ଗୋ‌ଦ୍‌ରେଜ ପରିବାରରେ ଫାଟ

ମୁମ୍ବାଇ: ସାବୁନ ଠାରୁ ଆରମ୍ଭ କରି ବିମାନ ପର୍ଯ୍ୟନ୍ତ ଅନେକ କ୍ଷେତ୍ରରେ କାରବାର କରୁଥିବା ଦେଶର ପ୍ରତିଷ୍ଠିତ ବ୍ୟବସାୟ ସାମ୍ରାଜ୍ୟ ଗୋଦ୍‌ରେଜ୍ ଗ୍ରୁପ୍‌ର ମାଲିକଙ୍କ ପରିବାରରେ ଫାଟ ସୃଷ୍ଟି ହୋଇଛି। ଜମି ଓ ବ୍ୟବସାୟ ରଣନୀତିକୁ ନେଇ ଗୋଦରେଜ୍ ପରିବାରରେ ମତଭେଦ ସୃଷ୍ଟି ହୋଇଛି। ଆଗାମୀ ଦିନରେ ଗୋଦରେଜ୍ ସାମ୍ରାଜ୍ୟର ବିଭାଜନ ହୋଇପାରେ ବୋଲି କୁହାଯାଉଛି।

ଗୋଦରେଜ୍ ଗ୍ରୁପ୍‌ର ପ୍ରମୁଖ କଂପାନି ଗୋଦରେଜ୍ ଆଣ୍ଡ୍ ବଏସ୍‌ ପାଖରେ ମୁମ୍ବାଇରେ ବିପୁଳ ପରିମାଣର ଜମି ରହିଛି। ସେହି ଜମିରେ ରିଅଲ ଇଷ୍ଟେଟ୍‌ କାରବାର କରି କଂପାନି ବେଶ ଲାଭ ହାସଲ କରୁଛି। ଉକ୍ତ ଜମିର ବିକାଶକୁ ନେଇ ଜାମସେଦ ‌ଗୋଦରେଜ୍ ଓ ତାଙ୍କ ଦାଦା ପୁଅ ଭାଇ ଏବଂ ଆଦି ଓ ନାଦିର ଗୋଦରେଜ୍‌ଙ୍କ ମଧ୍ୟରେ ମତଭେଦ ଦେଖାଦେଇଛି। ତେଣୁ ପୂର୍ବରୁ ପରିବାରକୁ ନେଇ ଯେଉଁ ଚୁକ୍ତି ହୋଇଥିଲା ସେଥିରେ ପରିବର୍ତ୍ତନ ଆଣିବା ଉପରେ ସମସ୍ତ ସଦସ୍ୟ ବିଚାର କରୁଥିବା ଜଣାପଡ଼ିଛି।

ବିବାଦର ମୂଳ କାରଣ ହେଉଛି ଗୋଦରେଜ୍ ଆଣ୍ଡ୍ ବଏସ୍‌ ପାଖରେ ଥିବା ବିପୁଳ ପରିମାଣର ଜମି। ଗୋଦରେଜ୍ ପରିବାର ଠାରୁ ଅଧିକ ଜମି ଏହି କଂପାନି ପାଖରେ ରହିଛି। ସେହି ଜମିକୁ ବାଣିଜ୍ୟିକ କାରବାରରେ କଂପାନି ବ୍ୟବହାର କରୁଥିବାରୁ ବିବାଦ ଉପୁଜିଛି। ଜମିକୁ ଏଭଳି ଭାବେ ବ୍ୟବହାର କରାଯାଉ ବୋଲି ଜାମସେଦ ଗୋଦରେଜ୍‌ଙ୍କ ପରିବାର ସଦସ୍ୟ ଚାହୁନାହାନ୍ତି। କିନ୍ତୁ ଆଦି ଗୋଦରେଜ୍ ଓ ନାଦିର ଗୋଦରେଜ୍ ଏହାର ଠିକ୍ ଓଲଟା ଚାହୁଛନ୍ତି। ଜମିକୁ ନେଇ ପରିବାର ଦୁଇ ଭାଗ ହୋଇଯାଇଥିବାରୁ ଏବେ ବାହ୍ୟ ପରାମର୍ଶଦାତାଙ୍କ ସହାୟତା ନିଆଯାଉଛି। ଏଥିପାଇଁ ଲ’ ଫାର୍ମ ନିଯୁକ୍ତ କରିବା ଉପରେ ବିଚାରବିମର୍ଶ ଚାଲିଛି। କୋଟାକ ମହିନ୍ଦ୍ରା ବ୍ୟାଙ୍କର ମୁଖ୍ୟ ଉଦୟ କୋଟାକ୍‌ଙ୍କୁ ମଧ୍ୟ ସହାୟତା ମଗାଯାଇଛି।

ସମ୍ବନ୍ଧିତ ଖବର