରହିଛନ୍ତି। ଏହି ବ୍ୟକ୍ତିମାନେ ଚେକ୍‌ ସହିତ ନଗଦ ଟଙ୍କା ଏବଂ ହିସାବ ବହିର୍ଭୁତ ଅର୍ଥରେ ନିରବଙ୍କ ଷ୍ଟୋରରୁ ଗହଣା କିଣିଛନ୍ତି। ଆୟକର ବିଭାଗର ଅଧିକାରୀଙ୍କ କହିବାନୁଯାୟୀ, ନିରବ ମୋଦୀ ବ୍ରାଣ୍ଡ୍‌ର ଗହଣା କିଣିବା ବେଳେ ଏହି ଗ୍ରାହକମାନେ ଚେକ୍‌ରେ ଟଙ୍କା ଦେଇଥିବା ବିଷୟକୁ ସ୍ୱୀକାର କରିଥିଲେ ମଧ୍ୟ ନଗଦ ଅର୍ଥ ପ୍ରଦାନ ବିଷୟକୁ ଅସ୍ୱୀକାର କରିଛନ୍ତି। ଫଳରେ ଆୟକର ବିଭାଗ ପକ୍ଷରୁ ଏସବୁ ବ୍ୟକ୍ତିଙ୍କର ରିଟର୍ଣ୍ଣକୁ ଖୋଳତାଡ଼ କରାଯାଉଛି। ୨୦୧୪-୧୫ ଆକଳନ ବର୍ଷରୁ ଏସବୁ ବ୍ୟକ୍ତିମାନଙ୍କର ଆୟ ସମ୍ପର୍କରେ ପୁନଃ ଆକଳନ କରାଯାଉଛି। ଦୁଇଦିନ ପୂର୍ବେ ଗୌତମଙ୍କ ଦ୍ୱାରା ପରିଚାଳିତ ହରିୟାନାର ରେଓ୍ଵାରିସ୍ଥିତ ଡାକ୍ତରଖାନାରେ ଚଢ଼ଉ କରି ୧୫ କୋଟି ଟଙ୍କାର ହିସାବ ବହିର୍ଭୁତ କାରବାର ସମ୍ପର୍କରେ ଆୟକର ବିଭାଗ ଜାଣିବାକୁ ପାଇଛି।

ନିରବ ମୋଦୀଙ୍କ ଷ୍ଟୋରରୁ ଗହଣା କିଣିବା ନେଇ ଆୟକର ବିଭାଗ ପୂର୍ବରୁ ଅଭିଷେକଙ୍କ ପତ୍ନୀ ଅନିତାଙ୍କୁ ନୋଟିସ ଦେଇଥିଲା। ଅନିତା ମଧ୍ୟ ତାହାର ଜବାବ ରଖିଥିଲେ। ଆୟକର ବିଭାଗ ପକ୍ଷରୁ ଯେଉଁମାନଙ୍କୁ ନୋଟିସ ଦିଆଯାଇଛି ସେମାନେ ସମସ୍ତେ ନିରବ ମୋଦୀଙ୍କ ଷ୍ଟୋରରୁ ଗହଣା କିଣିବା ବିଷୟକୁ ସ୍ୱୀକାର କରିଛନ୍ତି। ଚେକ୍‌ରେ ଅର୍ଥ ପ୍ରଦାନ କରିଥିବା ବିଷୟକୁ ମାନି ଥିବାବେଳେ ନଗଦ ଟଙ୍କା ପ୍ରଦାନ ବିଷୟକୁ ଅସ୍ୱୀକାର କରିଛନ୍ତି। ଅନିତା ନିରବ ମୋଦିଙ୍କ ଷ୍ଟୋରରୁ ମୋଟ ୬.୮ କୋଟି ଟଙ୍କା ମୂଲ୍ୟର ଗହଣା କିଣିଥିଲେ। ସେଥିରୁ ସେ ଚେକ୍‌ ଆକାରରେ ୧.୫୮ କୋଟି ଟଙ୍କା ଦେଇଥିବା ବେଳେ ଅବଶିଷ୍ଟ ୫ କୋଟି ଟଙ୍କା ନଗଦ ଆକାରରେ ପଇଠ କରିଥିଲେ। ଏ ନେଇ ସେ ପାନ୍‌ ନମ୍ବର ମଧ୍ୟ ପ୍ରଦାନ କରିଥିଲେ ବୋଲି କୁହାଯାଉଛି। ଆୟକର ବିଭାଗ ଅନିତାଙ୍କୁ ଗତ ଫେବ୍ରୁଆରିରେ ଏ ନେଇ ନୋଟିସ ପଠାଇଥିଲା। ନିରବଙ୍କ ଷ୍ଟୋରରୁ ୫ କୋଟିର ନଗଦ ଅର୍ଥ ଦେଇ ଯେଉଁ ଗହଣା କିଣିଥିଲେ ସେହି ଟଙ୍କାର ଉତ୍ସ ସମ୍ପର୍କରେ ଜଣାଇବାକୁ କୁହାଯାଇଥିଲା। ଗତବର୍ଷ ନିରବ ମୋଦୀଙ୍କ ଷ୍ଟୋରରେ ଚଢ଼ାଉବେଳେ ଆୟକର ବିଭାଗ ନଗଦ ଅର୍ଥ ଏବଂ ଚେକ୍‌ରେ ଗହଣା କ୍ରୟ କରିଥିବା ଗ୍ରାହକଙ୍କ ବିସ୍ତତ ତାଲିକା ସଂଗ୍ରହ କରିଥିଲା। ସେହି ତାଲିକାରେ ଅନିତାଙ୍କ ନାମ ରହିଥିଲା। ଯେଉଁମାନେ ୫ କୋଟିରୁ ଊର୍ଧ୍ୱ ମୂଲ୍ୟର ଗହଣା କିଣିଛନ୍ତି ସେମାନଙ୍କ ନିକଟକୁ ପ୍ରଥମ ପର୍ଯ୍ୟାୟରେ ଏହି ନୋଟିସ ପଠାଯାଇଛି। ମୁମ୍ବାଇ ସମେତ ଅନ୍ୟ କେତେକ ସହରର ବ୍ୟକ୍ତିମାନଙ୍କୁ ଆୟକର ବିଭାଗ ଏବେ ନୋଟିସ ପଠାଇଛି।

ସମ୍ବନ୍ଧିତ ଖବର