କର୍ପୋରେଟ୍ ଜଗତରେ କିଛି ବରିଷ୍ଠ ପଦାଧିକାରୀଙ୍କୁ ବିଦା କରିବା ବେଳେ ଝଡ଼ ସୃଷ୍ଟି ହୋଇଥିଲା। ଟାଟା ଠାରୁ ଆରମ୍ଭ କରି ସତ୍ୟମ୍ ପର୍ଯ୍ୟନ୍ତ ଅନେକ ବଡ଼ ବଡ଼ କଂପାନି ଏଭଳି ପରିସ୍ଥିତି ସାମ୍ନା କରିଥିଲେ। ସେହି ବିବାଦୀୟ ବ୍ୟକ୍ତିଙ୍କୁ ନେଇ ଏହି ଆଲେଖ୍ୟ:
ଚନ୍ଦା କୋଚ୍ଚର୍
ଭିଡିଓକନ୍ ଋଣ ମାମଲାରେ ବିବାଦୀୟ ହୋଇପଡ଼ିବାରୁ ଆଇସିଆଇସିଆଇ ବ୍ୟାଙ୍କର ଏମ୍ଡି ଓ ସିଇଓ ପଦରୁ ଚନ୍ଦା କୋଚ୍ଚରଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। ଏକଦା ତାଙ୍କୁ ବ୍ୟାଙ୍କ ଶିଳ୍ପର ଅନ୍ୟତମ କ୍ଷମତାଶାଳୀ ମହିଳା କୁହାଯାଉଥିଲା।
ରାଣା କପୁର
ୟେସ୍ ବ୍ୟାଙ୍କର ପ୍ରତିଷ୍ଠାତା ତଥା ସିଇଓ ରାଣା କପୁରଙ୍କୁ ବିବାଦୀୟ ପରିସ୍ଥିତିରେ ନିଜ ସଂସ୍ଥାରୁ ବିଦାୟ ନେବାକୁ ପଡ଼ିଛି। ତାଙ୍କ କାର୍ଯ୍ୟକାଳ ବଢ଼ାଇବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ମନା କରିଦେଇଛନ୍ତି। ଏନ୍ପିଏର ଭୁଲ ତଥ୍ୟ ଦେବା ପରେ ୟେସ୍ ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କ ନଜର ରଖିଥିଲେ।
ଶିଖା ଶର୍ମା
ଆକ୍ସିସ୍ ବ୍ୟାଙ୍କରେ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଏମ୍ଡି ଓ ସିଇଓ ଭାବେ କାମ କରିଥିବା ଶିଖା ଶର୍ମାଙ୍କ କାର୍ଯ୍ୟକାଳ ବଢ଼ାଇବାକୁ ରିଜର୍ଭ ବ୍ୟାଙ୍କ ମନା କରିଥିଲେ। ଯଦିଓ ବ୍ୟାଙ୍କ ପକ୍ଷରୁ ତାଙ୍କୁ ସମର୍ଥନ କରାଯାଉଥିଲା କିନ୍ତୁ ରିଜର୍ଭ ବ୍ୟାଙ୍କ ନିଷ୍ପତ୍ତି ବଦଳାଇ ନଥିଲେ।
ରାମଲିଙ୍ଗା ରାଜୁ
୨୦୦୯ରେ ସତ୍ୟମ୍ କମ୍ପ୍ୟୁଟର୍ରେ ହୋଇଥିବା ଦୁର୍ନୀତିର ପର୍ଦାଫାଶ କରି ଏହାର ପ୍ରତିଷ୍ଠାତା ରାମଲିଙ୍ଗା ରାଜୁ ଜେଲ୍ ଯାଇଥିଲେ। ୨୦୧୫ରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ରାଜୁଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।
ଏସ୍ କେ ରାୟ
ୟୁନିଟେକ୍ ନାମକ ଏକ ରିଅଲ ଇଷ୍ଟେଟ୍ ସଂସ୍ଥାରେ ପୁଞ୍ଜିନିବେଶ କରି ଏଲ୍ଆଇସିର ପୂର୍ବତନ ଅଧ୍ୟକ୍ଷ ଏସ୍ କେ ରାୟ ବିବାଦୀୟ ହୋଇପଡ଼ିଥିଲେ। ୨୦୧୩ରେ ସେ ଏଲ୍ଆଇସିର ଅଧ୍ୟକ୍ଷ ହୋଇଥିଲେ ଓ ସେହିବର୍ଷ ୟୁନିଟେକ୍କୁ ୨୦୦ କୋଟି ଟଙ୍କା ଋଣ ଦିଆଯାଇଥିଲା ଯାହା ଆଉ େଫରିନଥିଲା।
ଉଷା ଅନନ୍ତସୁବ୍ରମଣିଅନ୍
ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କରେ ନିରବ ମୋଦୀ କରିଥିବା ୧୪ ହଜାର କୋଟି ଟଙ୍କା ଠକେଇରେ ଉଷା ଅନନ୍ତସୁବ୍ରମଣିଅନ୍ଙ୍କ ହାତ ଥିଲା ବୋଲି ଅଭିଯୋଗ ହୁଏ। ସିବିଆଇ ଚାର୍ଜସିଟ୍ରେ ତାଙ୍କ ନାମ ଆସିବା ପରେ ତାଙ୍କୁ ଆହ୍ଲାବାଦ ବ୍ୟାଙ୍କ ସିଇଓ ପଦରୁ ହଟାଇ ଦିଆଯାଇଥିଲା।
ସାଇରସ୍ ମିସ୍ତ୍ରୀ
କର୍ପୋରେଟ୍ ଜଗତର ଏକ ବଡ଼ ବିବାଦ ଥିଲା ସାଇରସ୍ ମିସ୍ତ୍ରୀଙ୍କୁ ଟାଟା ସନ୍ସ ଅଧ୍ୟକ୍ଷ ପଦରୁ ହଟାଇବା। ବୋର୍ଡ ବୈଠକ ଆରମ୍ଭ ହେବା ପୂର୍ବରୁ ତାଙ୍କୁ ଇସ୍ତଫା ଦେବାକୁ କୁହାଯାଇଥିଲା। ଏବେବି ଏହି ମାମଲା କୋର୍ଟରେ ବିଚାରଧୀନ ରହିଛି। ଟାଟା ବିରୋଧରେ ସାଇରସ୍ କୋର୍ଟରେ ମକଦ୍ଦମା ଦାୟର କରିଛନ୍ତି।
/sambad/media/post_attachments/wp-content/uploads/2018/10/vishal-300x168.jpg)
ବିଶାଲ ସିକ୍କା
୨୦୧୪ରେ ଖରାପ ପରିସ୍ଥିତି ଦେଇ ଗତି କରୁଥିବା ଇନ୍ଫୋସିସ୍କୁ ବାଟ ଦେଖାଇବା ପାଇଁ କଂପାନିର ଅନ୍ୟତମ ପ୍ରତିଷ୍ଠାତା ଏନ୍ ଆର୍ ନାରାୟଣମୂର୍ତିଙ୍କ ସମର୍ଥନରେ ବିଶାଲ ସିକ୍କାଙ୍କୁ ସିଇଓ ଭାବେ ନିଯୁକ୍ତି ମିଳିଥିଲା। କିଛି ବର୍ଷ ପରେ ଖୋଦ ନାରାୟଣମୂର୍ତି ତାଙ୍କ କାର୍ଯ୍ୟକଳାପକୁ ସମାଲୋଚନା କରିିଥିଲେ। ଶେଷରେ ସିକ୍କା ଇନ୍ଫୋସିସ୍ରୁ ବିଦାୟ ନେଇଥିଲେ।
ମିଟୁ ଚାଣ୍ଡିଲ୍ୟ
କଂପାନିର ପାଣ୍ଠିକୁ ହେରଫେର କରିଥିବା ଅଭିଯୋଗ ହେବା ପରେ ଅପ୍ରତ୍ୟାଶିତ ଭାବେ ୨୦୧୬ରେ ମିଟୁ ଚାଣ୍ଡିଲ୍ୟ ଏୟାର ଏସିଆ ଇଣ୍ଡିଆର ସିଇଓ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟର ଜେରା ସାମ୍ନା କରିବାକୁ ପଡ଼ିଥିଲା।
ଫନିସ ମୂର୍ତ୍ତି
ଇନ୍ଫୋସିସ୍ର ପୂର୍ବତନ ନିର୍ଦେଶକ ଫନିସ୍ ମୂର୍ତ୍ତି ଏକ ଯୌନ ଉତ୍ପୀଡ଼ନ ମାମଲାରେ ଫସିଯିବା ପରେ ତାଙ୍କୁ କଂପାନିରୁ ବିଦା କରାଯାଇଥିଲା। ସେ ସେହି ମାମଲାକୁ ୩ ନିୟୁତ ଡଲାରରେ ରଫାଦଫା କରିବାକୁ ପ୍ରୟାସ କରୁଥିଲେ।