ଜିଡିପି ତଥ୍ୟ ନେଇ ବିବାଦ

ଏମ୍‌ପିସି ସଦସ୍ୟ ପ୍ରଶ୍ନ ଉଠାଇଲେ

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ଦେଶର ଜିଡିପି ଅଭିବୃଦ୍ଧି ହାର ୮.୨% ହୋଇଥିବା ସରକାର ଘୋଷଣା କରିଛନ୍ତି। ସେହି ତଥ୍ୟକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି କମିଟିରେ ଥିବା ସଦସ୍ୟ ରବିନ୍ଦ୍ର ଢୋଲକିଆ। ସରକାର ଜାରି କରିଥିବା ତଥ୍ୟ ଉପରେ ସେ ପ୍ରଶ୍ନ ଉଠାଇଛନ୍ତି। ଜିଡିପି ତଥ୍ୟ ହିସାବ ବେଳେ ମାନୁଫାକ୍‌ଚରିଂ ଅଭିବୃଦ୍ଧିକୁ ବଢ଼ାଇ ଚଢ଼ାଇ ପ୍ରଦର୍ଶନ କରାଯାଇଛି ବୋଲି ସେ ଜଣାଇଛନ୍ତି। ଏକ ନିବନ୍ଧରେ ସେ ଲେଖିଛନ୍ତି ଯେ ଏହି ତିନି ମାସରେ ମାନୁଫାକ୍‌ଚରିଂ ଅଭିବୃଦ୍ଧି ୧୩.୫% ହୋଇଛି ବୋଲି ଯାହା ପ୍ରଦର୍ଶନ କରାଯାଇଛି ତାହାକୁ ସହଜରେ ଗ୍ରହଣ କରିହେଉନାହିଁ।

ଏବେ ନୂଆ ପଦ୍ଧତିରେ ଜିଡିପି ହିସାବ କରାଯାଉଛି। ପୂର୍ବ ପ୍ରଚଳିତ ପଦ୍ଧତିରେ ଶିଳ୍ପର ବାର୍ଷିକ ସର୍ଭେକୁ ବିଚାରକୁ ନିଆଯାଉଥିଲା। କିନ୍ତୁ, ଏବେ ମାନୁଫାକ୍‌ଚରିଂ କ୍ଷେତ୍ରର ଅଭିବୃଦ୍ଧି ହିସାବ କରିବା ବେଳେ କର୍ପୋରେଟ୍‌ ଆର୍ଥିକ ତଥ୍ୟକୁ ବିଚାରକୁ ନିଆଯାଉଛି। ସେଥିପାଇଁ ମାନୁଫାକ୍‌ଚରିଂ କ୍ଷେତ୍ରର ଜିଡିପି ଅଭିବୃଦ୍ଧି ଅଧିକ ହୋଇଯାଉଛି। କିନ୍ତୁ ପୁରୁଣା ପଦ୍ଧତିରେ ଯଦି ହିସାବ କରାଯିବ ତେବେ ଏହି କ୍ଷେତ୍ରର ଅଭିବୃଦ୍ଧି ଏତେ ଅଧିକ ହେବ ନାହିଁ ବୋଲି ସେ ଜଣାଇଛନ୍ତି। ଇକୋନମିକ୍‌ ଆଣ୍ଡ୍‌ ପଲିଟିକାଲ୍‌ ଓ୍ଵିକ୍‌ଲିରେ ଲେଖିଥିବା ଏକ ନିବନ୍ଧରେ ସେ ଏହା ଲେଖିଛନ୍ତି। ନୂଆ ପଦ୍ଧତି ମାନୁଫାକ୍‌ଚରିଂ କ୍ଷେତ୍ରର ପ୍ରକୃତ ଚିତ୍ର ପ୍ରଦାନ କରିଛି କି? ବୋଲି ସେ ପ୍ରଶ୍ନ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଶ୍ରୀ ଢୋଲକିଆ ହେଉଛନ୍ତି ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତି କମିଟିର ଜଣେ ବାହ୍ୟ ସଦସ୍ୟ। ସେ ପୂର୍ବରୁ ଆଇଆଇଏମ୍‌-ଅହମ୍ମଦାବାଦରେ ପ୍ରଫେସର ଭାବେ କାର୍ଯ୍ୟ କରୁଥିଲେ। ମୁଦ୍ରାନୀତି କମିଟିର ସେ ହେଉଛନ୍ତି ଏକମାତ୍ର ସଦସ୍ୟ ଯିଏ ସୁଧ ହାର କମ୍‌ କରିବାକୁ ଯୁକ୍ତି କରିଥାନ୍ତି। ସରକାର ସବୁ ବେଳେ ସୁଧ ହାର କମ୍‌ କରିବାକୁ ରିଜର୍ଭ ବ୍ୟାଙ୍କ ଉପରେ ଚାପ ପକାଉଛନ୍ତି। ସେଥିପାଇଁ ଚର୍ଚା ହୁଏ ଯେ ଢୋଲକିଆ ସରକାରଙ୍କ ଭାଷା କହୁଛନ୍ତି। ସେ ସରକାରଙ୍କ ଜିଡିପି ତଥ୍ୟ ଉପରେ କାହିଁକି ପ୍ରଶ୍ନଚିହ୍ନ ଲଗାଇଲେ ତାହା ଜଣାପଡ଼ୁନାହିଁ। ସରକାର ଜିଡିପି ହିସାବ ପାଇଁ ନୂଆ ପଦ୍ଧତି ଆଣିବା ଦିନଠାରୁ ତାହା ବିବାଦରେ ରହିଛି। ଏହା ଅର୍ଥନୀତିର ପ୍ରକୃତ ଚିତ୍ର ପ୍ରଦାନ କରୁନଥିବା ଅଭିଯୋଗ ହୁଏ।

ସମ୍ବନ୍ଧିତ ଖବର